କଟକ ସଦର, ୦୩ /୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କନ୍ଦରପୁର କଲେଜ ପରିସରରେ ଆଜି ମଙ୍ଗଳବାର ଦିନ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ କଟକ ସଦର ବ୍ଲକ ସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହାକୁ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଉଦଘାଟନ କରିଥିଲେ ।

ଏହି ଉପଲକ୍ଷେ ଵିଡିଓ ପ୍ରତୀକ ସାହୁଙ୍କ ପୈ।ରୋହିତ୍ୟ ଓ ଅତିରିକ୍ତ ଵିଡିଓ ଗିରିଜା ପ୍ରସାଦ ବାରିକଙ୍କ ସଂଯୋଜନାରେ ଆୟୋଜିତ ସଭାରେ ବିଧାୟକଙ୍କ ସହିତ କଲେଜ ଅଧ୍ୟକ୍ଷା ଡ଼ଃ ସ୍ୱାତୀ ପଣ୍ଡା, ଵେଣ୍ଟକାର ମେଡିକାଲ ଡାକ୍ତର ଶୁଭାଶିଷ ଶତପଥୀ ପ୍ରମୁଖ ଯୋଗଦେଇ ଭିନ୍ନକ୍ଷମ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଆହ୍ବାନ ଦେଇଥିଲେ। ଶେଷରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ (ଵିଏସଏସଓ) ପ୍ରିୟଦର୍ଶିନୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ଶିବିର ପରିଚାଳନାରେ ବ୍ଲକ ର ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ସହାୟତା କରିଥିଲେ। ଶିବିରରେ ୨୩ ଗୋଟି ପଞ୍ଚାୟତର ୨୫୦ ଜଣ ଭିନ୍ନକ୍ଷମ ନାମ ପଞ୍ଜିକରଣ କରିଥିଲେ । ସେମାନଙ୍କୁ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର ପରୀକ୍ଷା ନିରୀକ୍ଷା କରିଥିଲେ। ସେମାନଙ୍କ ନିକଟକୁ ଦୁଇ/ତିନି ମାସ ମଧ୍ୟରେ କେତେ ପ୍ରତିଶତ ଭିନ୍ନକ୍ଷମର ପ୍ରମାଣପତ୍ର ଆସିବ ବୋଲି ଜଣାପଡିଛି। ସେହିପରି ଶିବିରରେ ଜଣଙ୍କୁ ହୁଇଲ ଚେୟାର,ଦୁଇ ଜଣଙ୍କୁ ଶ୍ରବଣ ଯନ୍ତ୍ର ଓ ସାତ ଜଣଙ୍କୁ ବସ୍ ପାସ୍ ପ୍ରଦାନ କରାଯାଇଥିଲା।
