ରାଉରକେଲା,୦୭/୦୮/୨୦୨୫ (ଓଡ଼ିଶା ସମାଚାର)- ରାଉରକେଲା ପ୍ଲାଣ୍ଟ ସାଇଟ ଥାନା ପୋଲିସକୁ ସଫଳତା । ରାଉରକେଲା ଗାନ୍ଧୀରୋଡ୍ ଅଞ୍ଚଳରୁ ଜଣେ ବନ୍ଧୁକ ବେପାରୀକୁ ପ୍ଲାଣ୍ଟସାଇଟ୍ ପୁଲିସ ଗିରଫ କରିଛି। ଅଭିଯୁକ୍ତ ବିହାର ମୁଙ୍ଗେର ଜିଲ୍ଲାର ମୂଳନିବାସୀ ତଥା ରେଲୱେ କଲୋନି ରିମ୍ଝିମ୍ ବସ୍ତିରେ ରହୁଥିବା ରାଜେଶ ସାହୁ(୨୫)। ଅଭିଯୁକ୍ତଠାରୁ ୧୦ଟି ଦେଶୀ ବନ୍ଧୁକ, ୬ଟି ଜୀବନ୍ତ ଗୁଳି ଓ ୨ଟି ଖାଲି ମାଗାଜିନ୍ ଜବତ ହୋଇଛି। ତାକୁ କୋର୍ଟ ଚାଲାଣ କରାଯାଇଛି। ଜବତ ପିସ୍ତଲ ୟୁଏସଏ ଓ ଚାଇନାରୁ ସପ୍ଲାଇ କରାଯାଏ ।
ଏନେଇ ରାଉରକେଲା ଏସ୍ପି ନୀତେଶ ୱାଧୱାନୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅତିରିକ୍ତ ଏସ୍ପି ରାଜକିଶୋର ମିଶ୍ର, ଏସ୍ଡିପିଓ ଅମରେନ୍ଦ୍ର ଷଣ୍ଢ ଓ ପ୍ଲାଣ୍ଟସାଇଟ୍ ଥାନା ଅଧିକାରୀ ଉପସ୍ଥିତ ଥିଲେ।
ଏସ୍ପି ଶ୍ରୀ ୱାଧୱାନୀ କହିଛନ୍ତି, ବେଆଇନ ବନ୍ଧୁକ ଚାଲାଣ ଉପରେ ସ୍ବତନ୍ତ୍ର ଡ୍ରାଇଭ୍ ଜାରି ରହିଛି। ଏହିକ୍ରମରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଅଭିଯୁକ୍ତ ସହ ସହରର ଅନେକ ଲୋକ ବେଆଇନ ବନ୍ଧୁକ କାରବାରରେ ସାମିଲ ଅଛନ୍ତି। ସେମାନଙ୍କୁ ଧରିବାକୁ ତନାଘନା ଜାରି ରହିଛି। ଅଭିଯୁକ୍ତ ବିହାର, ଝାଡ଼ଖଣ୍ଡ ଓ ଆଖପାଖ ଜିଲ୍ଲାରୁ ବନ୍ଧୁକ ଆଣି ସହରରେ ବେପାର କରୁଥିଲା। ଅଭିଯୁକ୍ତ ୮ରୁ ୧୮ ହଜାର ଟଙ୍କାରେ ବନ୍ଧୁକ ବିକ୍ରି କରୁଥିଲା । ବନ୍ଧୁକ ବେପାରରେ ବ୍ରେକ୍ ଲଗାଇବାକୁ ୨୦୨୪ ଅକ୍ଟୋବରରୁ ଏପର୍ଯ୍ୟନ୍ତ ୧୩ଟି ମାମଲାରେ ୫୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୨୭ଟି ବନ୍ଧୁକ ଜବତ କରାଯାଇଛି।
