ପାଟକୁରା/ କେନ୍ଦ୍ରାପଡ଼ା / ଭୁବନେଶ୍ୱର,୧୩/୦୮/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ଜିଲ୍ଲାର ଚାନ୍ଦୋଳ, କୋରୁଆ-କଳାବୁଦା ଓ ମାର୍ଶାଘାଇ ଅଞ୍ଚଳରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ପାଇଁ ବିଜେପି ରାଜ୍ୟ ପ୍ରବକ୍ତା ଓ ସୋସିଆଲ ମିଡିଆ ମୁଖ୍ୟ ଉମାକାନ୍ତ ପଟ୍ଟନାୟକ ଦାବି କରିଛନ୍ତି । ଆଜି ଲୋକସେବା ଭବନ ଠାରେ ମାନନୀୟ ଗୃହ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ସାକ୍ଷାତ କରି ସେ ଦାବି ଉପସ୍ଥାପନା କରିଛନ୍ତି ।
ଯେଉଁସବୁ ସବୁ ଅଞ୍ଚଳରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ପାଇଁ ଦାବି ହୋଇଛି ସେସବୁ ଅଞ୍ଚଳରେ ବାଇଶି ହଜାରରୁ ଅଧିକ ଲୋକ ବସବାସ କରୁଥିବା ବେଳେ ଚାଷ,
ପନିପରିବା ଓ ଦୁଗ୍ଧ ଜାତୀୟ ଦ୍ରବ୍ୟ ଉତ୍ପାଦନ ଅଧିକ ହେଉଛି। ସେଠାରେ ମହାବିଦ୍ୟାଳୟ ଭଳି ଶିକ୍ଷାନୁଷ୍ଠାନ ମଧ୍ୟ ଅଛି। ମାର୍ଶାଘାଇ ବ୍ଲକ ସଦର ମହକୁମା ଅଟେ। ବର୍ତ୍ତମାନ ଉକ୍ତ ସବୁ ଅଞ୍ଚଳବାସୀ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି, ଯେପରିକି ଜଳ ନିଷ୍କାସନ ଓ ସ୍ୱେରେଜ ବ୍ୟବସ୍ଥା ଠିକ ନଥିବା ବେଳେ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ହୋଇପାରୁ ନାହିଁ।
ସେହିପରି ରାସ୍ତାରେ ଆଲୋକୀକରଣ ଓ ସୁଗମ ଗମନାଗମନ ବ୍ୟବସ୍ଥା ଠିକ ଭାବେ ନାହିଁ । ତେଣୁ ଏସବୁ ସମସ୍ୟାର ସମାଧାନ ସହ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଉକ୍ତ ଅଞ୍ଚଳରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନର ଆଵଶ୍ୟକତା ରହିଛି , ଯାହାକି ସେ ଅଞ୍ଚଳର ବିକାଶ ସହିତ ସେମାନଙ୍କ ଜୀବନଜୀବିକା ମାନଦଣ୍ଡ ବୃଦ୍ଧିରେ ସହାୟକ ହେବ ବୋଲି ସେ ଉଲ୍ଲେଖ କରିଛନ୍ତି। ମାନନୀୟ ମନ୍ତ୍ରୀ ଏହା ଗ୍ରହଣ କରି ଉପଯୁକ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
