ଫ୍ରେଣ୍ଡସ୍ ହେଲପିଂ କ୍ଳବ୍ ଆନୁକୂଲ୍ୟରେ ବିଶ୍ୱ ଅଙ୍ଗଦାନ ଦିବସ

ବ୍ରହ୍ମପୁର,୧୪/୦୮/୨୦୨୫(ଓଡ଼ିଶା ସମାଚାର)-ସ୍ଥାନୀୟ ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ଫ୍ରେଣ୍ଡ୍ସ୍ ହେଲପିଙ୍ଗ କ୍ଳବ୍ ଆନୁକୂଲ୍ୟରେ ବିଶ୍ୱ ଅଙ୍ଗଦାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମେଡିକାଲ ଖେଳାପଡ଼ିଆରେ ଏକ ବିଶାଳ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ଏମକେସିଜି ମେଡିକାଲ କଲେଜର ଆନାଟମି ବିଭାଗର ମୁଖ୍ୟ ପ୍ରଫେସର ଜାମି ସାଗର ପୃଷ୍ଠି ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । କେ. ନାନ୍ଦେଷୁ ସେନାପତି ଅଙ୍ଗଦାନ ଦିବସ ବିଷୟରେ ସମ୍ୟକ ସୂଚନା ଦେଇଥିଲେ । ଉପସ୍ଥିତ ପଦଯାତ୍ରୀଙ୍କୁ ଉଦବୋଧନ ଦେଇ ଅଙ୍ଗଦାନର ଆବଶ୍ୟକତା ବିଷୟରେ କହିଥିଲେ । ଭାରତରେ ଅଙ୍ଗ ଅର୍ଥାତ ହାର୍ଟ, କିଡ୍ନୀ, ଫୁସଫୁସ, ଲିଭର, ପାନକ୍ରିୟାସ, ଅଭାବରୁ ପ୍ରାୟ ୫ ଲକ୍ଷ ଲୋକ ମୃତୁ୍ୟମୁଖରେ ପଡ଼ିଥାନ୍ତି ।

ମୃତୁ୍ୟ ପରେ ଏକ ଲକ୍ଷ ଲୋକଙ୍କ ମଧ୍ୟରେ କେବଳ ୦.୬୨ ଅଂଗଦାନ କରିଥାନ୍ତି । ଅଙ୍ଗଦାନ ଜୀବିତ ଅବସ୍ଥାରେ ଗୋଟିଏ କୀଡ୍ନୀ, ଆଂଶିକ ଲିଭର ଓ ଫୁସଫୁସ, ଚର୍ମ ନିଜ ସମ୍ପର୍କୀୟଙ୍କୁ ଦାନ କରାଯାଇଥାଏ ।

ସେହିପରି ମସ୍ତିଷ୍କ ମୃତୁ୍ୟ(ବ୍ରେନ୍ ଡେଥ୍) ପରେ ଅଠଗୋଟି ଅଙ୍ଗ ଚକ୍ଷୁ, ହୃତପିଣ୍ଡ, ଫୁସ୍ ଫୁସ୍, କୀଡ୍ନୀ, ଲିଭର, ପାନକ୍ରିୟାସ, ଅସ୍ଥି, ଚର୍ମ, ଅସ୍ଥି ଦାନ କରାଯାଇପାରେ । ଚକ୍ଷୁ ବା କର୍ଣ୍ଣିଆ ଦାନର ଉନ୍ନତି ଘଟିଛି । ଡାକ୍ତରୀ ପାଠ ପଢା ପାଇଁ ପ୍ରତି ୧୦ ଜଣ ଛାତ୍ରଙ୍କ ପାଇଁ ଏକ ମୃତଶରୀର ଆବଶ୍ୟକତା ରହିଛି । ନୂତନ ମେଡିକାଲ କଲେଜ ଗଢି ଉଠିବା ଯୋଗୁଁ ବହୁ ମୃତ ଶରୀରର ଆବଶ୍ୟକତା ଉପଲବ୍ଧି କରାଯାଉଛି । ଅତି ଖୁସିର କଥା ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ, ମାନବବାଦୀ ହେତୁବାଦୀ ସଂଗଠନ ପରି ଅନ୍ୟ ସଂଗଠନ ଓ ପ୍ରଗତିଶୀଳ ଚିନ୍ତାଧାରାର ବ୍ୟକ୍ତିତ୍ୱ ଯୋଗୁଁ ବ୍ରହ୍ମପୁର ମେଡିକାଲ କଲେଜ ଚକ୍ଷୁଦାନ ଓ ଶରୀର ଦାନ କାର୍ଯ୍ୟକ୍ରମରେ ଓଡ଼ିଶାରେ ଶୀର୍ଷରେ ରହିଛି ।

ତେଣୁ ସମସ୍ତ ପ୍ରକାର ଅନ୍ଧ ବିଶ୍ୱାସ ଦୂରକରି ମୃତୁ୍ୟ ପରେ ଅଙ୍ଗ ଓ ଶରୀର ଦାନ କରିବାକୁ ଆଗେଇ ଆସିବାକୁ ଏଠାରେ ଆହ୍ୱାନ କରାଯାଇଥିଲା । ଫ୍ରେଣ୍ଡସ ହେଲପିଙ୍ଗ କ୍ଳବର ସଭାପତି ସତ୍ୟକମ ପାତ୍ର, ଇଂଜିନିଅର ପ୍ରଶାନ୍ତ ପାତ୍ର, ଏଏସଏନ୍ ଗୁପ୍ତା, ରୋଟାରୀ କ୍ଳବର ସଭାପତି ପଟ୍ଟନାୟକ ଓ ମାନବବାଦୀ ହେତୁବାଦୀ ସଂଗଠନର ଉପସଭାପତି କିଶୋର ଚନ୍ଦ୍ର ମିଶ୍ର ଅଙ୍ଗ, ସଂଗଠନର ସମ୍ପାଦକ ପ୍ରବୀଣ କୁମାର, ପୂର୍ବତନ ସଭାପତି ଜମ୍ମୁଲା ସୁରେଶ, ବିଦ୍ୟାସଗାର, ଜି.ମାଲେଶ୍ୱର ରାଓ, ଅନୀଲ କୁମାର ଚୌଧୁରୀ, ଇ.ଡି.ପାତ୍ର, ଜେ ସତ୍ୟନାରାୟଣ, ଉଷ.ଶିବପ୍ରସାଦ ରାଓ, କେ.ମାଲ୍ଲେସ୍ୱର ରାଓ, ଭି.ଭି.ରାଜୁ ପମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *