ଭୁବନେଶ୍ୱର,୧୪/୦୮/୨୦୨୫ (ଓଡ଼ିଶା ସମାଚାର)- ଓଡ଼ିଶା ଉର୍ଦ୍ଧୁ ଏକାଡେମୀ ପକ୍ଷରୁ ଏକ ରାଜ୍ୟସ୍ତରୀୟ ଉର୍ଦୁ କବି ସମ୍ମିଳନୀ(ମୁଶାଏରା ) କାର୍ଯ୍ୟକ୍ରମ କଟକସ୍ଥିତ ପାନ୍ଥ ନିବାସଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦୋସ୍ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମରେ ପ୍ରାୟ ୩୦ ଜଣ କବି ଉର୍ଦ୍ଧୁ କବିତା ପାଠ କରିଥିଲେ ।
ଏଥିରେ ବିଶେଷକରି ଦେଶାତ୍ମବୋଧକ କବିତା ପାଠ କରାଯାଇଥିଲା । କବିମାନଙ୍କ ମଧ୍ୟରେ କଟକରୁ ସୟିଦ ରେହମାନୀ, ଅବଦୁଲ ହକ ବେତାବ ବିସମିଲ, ଅଞ୍ଜୁମନ ଆରା, ଭଦ୍ରକରୁ ଜାଫର ଦାନିସ୍ ,ମୁସ୍ତାକ ଗୋହର, ମୋଇନ ସଫକ୍, ରାଉରକେଲାରୁ ମୁକତାର ରାହି, ମୁଜୁବୁର ରେହମାନ୍, ସମ୍ବଲପୁରରୁ ନସିର୍ ଫରର, ଭୁବନେଶ୍ୱରରୁ ମୁନିର୍ ଅରମାନ, ଝାରସୁଗୁଡ଼ାରୁ ଅଜୟ ପଣ୍ଡା ପ୍ରମୁଖ ବିଶିଷ୍ଟ ଉର୍ଦୁ କବିମାନେ ଯୋଗଦାନ କରିଥିଲେ । ଏହି ମୁଶାଏରା କାର୍ଯ୍ୟକ୍ରମରେ ସୋଫିଆ ଫିର୍ଦୋସ ଉର୍ଦୁୁ ଭାଷାର ଲାଳିତ୍ୟ ଉପରେ ଆଲୋକପାତ କରିଥିଲେ ।
ଏଥିସହିତ କଟକ ଏକ ଭାଇଚାରାର ସହର ଏବଂ ଏଠାରେ ସବୁ ଭାଷାଭାଷୀ ଓ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ରହିଥିବା ସୁସମ୍ପର୍କ ରହିଛି ବୋଲି ସେ ମତପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟର ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ବିଶିଷ୍ଟ ଉର୍ଦୁ କବି ଜନାବ ସୟଦ ମହମ୍ମଦ ଅକଦାସ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି କବିତା ପାଠ କରିଥିଲେ । କାର୍ଯ୍ୟକ୍ରମରେ ଉର୍ଦୁ ଏକାଡେମୀର ସଭାପତି ଜନାବ ଖାଲିଦ ରହିମ ଏବଂ ଉପସଭାପତି ଜନାବ ନଫିସ୍ ମଞ୍ଜୁର ହାସନ ଯୋଗଦାନ କରିଥିଲେ । ଓଡ଼ିଶା ଉର୍ଦୁ ଏକାଡେମୀର ସଚିବ ଶୁଚିସ୍ମିତା ମନ୍ତ୍ରୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ ।
