ଶ୍ରୀଲ ପ୍ରଭୁାଦ ଜୀ ମାନବତାର ଜୀବନ୍ତ ପ୍ରତୀକ : ମୁଖ୍ୟମନ୍ତ୍ରୀ
କଟକ,୧୪/୦୮/୨୦୨୫(ଓଡ଼ିଶା ସମାଚାର)- ଭକ୍ତି,ସେବା ଓ ମାନବତାର ଜୀବନ୍ତ ପ୍ରତୀକ ହେଉଛନ୍ତି ଶ୍ରୀଲ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦ ଜୀ । ୧୦୦ ବର୍ଷ ଧରି କଟକର ଶ୍ରୀସଚ୍ଚିଦାନନ୍ଦ ମଠ ଆଧ୍ୟାତ୍ମିକ, ସାହିତି୍ୟକ ଓ ସାମାଜିକ କାର୍ଯ୍ୟକଳାପ ଏକ ନୈତିକତାର ପ୍ରଦୀପ ପ୍ରଜ୍ୱଳିତ କରି ଆସୁଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ଶ୍ରୀଲ ପ୍ରଭୁପାଦଙ୍କ ୧୫୧ତମ ଆବିର୍ଭାବ ଜୟନ୍ତୀ ଓ କଟକର ଶ୍ରୀସଚ୍ଚିଦାନନ୍ଦ ମଠର ଶତବାର୍ଷିକୀ ଉତ୍ସବ ଅବସରରେ ସେ ଏହା କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପରମପୂଜ୍ୟ ଶ୍ରୀଲ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦ ଜୀ କେବଳ ଜଣେ ମହାନ ସନ୍ଥ, ଶିକ୍ଷକ କିମ୍ବା ଧର୍ମ ପ୍ରଚାରକ ନଥିଲେ, ତାଙ୍କର ଜୀବନ ଦର୍ଶନ, ଗୀତା ଓ ଭାଗବତର ଶାଶ୍ୱତ ସନ୍ଦେଶ, ଏବଂ “ଜୀବନକୁ ଭଗବାନଙ୍କ ସେବାରେ ନିୟୋଜିତ କରିବା’ଏହି ମୂଲ୍ୟବୋଧ ସଦା ଆମ ପାଇଁ ପ୍ରେରଣା ସାଜିଛି ।

ଶ୍ରୀ ସଚ୍ଚିଦାନନ୍ଦ ମଠ ଜ୍ଞାନର ଦୀପ୍ତି ବାଂଟିବା ସହ କର୍ତବ୍ୟବୋଧ ଓ ଆତ୍ମଚିନ୍ତନର ମାର୍ଗ ଦର୍ଶନ କରିଆସୁଛି । ଆଜିର ଅର୍ଥ ସର୍ବସ୍ୱ ଦୁନିଆରେ ଏହି ଚେତନାର ଜାଗରଣ ଆମ ସମାଜ ପାଇଁ ଏକ ଅମୂଲ୍ୟ ସମ୍ପଦ । ଗତ ୧୦୦ ବର୍ଷରେ ଏହି ମଠ କେବଳ ଧର୍ମଚେତନା ଜାଗୃତ କରିନାହିଁ, ବରଂ ଶିକ୍ଷା, ଦାନ, ସାଧୁସଙ୍ଗ, ସମାଜସେବା ଓ ଯୁବ ପିଢି କୁ ନୈତିକ ଦିଶା ଦେବାରେ ମହତ୍ୱପୂର୍ଣ୍ଣ ଭୂମିକା ନେଇଛି ବୋଲି ସେ କହିଥିଲେ । ଶ୍ରୀଲ ପ୍ରଭୁପାଦଙ୍କର ଅବଦାନ ଆଜି ମଧ୍ୟ ପ୍ରାସଙ୍ଗିକ, ଯାହାକୁ ଅନୁଶୀଳନ କଲେ, ଆଜିର ସମାଜ ବିଶ୍ୱଭାତୃତ୍ୱ ଭାବରେ ପ୍ରତିଷ୍ଠିତ ହୋଇ ଏକ ବାସ୍ତବ ସୁଖ, ସମୃଦ୍ଧ ଓ ଶାନ୍ତି ଲାଭ କରି ପାରିବ ।
ଶ୍ରୀଲ ପ୍ରଭୁ ପାଦଙ୍କ ୧୫୧ତମ ଆବିର୍ଭାବ ଜୟନ୍ତୀ କେବଳ ଏକ ସ୍ମୃତି ଦିବସ ନୁହେଁ, ବରଂ ଆମ ପାଇଁ ଏକ ସଂକଳ୍ପ ଯେ, ଆମେ ତାଙ୍କର ଦେଇଯାଇଥିବା ଆଦର୍ଶ, ସେବାଭାବ ଓ ଭକ୍ତିର ପଥରେ ଅଟଳ ରହିବୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍ତି । ଭକ୍ତିଭାବର ପ୍ରକୃତ ସଜ୍ଞା ଓ ଉଦ୍ଧେଶ୍ୟ ହେଉଛି ମାନବର ଅନ୍ତରାତ୍ମାକୁ ଶୁଦ୍ଧି କରିବା । ଏହି ଦିଗରେ ଶ୍ରୀ ଶିଲ ପ୍ରଭୁ ପାଦ ଆମକୁ ମାର୍ଗ ଦର୍ଶନ କରିଯାଇଛନ୍ତି । ତେଣୁ ତାଙ୍କ ପ୍ରଦର୍ଶିତ ମାର୍ଗକୁ ଆମେ ଆମ ଜୀବନଶୈଳୀର ଅଂଶ ଭାବେ ଅନ୍ତର୍ଭୁକ୍ତ କରିପାରିଲେ, ଆମ ଜୀବନ ସାର୍ଥକ ହୋଇଯିବ । ତାଙ୍କରି ଦିଗଦର୍ଶନ ଓ ବାଣୀ ଆମ ପାଇଁ ଅମୃତର ଆଶ୍ଲେଷ ହେଇ ରହିବ ବୋଲି ପରିଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ।
ଗୌଡୀୟ ମିଶନର ସଭାପତି ଶ୍ରୀମଦ୍ ଭକ୍ତି ସୁନ୍ଦର ସନ୍ୟାସୀ ଗୋସ୍ୱାମୀ ମହାରାଜ କହିଥିଲେ ଯେ ଶ୍ରୀଲ ପ୍ରଭୁ ପାଦ ହେଉଛନ୍ତି ଜ୍ଞାନ ଆହରଣର ଏକ ଗ୍ରନ୍ଥ , ଯାହାକୁ ଜୀବନ ଭରି ଅଧ୍ୟୟନ କଲେ ମଧ୍ୟ ସରିବନି । କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ , ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରମୁଖ ନିଜର ଅଭିଭାଷଣ ରଖିଥିଲେ । ଏହି ଅବସରରେ ଶ୍ରୀମଦ୍ ଭକ୍ତି ବିଚାର ଭାରତୀ ମହାରାଜ, ଗୌଡ଼ୀୟ ମିଶନର କମିଟି ମେମ୍ବର, ଉମେଶ ଖଣ୍ଡେଲୱାଲ୍ ପ୍ରମୁଖ ମଂଚାସୀନ ଥିଲେ । କାର୍ଯ୍ୟକ୍ରମରେ ଗୌଡ଼ୀୟ ବୈଷ୍ଣବ ସମ୍ମିଳନୀର ସଭ୍ୟ ଭକ୍ତି ବୋଧାୟନ ବେଦାନ୍ତ ମହାରାଜ ସ୍ୱାଗତ ଭାଷଣ ଦେଇଥିବା ବେଳେ ଭକ୍ତି ରୂ କ ରାଧାନ୍ତି ମହାରାଜ ଧନ୍ୟବାଦ ଦେଇଥିଲେ ।
