ପିସିସି ତଥ୍ୟ ଅନୁସନ୍ଧାନକାରୀ କମିଟି ଭେଟିଲା ଆରକ୍ଷୀ ଅଧୀକ୍ଷକଙ୍କୁ
କେନ୍ଦ୍ରାପଡ଼ା,୦୭/୦୮/୨୦୨୫(ଓଡ଼ିଶା ସମାଚାର)-ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡ଼ପଡା ପଂଚାୟତର କାଠିଆପଡା ଗ୍ରାମରେ ପ୍ରଦେଶ କଂଗ୍ରେସ କମିଟିର ତଥ୍ୟ ଅନୁସନ୍ଧାନକାରୀ କମିଟି ପହଂଚି ନିଆଁରେ ପୋଡି ମୃତ୍ୟୁବରଣ କରିଥିବା ଛାତ୍ରୀ ପି ଡି ସଂଗୀତାଙ୍କ ପରିବାରକୁ ଭେଟି ଏହି ସମବେଦନଶୀଳ ମାମଲାର ଅନୁଧ୍ୟାନ କରିଥିଲେ ।
ପି ସି ସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦେଶରେ ପି ସି ସି ଉପସଭାପତି ସସ୍ମିତା ବେହେରାଙ୍କ ନେତୃତ୍ୱରେ ଗଠିତ ତଥ୍ୟ ଅନୁସନ୍ଧାନକାରୀ ଦଳରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ସୋନାଲି ସାହୁ, ମନୀଷା ଦାଶ ପଟ୍ଟନାୟକ, ଜୟଶ୍ରୀ ପାତ୍ର, ମଧୁସ୍ମିତା ଆଚାର୍ଯ୍ୟ, ଅମ୍ରିତା ଦାସ ଓ ପି ସି ସି କୋଷାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଲୋକସଭା କଂଗ୍ରେସ ପ୍ରାର୍ଥୀ ଇଂ ସିଦ୍ଧାର୍ଥସ୍ୱରୁପ ଦାସ, ଜିଲା କଂଗ୍ରେସ ସଂଯୋଜକ ପ୍ରଫୁଲ୍ଲ କୁମାର ଦାସ, ପୂର୍ବତନ ଜିଲା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ, ପ୍ରଦୀପ ପ୍ରଧାନ, ଦିଲୀପ ପ୍ରଧାନ, ଆଶିଷ ଲେଙ୍କା ପ୍ରମୁଖ କାଠିଆପଡା ଗ୍ରାମରେ ପହଂଚି ମୃତା ଛାତ୍ରୀଙ୍କ ବାପା ଶଶିକାନ୍ତ ପରିଡାଙ୍କୁ ଭେଟି ଆଲୋଚନା କରିଥିଲେ ।
ଏଥିସହିତ ଚଳିତ ସରକାରରେ ମହିଳା ଓ ଛାତ୍ରୀମାନେ ସୁରକ୍ଷିତ ନୁହଁନ୍ତି, ପୋଲିସ ଓ ପ୍ରଶାସନର ଅବହେଳା ପାଇଁ ନିର୍ଯ୍ୟାତିତା ଛାତ୍ରୀଜଣକର ଅମୂଲ୍ୟ ଜୀବନ ଯାଇଛି ବୋଲି ଅଭିଯୋଗ କରି ଏହାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି । ତଥ୍ୟ ଅନୁସନ୍ଧାନକାରୀ କମିଟି ପଟ୍ଟାମୁଣ୍ଡାଇର ବଡପଡାରୁ ଫେରି ଜଜାଙ୍ଗସ୍ଥିତ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ପହଂଚି ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିବା ସହିତ ଏଥିରେ ସଂପୃକ୍ତ ଦୋଷୀଙ୍କ ବିରୁଦ୍ଧରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ।
