କେନ୍ଦ୍ରାପଡ଼ା, ୮/୮/୨୦୨୪ (ଓଡ଼ିଶା ସମାଚାର)- ୫୩ନମ୍ବର ଜାତୀୟ ରାଜପଥର ଚାରିଲେନ ବିଶିଷ୍ଟ ରାସ୍ତା ନିର୍ମାଣ ପରେ ଛଗରିଆ ନିକଟରେ ଚାଷଜମିରୁ ଉଦବୃତ ଜଳ ନିଷ୍କାସନ ପାଇଁ ଥିବା ପଥକୁ ବନ୍ଦ କରି ଦିଆଯାଇଥିବାରୁ ବର୍ଷା ଦିନେ ପ୍ରାୟ ୨ଶହ ହେକ୍ଟର ଚାଷଜମି ପାଣିରେ ବୁଡି ରହୁଥିବାରୁ ସେହି ଜମିର ଫସଲ ନଷ୍ଟ ହୋଇଯାଉଛି । ଫଳରେ ସେହି ଅଂଚଳର ଚାଷୀମାନେ ବହୁ କ୍ଷତିର ସମ୍ମୁଖୀନ ହେଉଛନ୍ତି । ଏସମ୍ପର୍କରେ ଅଭିଯୋଗ ପାଇବା ପରେ ଜିଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ବୁଧବାର ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ସେଠାରେ ଉପସ୍ଥିତ କଳପଡା, ବଗଡା ପ୍ରଭୃତି ଅଂଚଳର ଚାଷୀମାନଙ୍କ ସହ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ଚାଷ ଜମି ସବୁ ପାଣିରେ ବୁଡି ରହିଥିବା ଦେଖିବାକୁ ପାଇଥିଲେ । ଜିଲାପାଳଙ୍କ ନିର୍ଦେଶରେ ସେଠାରେ ଉପସ୍ଥିତ ଥିବା ଜାତୀୟ ରାଜପଥ ବିଭାଗର ଅଧିକାରୀ, ଡ୍ରେନେଜ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ଇଂ ସିଦ୍ଧାର୍ଥଶେଖର, କେନ୍ଦ୍ରାପଡା ଜଳସେଚନ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ଇଂ ଉମେଶ ଚନ୍ଦ୍ର ସେଠୀ ପ୍ରମୁଖଙ୍କ ସହ ସମସ୍ୟାର ସମାଧାନ ସମ୍ପର୍କରେ ଆଲୋଚନା କରିବା ପରେ ଚାଷ ଜମିରୁ ତୁରନ୍ତ ଜଳ ନିଷ୍କାସନ ପାଇଁ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ଫଳରେ ସେଠାରୁ ଏସ୍କାଭେଟର ସାହାଯ୍ୟରେ ଜଳ ନିଷ୍କାସନ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ଜିଲାପାଳ ଜାତୀୟ ରାଜପଥର ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ ।