ଜଗତସିଂହପୁର ୦୮/୦୩/୨୦୨୫ (ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜଗତସିଂହପୁର ଜିଲ୍ଲା ଅଦାଲତ, ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଶ୍ରୀନିବାସ ପ୍ରତିହାରୀ ଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକ ଅଦାଲତରେ ଶ୍ରୀ ଶ୍ରୀନିବାସ ପ୍ରତିହାରୀ ଙ୍କ ସହ ପରିବାର ଅଦାଲତ ଜଜ୍ ଶ୍ରୀ ଭଗବାନ ପ୍ରଧାନ, ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀ ହର ପ୍ରସାଦ ପଟ୍ଟନାୟକ, ସବ ଜଜ୍ ଶ୍ରୀ ରାକେଶ କୁମାର ମୁଦୁଲି, ପ୍ରାଧିକରଣର ସଚିବ ବି.ଡି.ଡି ଚନ୍ଦନା, ସବ ଜଜ୍ ଶର୍ମିଷ୍ଠା ଶୁଭଦର୍ଶିନୀ ମହାନ୍ତି, ଏସ୍.ଡି.ଜେ.ଏମ୍ ଶ୍ରୀ ନିରଞ୍ଜନ ଦାସ, ମୁନଶିଫ ଶ୍ରୀମତୀ ଅନନ୍ୟା ଦାସ, ଜେ.ଏମ୍.ଏଫ୍.ସି ସଦକ କାଟଜେ ପ୍ରମୁଖ ଯୋଗଦେଇ ମାମଲା ଗୁଡିକର ପରିଚାଳନା କରିଥିଲେ ।
ସେହିପରି କୁଜଙ୍ଗ, ତିର୍ତ୍ତୋଲ ଓ ଏରସମା ତାଲୁକ ଆଇନ ସେବା କମିଟି ପକ୍ଷରୁ ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀ ଦୀପ୍ତି ପ୍ରକାଶ ବ୍ରହ୍ମା, ସବ ଜଜ୍ ଶ୍ରୀମତୀ ଚିନ୍ମୟୀ ପଣ୍ଡା, ମୁନସିଫ ଶ୍ରୀ ବିଶ୍ଵଭୂଷଣ ନାୟକ, ରଘୁନାଥପୁର ଗ୍ରାମନ୍ୟାୟାଧିକାରିଣୀ ଶ୍ରୀମତୀ ତାନବି ରଥ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ରାଜେଶ ମିଶ୍ର, ପାରସ ପାଢୀ ଓ ଶ୍ରୀମତୀ ରୋଶ୍ନିବାଲା ସେନାପତି ଙ୍କ ଅଧ୍ୟକ୍ଷତାରେ କୁଜଙ୍ଗ, ତିର୍ତ୍ତୋଲ ଓ ଏରସମା ଅଦାଲତରେ ମଧ୍ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି ।
ଦୁର୍ଘଟଣା ଜନିତ ମୋକଦ୍ଦମାର ବିଚାର ପାଇଁ ଉଦିଷ୍ଟ ବେଞ୍ଚ ରେ ସ୍ଵେଛାସେବୀ ସୁଷମା ପ୍ରଧାନ, ଆଇନଜୀବୀ ଶ୍ରୀ ସନ୍ତୋଷ କୁମାର ଦାଶ ଏବଂ ବରିଷ୍ଠ ଆଇନଜୀବିମାନେ ସଭ୍ୟ ଭାବେ ମୋକଦ୍ଦମା ପରିଚାଳନା କରିଥିଲେ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରଧିନ ମକଦ୍ଦମା ଯଥା ଫୌଜଦାରି (ସାଲିସ୍ ଯୋଗ୍ୟ), ଚେକ ବାଉନ୍ସ ମାମଲା, ବ୍ୟାଙ୍କ ଋଣ ମାମଲା, ରାଜସ୍ଵ, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବୈବାହିକ ବିବାଦ ଓ ଅନ୍ୟାନ୍ୟ ଦିୱାନୀ ମୋକଦ୍ଦମା ସହିତ ଜିଲ୍ଲାରେ ଥିବା ବ୍ୟାଙ୍କ ମାମଲା ସମ୍ବନ୍ଧିୟ ପ୍ରାକ ମୋକଦ୍ଦମା ଆଦି ମଧ୍ୟ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ରେ ଫଇସଲା ହୋଇଛି ।
ଜିଲ୍ଲାରୁ ମୋଟ ୨୩୨୯ ମାମଲାରୁ ୧୫୦୨ ଟି ସଫଳତାର ସହ ଫଇସଲା ହେବା ସହିତ ୨ କୋଟି ୫୭ ଲକ୍ଷ ୧୬ ହଜାର ୧୭୨ ଟଙ୍କା ଆଦାୟ କରାଯାଇଛି । ସେହିପରି ବ୍ୟାଙ୍କ ଓ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ର ମାମଲା ସମ୍ବନ୍ଧିୟ ପ୍ରାକ ମୋକଦ୍ଦମାରେ ୪୩୮୩ଟି ମାମଳରୁ ୧୧୬ ଟି ସଫଳତାର ସହ ଫଇସଲା ହେବା ସହିତ ୧୧ ଲକ୍ଷ ୭୧ ହଜାର ୨୪୬ ଟଙ୍କା ଋଣ ଆଦାୟ କରାଯାଇଛି । ଜଗତସିଂହପୁର ଜିଲ୍ଲା ଅଦାଲତ ସମେତ କୁଜଙ୍ଗ, ତିର୍ତୋଲ, ରଘୁନାଥପୁର, ଏରସମା ଅଦାଳତ ଏବଂ ଜିଲ୍ଲାର ସମସ୍ତ ତହସିଲ କାର୍ଯ୍ୟାଳୟ ରେ ମଧ୍ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି ଏବଂ ମୋକଦ୍ଦମା ଗୁଡିକର ଫଇସଲା କରାଯାଇ ଜୋରିମାନା ଆଦାୟ କରାଯାଇଛି।
