ଜଟଣୀ ବ୍ଲକ ପଧାନସାହି ଗ୍ରାମ ପଞ୍ଚାୟତ କାର୍ୟ୍ୟାଳୟ ପରିସରରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ।

ଭୁବନେଶ୍ୱର,୧୦/୦୩/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଜନ ସାଧାରଣଙ୍କୁ ହାତ ପାଆନ୍ତାରେ ସେମାନଙ୍କର ବିଭିନ୍ନ ଆପତ୍ତି ଅଭିଯୋଗ ଓ ସମସ୍ୟା ଗୁଡ଼ିକୁ ସମାଧାନ କରି ସେମାନଙ୍କୁ ଉପଯୁକ୍ତ ନ୍ୟାୟ, ସେବା ଓ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଲକ୍ଷ୍ୟ ନେଇ ରାଜ୍ୟ ସ୍ତରରୁ, ଜିଲ୍ଲା,ବ୍ଲକ ଏବଂ ଗ୍ରାମ ପଞ୍ଚାୟତ ସ୍ତର ପର୍ୟ୍ୟନ୍ତ ଜନ ଅଭିଯୋଗ ଶୁଣାଣି ଶିବିର ଆୟୋଜନ କରାଯାଇ ଜନ ସାଧାରଣଙ୍କ ଆପତ୍ତି ଅଭିଯୋଗ ଗୁଡ଼ିକୁ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ସମାଧାନ କରାଯାଉଅଛି। ଜନ ଅଭିଯୋଗ ଶୁଣାଣି କାର୍ୟ୍ୟକ୍ରମ ଜନ ସାଧାରଣଙ୍କୁ ତ୍ୱରିତ ସେବା ପ୍ରଦାନ କରିବାରେ ଏକ ବଳିଷ୍ଠ ମାଧ୍ୟମ ଅଟେ ।

ଏହି କାର୍ୟ୍ୟକ୍ରମକୁ ତ୍ବରାନ୍ୱିତ କରି ସମସ୍ତ ଅଧିକାରୀ ନିଷ୍ଠା ଓ ଆନ୍ତରିକତା ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ସହୃଦୟତାରସହ ସମାଜର ତୃଣମୂଳ ସ୍ତରରୁ ଆସୁଥିବା ଅଭିଯୋଗ ଗୁଡ଼ିକୁ ସମାଧାନ କରିବାକୁ ଆଜି ପୂର୍ବାହ୍ନରେ ଜଟଣୀ ବ୍ଲକ ଅନ୍ତର୍ଗତ ପଧାନ ସାହି ଗ୍ରାମ ପଞ୍ଚାୟତ କାର୍ୟ୍ୟାଳୟ ପରିସରରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟେଟ ଶ୍ରୀ ଚଞ୍ଚଳ ରାଣା ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି। ମିଳିତ ଜନ ଅଭିଯୋଗ ପ୍ରକୋଷ୍ଠରୁ ପଠାଯାଉଥିବା ଅଭିଯୋଗ ଦରଖାସ୍ତ ଗୁଡ଼ିକ ଉପରେ ଅଗ୍ରାଧିକାର ଭିତ୍ତିରେ ପଦକ୍ଷେପ ଗ୍ରହଣ କରି ତୁରନ୍ତ ସମାଧାନ ସହ ଜିଲ୍ଲା ପ୍ରଶାସନକୁ ଜଣାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଆଜିର ଅଭିଯୋଗ ପ୍ରକୋଷ୍ଠରେ ସମୁଦାୟ୪୪ ଗୋଟି ଦରଖାସ୍ତ ଆସିଥିବା ବେଳେ ତନ୍ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ୧୩ ଓ ଗ୍ରାମ ସମସ୍ୟା ଜନିତ ୨୮ ଗୋଟି ଅଭିଯୋଗ ଥିଲା। ଅଭିଯୋଗ ପ୍ରକୋଷ୍ଠରେ ୨ ଗୋଟି ଅଭିଯୋଗ ର ତ୍ୱରିତ ଶୁଣାଣି କରି ସମାଧାନ କରାଯାଇଥିଲା ।

ଅଭିଯୋଗ ପ୍ରକୋଷ୍ଠରେ ଜିଲ୍ଲାପାଳ ଜଣେ ଅଭିଯୋଗକାରିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦଶ ହଜାର ଟଙ୍କା ଆର୍ଥିକ ସାହାଯ୍ୟ ପ୍ରଦାନ କରିଥିଲେ । ପରେ ଜିଲ୍ଲାପାଳ ପଂଚାୟତ କାର୍ୟ୍ୟାଳୟ ପରିସର ମଧ୍ୟରେ ନବନିର୍ମିତ ପଂଚାୟତ ଇ- ପାଠ।ଗାର ଓ ଜ୍ଞାନ କେନ୍ଦ୍ର ଏବଂ ପୁରୁଷ ଓ ମହିଳା ମାନଙ୍କ ନିମନ୍ତେ ନବ ନିର୍ମିତ ଶୌଚାଳୟ କୁ ଉଦଘାଟନ କରି ପଧାନସାହି ଗ୍ରାମ ପଂଚାୟତ ବାସୀଙ୍କୁ ଉତ୍ସର୍ଗ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ଲାଇବ୍ରେରୀରେ ୱାଇ ଫାଇ କନେକସନ କରିବା ଉପରେ ଏବଂ ବହୁଳ ମାତ୍ରାରେ ଯେଭଳି ସାଧାରଣ ଛାତ୍ରଛାତ୍ରୀ ଏବଂ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପ୍ରତିଯୋଗୀ ସମସ୍ତ ସୁବିଧା ସୁଯୋଗ ପାଇ ପାରିବେ ସେଥିପାଇଁ ବି ଡି ଓ ଙ୍କୁ ନିର୍ଦେଶ ଦେଇଥିଲେ ।

ଏଥି ସହ ଜିଲ୍ଲାପାଳ ସ୍ୱଚ୍ଛତା ଷ୍ଟଲ,ଅଜୈବିକ ଆବର୍ଜନା ପୃଥକିକରଣ, ବସୁଧା, ସମନ୍ୟୁତ ଶିଶୁ ବିକାଶ ଯୋଜନା, ଓଡିଶା ଜୀବିକା ମିଶନ, ପ୍ରାଣୀ ସମ୍ପଦ ବିକାଶ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ ) ଏବଂ ସି ଏମ. କିଶାନ ଷ୍ଟଲ ବୁଲିଦେଖି ଥିଲେ । ଜିଲ୍ଲା ପ୍ରଶାସନର ଆଜିର ଏହି ମିଳିତ ଅଭିଯୋଗ ଶୁଣାଣି ଶିବିରରେ , ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ,ଖୋର୍ଦ୍ଧା ଶ୍ରୀ ଜ୍ୟୋତି ଶଙ୍କର ସାହୁ,ଉପଜିଲାପାଳ, ଭୁବନେଶ୍ୱର ଡ଼.ମନୋରଞ୍ଜନ ସାହୁ, ଜଟଣୀ ପଂଚାୟତ ସମିତି ଅଧ୍ୟକ୍ଷା ଜୟନ୍ତୀ ଛୋଟରାୟ ,ବି ଡି ଓ,ଜଟଣୀ ରଶ୍ମିତା ନାଥ,ତହସିଲଦାର, ପ୍ରୀତିପର୍ଣ୍ଣା ମିଶ୍ର,ସହକାରୀ ଜିଲ୍ଲାପାଳ, ଅଭିଯୋଗ ଭୁବନେଶ୍ୱରୀ କଅଁର,ବିଭିନ୍ନ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ବରିଷ୍ଠ ଅଧିକାରୀ ଏବଂ ଯନ୍ତ୍ରୀ ମାନେ ଯୋଗଦେଇ ଥିଲେ ।

Leave a Reply

Your email address will not be published. Required fields are marked *