ଭିଜିଲାନ୍ସ ତଦନ୍ତ ପାଇଁ ଦାବି
ଭୁବନେଶ୍ୱର,୦୭/୦୮/୨୦୨୫ (ଓଡ଼ିଶା ସମାଚାର)- ରାଜ୍ୟର ସମସ୍ତ ମେଡ଼ିକଲ କଲେଜ, ହସ୍ପିଟାଲ ଏବଂ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କର ରକ୍ତ ପରୀକ୍ଷା ନିମନ୍ତେ ଆବଶ୍ୟକ ମେଡ଼ିକାଲ ଯନ୍ତ୍ରପାତି କ୍ରୟ ପାଇଁ ଓଡ଼ିଶା ଔଷଧ ନିଗମ ଦ୍ୱାରା ହେଉଥିବା ଟେଣ୍ଡର ଚୟନରେ ବ୍ୟାପକ ଅନିୟମିତତା ଓ ବେଆଇନ କାର୍ଯ୍ୟ ହେଉଛି ବୋଲି ଓଡ଼ିଶା ନାଗରିକ ସଂଗଠନର ସଭାପତି ସଚିକାନ୍ତ ପ୍ରଧାନ ଅଭିଯୋଗ କରିଛନ୍ତି । ତେଣୁ ଏହାର ଭିଜିଲାନ୍ସ ତଦନ୍ତ ପାଇଁ ଓଡ଼ିଶା ନାଗରିକ ସଂଗଠନ ତରଫରୁ ଦାବି କରାଯାଇଛି ।
୨୦୨୧-୨୨ ମସିହାରେ ରାଜ୍ୟର ୬ଟି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ରୋଗୀ ଚିକିତ୍ସା ପାଇଁ ରକ୍ତ ପରୀକ୍ଷା ନିମନ୍ତେ ଆବଶ୍ୟକ ବ୍ଲଡ଼ କଲଚର ମେସିନ୍ କିଣିବା ପାଇଁ ରାଜ୍ୟ ଔଷଧ ନିଗମ ଏକ ଟେଣ୍ଡର ଆହ୍ୱାନ କରିଥିଲେ ।
ଏହି ଟେଣ୍ଡର ଖୋଲିବା ପରେ ସିଙ୍ଗିଲ ବିଡ୍ ହେବା ଯାଗୁଁ ଔଷଧ ନିଗମ ଟେଣ୍ଡର ବାତିଲ୍ କରିଥିଲା । ଏହାପରେ ପୁନର୍ବାର ୨୦୨୨ ମସିହାରେ ଔଷଧ ନିଗମ ୮ଟି ମେଡ଼ିକାଲ କଲେଜ ଓ ହସ୍ପିଟାଲ ପାଇଁ ଏହି ରକ୍ତ ପରୀକ୍ଷା ମେସିନ୍ ବା ବ୍ଲଡ଼ କଲଚର ମେସିନ୍ କିଣିବା ପାଇଁ ପୁଣି ଟେଣ୍ଡର କରିଥିଲେ । ମାତ୍ର ଏହାକୁ ମଧ୍ୟ ସିଙ୍ଗିଲ ବିଡ୍ ଦର୍ଶାଇ ବାତିଲ୍ କରାଗଲା ।
ପରବର୍ତୀ ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ମେସିନ୍ କିଣିବାକୁ ହୋଇଥିବା ଟେଣ୍ଡରରେ ରାଜ୍ୟ ଔଷଧ ନିଗମ ଅଧିକାରୀମାନେ ଉଦ୍ଧେଶ୍ୟମୂଳକ ଭାବେ ଡ୍ରାଫ୍ଟ ଟେଣ୍ଡର ନୋଟିସ୍ ଜାରି କରି ପ୍ରି-ବିଡ୍ ମିଟିଂ ପରେ ବ୍ଲଡ଼ କଲଚର ମେସିନର ଟେକ୍ନିକାଲ ସ୍ପେଶିଫିକେସନରେ ଏକ ନୂଆ ପଏନ୍ଟ ସଂଯୁକ୍ତ କଲେ । ଯାହାଦ୍ୱାରା ଏକ ନିର୍ଦିଷ୍ଟ କମ୍ପାନୀକୁ ଛାଡ଼ି ଦେଲେ ପୂର୍ବରୁ ଏହି ଆଇଟମ ପାଇଁ ହୋଇଥିବା ଟେଣ୍ଡରରେ ଭାଗ ନେଇଥିବା ସଂସ୍ଥାମାନେ ଭାଗନେବା ବାଟ ବନ୍ଦ ହୋଇଗଲା ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରତ୍ୟେକ ଟେଣ୍ଡର ପ୍ରି-ବିଡ୍ ଟେଣ୍ଡର ଡାକିବାର ମୂଳ ଉଦ୍ଧେଶ୍ୟ ଥାଏ ଯେ, ଯଦି ଟେଣ୍ଡରର କୌଣସି କ୍ଲଜ ପାଇଁ କୌଣସି ସଂସ୍ଥା ଟେଣ୍ଡରରେ ଭାଗ ନେବାରେ ବାଧା ସୃଷ୍ଟି କରୁଛି ତେବେ ସେ କ୍ଲଜକୁ ବାଦ ଦେବାକୁ ଆଲୋଚନା ହୁଏ । ତେବେ ମିଟିଂରେ ପୂର୍ବ ଟେଣ୍ଡରରେ ଭାଗ ନେଇଥିବା ସଂସ୍ଥା ଏହି ନୂତନ ପଏନ୍ଟକୁ ବାଦ ଦେବାକୁ ଅନୁରୋଧ କରିଥିଲେ । କିନ୍ତୁ ଔଷଧ ନିଗମ ଏଥିପ୍ରତି କର୍ଣ୍ଣପାତ ନକରି ଏକ ନିର୍ଦ୍ଧିଷ୍ଟ ସଂସ୍ଥାଠାରୁ ମେସିନ୍ କିଣିବାକୁ ମସୁଧା କରି ଟେଣ୍ଡର ଡାକିଲେ ।
ତେବେ ଔଷଧ ନିଗମର ମନଇଚ୍ଛା ନୂଆ ପଏନ୍ଟ ସଂଯୋଗ ଫଳରେ ନିର୍ଦ୍ଧିଷ୍ଟ ଗୋଟିଏ ସଂସ୍ଥାକୁ ବାଦ ଦେଲେ ଅନ୍ୟ କୌଣସି କମ୍ପାନୀ ଟେଣ୍ଡରରେ ଭାଗ ନେଇପାରିଲେ ନାହିଁ ଯାହା ଆଇନ ବହିର୍ଭୁତ ଅଟେ । ଏହାଫଳରେ ଟେଣ୍ଡରଟି ପୁନର୍ବାର ସିଙ୍ଗିଲ ବିଡ୍ ହେଲା । ତେଣୁ ନିୟମ ଅନୁସାରେ ଏହାକୁ ବାତିଲ୍ କରିବା କଥା । ଏପରିକି ପୂର୍ବ ଦୁଇବର୍ଷ ଟେଣ୍ଡରକୁ ବି ଏହି ସମାନ ନିୟମ ଆଧାରରେ ବାତିଲ କରାଯାଇଥିଲା । ମାତ୍ର ଔଷଧ ନିଗମ ଟେଣ୍ଡର ବାତିଲ୍ କରିବା ପରିବର୍ତେ ଜରୁରୀକାଳୀନ ଭାବେ ବା ଅର୍ଜେଂଟ ରିକ୍ୱାରମେଂଟ ଦର୍ଶାଇ ଓଡ଼ିଶା ଜେନେରାଲ ଫାଇନାନ୍ସିସିଆଲ ରୁଲ୍ ର ଏକ ନିର୍ଦ୍ଧିଷ୍ଟ ଧାରାକୁ ଆଧାର କରି ଟେଣ୍ଡର ଚୟନ କରି ମେସିନ୍ କିଣିବା ପାଇଁ ନିଷ୍ପତି ନେଲେ ।
ତେବେ ଔଷଧ ନିିଗମର ଏହି ମନୋମୁଖୀ ଓ ବେଆଇନ କାର୍ଯ୍ୟକୁ ବିରୋଧ କରି ପୂର୍ବ ଟେଣ୍ଡରରେ ସବୁ ଯୋଗ୍ୟତା ଥାଇ ମଧ୍ୟ ସିଙ୍ଗିଲ ବିଡ ପାଇଁ ଟେଣ୍ଡରରେ ଚୟନ ହୋଇନଥିବା ସଂସ୍ଥା ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ କୋର୍ଟ ମଧ୍ୟ ଏହି କେସ୍ କୁ ବିଚାର ପାଇଁ ଗ୍ରହଣ କରି ରାଜ୍ୟ ଔଷଧ ନିଗମକୁ ନୋଟିସ୍ ଜାରି କରିଛନ୍ତି । ଏହା ସତ୍ୱେ ନିଗମ କର୍ତୃପକ୍ଷ କୋର୍ଟ ନୋଟିସ୍ ର ଜବାବ ନଦେଇ ତାଙ୍କ ପସନ୍ଦର ସଂସ୍ଥା ଠାରୁ ମେସିନ୍ କିଣିବା ପାଇଁ ପରଚେଜ୍ ଅର୍ଡର ଦେଇଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି ଯେ, ଔଷଧ ନିଗମ ଅଧିକାରୀମାନେ ମନୋମୁଖୀ ଏବଂ ଅନିୟମିତତା କରି ବେଆଇନ ଭାବେ କିଛି ସଂସ୍ଥା ଦ୍ୱାରା ଅନୁଗ୍ରହିତ ହୋଇ ଟେଣ୍ଡର କରୁଛନ୍ତି ବୋଲି ଶ୍ରୀ ସଚିକାନ୍ତ ପ୍ରଧାନ ଅଭିଯୋଗ କରିଛନ୍ତି ।
