କେନ୍ଦ୍ରାପଡ଼ା, ୦୮/୦୮/୨୦୨୫(ଓଡ଼ିଶା ସମାଚାର)- ଜିଲାପାଳଙ୍କ ନିର୍ଦେଶ କ୍ରମେ ଅବକାରୀ ବିଭାଗ ପକ୍ଷରୁ କେନ୍ଦ୍ରାପଡା ଜିଲାର ମହାକାଳପଡା ଓ ମାର୍ଶାଘାଇ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଚୋରାମଦ ଜବତ କରାଯିବା ସହିତ ୬ଜଣଙ୍କୁ ଗିରଫ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ସେହି ଅନୁଯାୟୀ ମାଲଦିହ ଗ୍ରାମର ଗଗନ ସ୍ୱାଇଁ(୬୦)ଙ୍କ ଠାରୁ ୪୫ଲିଟର ଚୋରା ଦେଶୀମଦ, ତୁଳସୀପୁର ଗ୍ରାମର ଖଗେଶ୍ୱର ସ୍ୱାଇଁ(୬୨)ଙ୍କ ଠାରୁ ୪୦ଲିଟର ଚୋରା ଦେଶୀମଦ,ନୁଆଗାଁ ଗ୍ରାମର ଦେବାଶିଷ ବେହେରା(୨୮)ଙ୍କ ଠାରୁ ୪୫ଲିଟର ଚୋରା ବିଦେଶୀମଦ, ତେରଗାଁ ଗ୍ରାମର ରଞ୍ଜନ ପରିଡା(୪୨)ଙ୍କ ଠାରୁ ୪୭ଲିଟର ଚୋରା ବିଦେଶୀ ମଦ, ସେହି ଗ୍ରାମର ପ୍ରକାଶ ଚନ୍ଦ୍ର ସାହାଣୀ(୭୦)ଙ୍କ ଠାରୁ ୧୮ଲିଟର ଚୋରା ଦେଶୀମଦ ଓ ବାଲିଶୁଆଁ ଗ୍ରାମର ବିଜ୍ଞାନ ଚୌଧୁରୀ(୩୬)ଙ୍କ ଠାରୁ ୪୧ଲିଟର ଚୋରା ଦେଶିମଦ ଜବତ କରାଯିବା ସହ ସମସ୍ତ ୬ଜଣ ଚୋରାମଦ ବେପାରୀଙ୍କୁ ଗିରଫ କରାଯାଇଛି ।
ସେମାନଙ୍କ ନିକଟରୁ ମୋଟ ୨୩୬ଲିଟର ଚୋରା ଦେଶି ଓ ବିଦେଶୀ ମଦ ସହିତ ଏକ ମୋଟର ସାଇକେଲ ଜବତ କରାଯାଇଛି । ଏଥିରେ ସଂପୃକ୍ତ ଥିବା ୬ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଅବକାରୀ ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳ ସୂଚନା ଦେଇଛନ୍ତି । ଆଗାମୀ ଦିନରେ ଏହି ଚଢାଉ ବ୍ୟାପକ ଭାବରେ ଜାରି ରହିବ ବୋଲି ଅବକାରୀ ନିରୀକ୍ଷକ ହିତାଂଶୁ ଶେଖର ମଲ୍ଲିକ କହିଛନ୍ତି । ଏହି ଚଢାଉରେ ଅବକାରୀ ନିରୀକ୍ଷକ ପଦ୍ମଲୋଚନ ନାୟକ, ଅବକାରୀ ଉପନିରୀକ୍ଷକ କଳ୍ପନା ରାଉତଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ ।
