ରାମକୃଷ୍ଣପୁର ରେ ସାର୍ବଜନୀନ ଗଣେଶ ମହୋତ୍ସବ ଓ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ

ମାହାଙ୍ଗା, ୧୬/୦୯/୨୦୨୬ (ଓଡିଶା ସମାଚାର/ ଅଭୟ ଜେନା ) ଯେଉଁ ମାଟିରେ ଆମର ଜନ୍ମ, ସେହି ମାଟିର ବାସ୍ନା , ସ୍ମୃତି ଓ ସଂସ୍କୃତିକୁ ପିଢ଼ି ପରେ ପିଢ଼ି ବଞ୍ଚାଇ ରଖିବା ହିଁ’ ଆମର ପ୍ରକୃତ ଦାୟିତ୍ୱ” ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତପୋଷଣ କରିଥିଲେ l

ଏହି ଭାବନାକୁ ନେଇ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଭେଡା ପଞ୍ଚାୟତ ଅନ୍ତର୍ଗତ ରାମକୃଷ୍ଣପୁର ଗ୍ରାମରେ ମହାଆଡମ୍ବର ଓ ଭକ୍ତିମୟ ପରିବେଶରେ ଶ୍ରୀ ଗଣେଶ ପୂଜା ଅନୁଷ୍ଠିତ ହୋଇଛି। ଏହି ସାର୍ବଜନୀନ ଗଣେଶ ପୂଜାକୁ କେବଳ ପୂଜାରେ ସୀମିତ ନରଖି ଗାଁ’ର ଏକତା,ଭାଇଚାରା,ସଂସ୍କୃତି ଓ ଐତିହ୍ୟକୁ ଉଜ୍ଜୀବିତ କରିବାର ଏକ ନିଆରା ପ୍ରୟାସ ଦେଖିବାକୁ ମିଳିଥିଲା ।

ପୂଜା ଅବସରରେ ଆୟୋଜିତ ହୋଇଥିଲା ମନୋରଞ୍ଜନଭରା ନାଚ ଗୀତର ଆସର। ସ୍ଥାନୀୟ ଅଞ୍ଚଳର ଶ୍ରଦ୍ଧାଳୁ, ଯୁବକ, ବୟୋଜ୍ୟେଷ୍ଠ ଓ ଶିଶୁମାନଙ୍କ ଉପସ୍ଥିତିରେ ପୂଜାମଣ୍ଡପ ଉତ୍ସବମୁଖର ହୋଇଉଠିଥିଲା। ଭକ୍ତି, ଭାଇଚାରା ଓ ସାଂସ୍କୃତିକ ଉତ୍ସାହର ଏହି ସମାଗମ ଗ୍ରାମବାସୀଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟି କରିଥିଲା।

ଏହି ଅବସରରେ ରାମକୃଷ୍ଣପୁର ଗ୍ରାମର ଇତିହାସ, ପରମ୍ପରା,କଳା , ସଂସ୍କୃତି, ବୟୋଜ୍ୟେଷ୍ଠଙ୍କ ଅନୁଭୂତି ଓ ଗାଁ’ର ମାଟି ପ୍ରତି ଭଲପାଇବାକୁ ନେଇ ପ୍ରସ୍ତୁତ ବାର୍ଷିକ ସ୍ମରଣିକା ‘‘ଆମ ମାଟିର ମହକ, ରାମକୃଷ୍ଣପୁର ଗଣେଶ ମହୋତ୍ସବ” ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଏହି ସ୍ମରଣିକାରେ ଗାଁ’ର ଅତୀତ ସ୍ମୃତିକୁ ଲିପିବଦ୍ଧ କରିବା ସହ ଆଗାମୀ ପିଢ଼ି ପାଇଁ ଏକ ମୂଲ୍ୟବାନ ସାଂସ୍କୃତିକ ଦଲିଲ ଭାବେ ପରିଗଣିତ ହେବ ବୋଲି ମତ ପ୍ରକାଶ ପାଇଥିଲା।

“ପୂଜା ଗୋଟିଏ ଦିନର ଉତ୍ସବ, କିନ୍ତୁ ମାଟିର ସ୍ମୃତି ଅମୂଲ୍ୟ ସମ୍ପଦ; ସେହି ସ୍ମୃତିକୁ ଅକ୍ଷରରେ ବାନ୍ଧି ରଖିବାର ଏହି ପ୍ରୟାସ ଆମ ଗାଁ’ର ଆଗାମୀ ପିଢ଼ି ପାଇଁ ଏକ ଅମୂଲ୍ୟ ଉପହାର।

ସମାଜସେବୀ ନିକୁଞ୍ଜ ବିହାରୀ ଗୋଛାୟତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ବରିଷ୍ଠ  ସାମ୍ବାଦିକ ସାହିତ୍ୟିକ ଭକ୍ତ ଚରଣ ସାହୁ ଉଦଘାଟନ କରିଥିଲେ । ମୁଖ୍ୟ ବକ୍ତା ଭାବେ ସାହିତ୍ୟିକ ଡକ୍ଟର ଅଖିଳେଶ ପଦ ମହାନ୍ତି ଯୋଗଦେଇ ପାର୍ବଣ ଆସିଲେ ଆମ ମା ମାଟିର ମହକ ଆମକୁ ବିଭୋର କରେ ବୋଲି କହିଥିଲେ।

ସମ୍ମାନିତ ଅତିଥି ଭାବେ ଜଟାଧାରୀ ଆଶ୍ରମ ପରିଚାଳନା କମିଟିର ମୁଖ୍ୟ ଅଶୋକ କୁମାର ସାମଲ, ସ୍ମରଣିକାର ସମ୍ପାଦକ ଅକ୍ଷୟ କୁମାର ଗୋଛାୟତ, ପୂଜା କମିଟି ସଭାପତି ସୁନାକାର ରାଉତ, ଉପସଭାପତି ଦୁର୍ଯ୍ୟୋଧନ ଗୋଛାୟତ, ସମ୍ପାଦକ ଅଶୋକ କୁମାର ରାଉତ ଓ ସହସମ୍ପାଦକ  ଭ୍ରମରବର ମହାନ୍ତି ପ୍ରମୁଖ ଯୋଗଦେଇଥିଲେ।

କାର୍ଯ୍ୟକ୍ରମ ଶେଷରେ ସୁକାନ୍ତ ଶେଖର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ। ଗଣେଶ ପୂଜା, ସାହିତ୍ୟ, ସଂସ୍କୃତି ଓ ଗାଁ’ର ସାମୂହିକ ସ୍ମୃତିକୁ ଏକ ସୂତ୍ରରେ ବାନ୍ଧି ରାମକୃଷ୍ଣପୁର ଗ୍ରାମ ଯେଉଁ ନିଆରା ପରମ୍ପରାର ଆରମ୍ଭ କରିଛି, ତାହା ଅନ୍ୟ ଗ୍ରାମ ପାଇଁ ମଧ୍ୟ ଏକ ଅନୁକରଣୀୟ ଉଦାହରଣ ବୋଲି ଉପସ୍ଥିତ ଅତିଥି ଓ ଗ୍ରାମବାସୀମାନେ ମତ ଦେଇଥିଲେ।

Leave a Reply

Your email address will not be published. Required fields are marked *