କେନ୍ଦ୍ରାପଡ଼ା, ୦୩/୧୨/୨୦୨୫(ଓଡ଼ିଶା ସମାଚାର)- ଜିଲା ପ୍ରଶାସନ ଓ ଜିଲା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୁଲ୍ୟରେ ଜିଲାସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଜିଲା ସଂସ୍କୃତି ଭବନ ପରିସରରେ ପାଳିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ ନବକୃଷ୍ଣ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଜିଲାପାଳ ରଘୁରାମ ଆର. ଆୟର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ, କେନ୍ଦ୍ରାପଡା ନଗରପାଳ ସରିତା ସାହୁ, ଜିଲା ପରିଷଦ ମୂଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି, ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମନୋରଞ୍ଜନ ରାଉତ, ଜିଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକ, ଜିଲା ସମାଜ କଲ୍ୟାଣ ଅଧିକାରୀ ସୁଷମା ମହାନ୍ତି, ଜିଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ଜିଲା କ୍ରିଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଶ୍ରବଣ ବିଶେଷଜ୍ଞ ଚନ୍ଦନ ବେହେରା, ମୁଖ୍ୟବକ୍ତା ଭାବେ ଡ. ବିରଜା ରାଉତରାୟ ପ୍ରମୁଖ ଯୋଗଦେଇ ଦିବ୍ୟାଙ୍ଗମାନେ ସମାଜର ଗୋଟେ ଗୋଟେ ଅଙ୍ଗ, ଏମାନେ କାହାର ବୋଝ ନୁହଁନ୍ତି, ଦୟା ନୁହେଁ ସମସ୍ତ ସୁବିଧା ସୁଯୋଗ ପାଇବା ତାଙ୍କ ଅଧିକାର ଅଟେ ବୋଲି ଭାଷଣ ମାଧ୍ୟମରେ ପ୍ରକାଶ କରିଥିଲେ । ଭାବଗ୍ରାହୀ କଳାନିକେତନ ଓ ପୌରସଂସ୍ଥା ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ।
ଯୋଗଗୁରୁ ସଞ୍ଜୟ କୁମାର ମଥାନ ବେଦପାଠ କରିଥିଲେ । ସରକାରଙ୍କ ବିଭିନ୍ନ ଲୋକପ୍ରିୟ ଯୋଜନାର ସଫଳ ରୂପାୟନ ହେଲେ ଯାଇ ଦିବ୍ୟାଙ୍ଗମାନେ ସମାଜର ମୂଖ୍ୟସ୍ରୋତରେ ସାମିଲ ହୋଇ ପାରିବେ । ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେଉରା ସ୍ୱାଗତ ଭାଷଣ ପ୍ରଦାନ ସହ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଭିନ୍ନକ୍ଷମ ବିଦ୍ୟାଳୟର ଅଧ୍ୟକ୍ଷ ସ୍ୱପ୍ନାଂଶୁ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ସକାଳେ ତିନିମୁହାଣୀ ରାମ ମନ୍ଦିର ପରିସରରେ ୨୦୦ ଜଣ ଭିନ୍ନକ୍ଷମ ଓ ସାଧାରଣ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସଚେତନତା ରାଲୀ ସହର ପରିକ୍ରମା କରି ସଂସ୍କୃତି ଭବନରେ ପହଂଚିଥିଲା । ଏହାକୁ ଅତିରିକ୍ତ ଜିଲାପାଳ ନବକ୍ରିଷ୍ଣ ଜେନା ଆନୁଷ୍ଠାନିକ ଭାବେ ପତାକା ଦେଖାଇ ଶୁଭାରମ୍ଭ ସହ ପିଲାମାନଙ୍କ ସହ ପଦଯାତ୍ରା କରିଥିଲେ ।
ଉକ୍ତ ସଭାରେ କେନ୍ଦ୍ରପଡା ଜିଲାର ପ୍ରତ୍ୟେକ ବ୍ଲକରେ ସ୍ୱତନ୍ତ୍ର ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ଯୋଜନା ସମ୍ପର୍କରେ ମୁଖ୍ୟ ଅତିଥି ମତ ରଖିଥିବା ବେଳେ ସେହି ସ୍କୁଲ ଗୁଡିକରେ ସକ୍ଷମ ଶ୍ରେଣୀ ଗୃହ ତିଆରି ହେବ ଯେଉଁଥିରେ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନେ ସମସ୍ତ ଥେରାପିର ସୁବିଧା ସୁଯୋଗ ପାଇ ପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଭିନ୍ନକ୍ଷମ କଲ୍ୟାଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସର୍ବଶ୍ରୀ ଡ. ବିପିନ କୁମାର ଦାସ,ନୃସିଂହ ଚରଣ ବେହେରା,ଡ. ବିରଜା ରାଉତରାୟ, ଜୟ ପ୍ରକାଶ ସାହୁଙ୍କୁ ଉପଢୋକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲା ପୁନର୍ବାସ କେନ୍ଦ୍ର, କେନ୍ଦ୍ରାପଡା ପକ୍ଷରୁ ୨୧ ଜଣ ଭିନ୍ନକ୍ଷମଙ୍କୁ ସହାୟକ ଯନ୍ତ୍ର ପ୍ରଦାନ କରାଯାଇଥିଲା । ବିବାହ ପ୍ରୋତ୍ସାହନ ରାଶି ଟ ୨,୫୦,୦୦୦/- ଙ୍କା ଲେଖାଏଁ ତିନୋଟି ନବଦମ୍ପତିକୁ ପ୍ରଦାନ କରାଯାଇଥିଲା । ଏଥିସହ ସ୍ୱତନ୍ତ୍ର ବିଦ୍ୟାଳୟ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସର୍ବଶେଷରେ ସଦର ମହକୁମା ମଣ୍ଡଳ ସାମାଜିକ ସୁରକ୍ଷା ଅଧିକାରୀ ସୁଧାଶୁଂ କୁମାର ବେହୁରା ଧନ୍ୟବାଦ ଅର୍ପଣ କରିଥିଲେ ।
