ଭୁବନେଶ୍ୱର,୦୮/୦୮/୨୦୨୫ (ଓଡ଼ିଶା ସମାଚାର)- ଶୁକ୍ରବାର ଦିବା ୧୦ ଘଟିକା ସମୟରେ ଭୁବନେଶ୍ୱର ମହାନଗର ନିଗମର କଳ୍ପନା ବିଏମସି ଅଂଚଳର ଜେଡ଼ିସିଙ୍କ ସମେତ ଏକ ପ୍ଲାଟୁନ ପୋଲିସ୍ ଫୋର୍ସ, ବିଏମସି ସ୍କ୍ୱାର୍ଡ଼ ଏକ ଜେସିବିରେ ସଦଳବଳ ଆସି ମାର୍କେଟ ବିଲଡ଼ିଙ୍ଗ ପଛପଟରେ ଥିବା ପଟେଲ ବସ୍ତି ପାଖରେ ପହଂଚି ଉଠାଦୋକାନୀମାନଙ୍କୁ ହଟିଯିବା ପାଇଁ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରିଥିଲେ । ସେହି ସମୟରେ ବିଧାୟକ ଅନନ୍ତ ନାରାୟଣ ଜେନା, ୪୦ ନମ୍ବର କର୍ପୋରେଟର ସୋଫିଆ ମାଡ଼ମ ପହଂଚି ବିଏମସି ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ ।
ଅଧିକାରୀମାନେ କୌଣସି ଦୋକାନ ଭଙ୍ଗାଯିବ ନାହିଁ ଏବଂ ପଟେଲ ବସ୍ତିକୁ ଥଇଥାନ ନ କରିବା ପର୍ଯ୍ୟନ୍ତ ଉଚ୍ଛେଦ କରାଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ବିଧାୟକ ଶ୍ରୀ ଜେନା ଘଟଣାସ୍ଥଳରୁ ଚାଲିଯିବା ପରେ ବିଏମସିର ସ୍କ୍ୱାର୍ଡ଼ ଦଳ ବିଧାୟକଙ୍କ ନିର୍ଦ୍ଧେଶକୁ ନ ମାନି ଉଠାଦୋକାନ ଉଚ୍ଛେଦ ଆରମ୍ଭ କରିଥିଲେ । ସେହି ସମୟରେ ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘର ରାଜ୍ୟ ସଭାପତି ପ୍ରତାପ କୁମାର ସାହୁ, ଉପସଭାପତି ସୂର୍ଯ୍ୟମଣି ସାହୁ, ନିରଞ୍ଜନ ପାଣ୍ଡେ, ଦୀପକ କୁମାର ମହାପାତ୍ର, ହିମାଂଶୁ ବଳିୟାରସିଂ ହିମାଂଶୁ ସାହୁ, ମଞ୍ଜୁଲତା ନାୟକ ପ୍ରମୁଖ ପହଂଚି ଉଠାଦୋକାନୀଙ୍କୁ ଉଚ୍ଛେଦ ନ କରିବା ପାଇଁ ବିଏମସି ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । କିନ୍ତୁ ବିଏମସି ଅଧିକାରୀ କୌଣସି କଥା ନ ଶୁଣି ଉଚ୍ଛେଦ ଜାରି ରଖିବାରୁ ସେଠାରେ ଏକ ପ୍ରକାର ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଶହ ଶହ ଉଠାଦୋକାନୀ ଡ୍ରୋଜର ଆଗରେ ଛିଡ଼ା ହେବାରୁ ବିଏମସି ଉଚ୍ଛେଦକାରୀ ଦଳ ସେଠାରୁ ଛତ୍ର ଭଙ୍ଗ ଦେଇଥିଲେ ।
ଏଠାରେ ସୂଚନାଥାଉକି, ବିଏମସିର ଉପରିସ୍ଥ ଅଧିକାରୀମାନେ ଉଠାଦୋକାନ ଉଚ୍ଛେଦ କରାଯିବ ନାହିଁ, ସେମାନଙ୍କୁ ଥଇଥାନ କରାଯିବ, ପରିଚୟ ପତ୍ର ପ୍ରଦାନ କରାଯିବା ସହ ଉଠାଦୋକାନୀ ଆଇନ ଅନୁଯାୟୀ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିବା ସତ୍ୱେ ବିଏମସିର ଉଚ୍ଛେଦକାରୀ ଦଳ ଉପରିସ୍ଥ ଅଧିକାରୀଙ୍କ ପ୍ରତିଶ୍ରୁତିକୁ ଭ୍ରୁକ୍ଷେପ ନକରି ଉଠଦୋକାନ ଉଚ୍ଛେଦ କରିବା ଏକ ନିନ୍ଦନୀୟ ଘଟଣା । ଅନ୍ୟପକ୍ଷରେ ଡମଣାଠାରୁ ଶୈଳଶ୍ରୀ ବିହାର ପର୍ଯ୍ୟନ୍ତ ଫଳ ମାର୍କେଟ, ପରିବା ମାର୍କେଟ, ମାଛ ମାର୍କେଟ ଉଚ୍ଛେଦ ସମୟରେ ସେଠାରେ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ସୁରକ୍ଷା ଟ୍ରଷ୍ଟର ସମ୍ପାଦକ ଲଲାଟ କୁମାର ଓଝା ପହଂଚି ବିଏମସି ଅଧିକାରୀଙ୍କ ସହିତ ଆଲୋଚନା କରି ଗାଡ଼ି ଫେରାଇଥିଲେ ।
ମହାସଂଘର ସଭାପତି ପ୍ରତାପ କୁମା ସାହୁ କହିଛନ୍ତି, ଯଦି ଭୁବନେଶ୍ୱର ମହାନଗର ନିଗମ ଉଠାଦୋକାନ ଉଚ୍ଛେଦରୁ କ୍ଷାନ୍ତ ନ ରହନ୍ତି, ତେବେ ଆଗାମୀ ଦିନରେ ହାଜର ହଜାର ଉଠାଦୋକାନୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବେ । ଯଦି ସେହି ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ, ସେଥିପାଇଁ ବିଏମସି ର ଅଧିକାରୀମାନେ ଦାୟୀ ରହିବେ ବୋଲି ଶ୍ରୀଯୁକ୍ତ ସାହୁ ଚେତାବନୀ ଦେଇଛନ୍ତି ।
