ଭାରତ ଯୋଡୋ ଅଭିଯାନର ରାଷ୍ଟ୍ରୀୟ ସମ୍ପାଦକ ହେଲେ ଡଃ ବିଶ୍ଵଜିତ୍

ଭୁବନେଶ୍ୱର, ୦୭/୦୮/୨୦୨୫ (ଓଡ଼ିଶା ସମାଚାର)- ଦେଶର ଗଣତନ୍ତ୍ର, ଧର୍ମନିରପେକ୍ଷତା ତଥା ସାମାଜିକ ନ୍ୟାୟ ପାଇଁ ନିରବଚ୍ଛିନ୍ନ ଅଭିଯାନରେ ଥିବା ଭାରତ ଯୋଡୋ ଅଭିଯାନର ବିହାରର ପାଟନା ଠାରେ ଅନୁଷ୍ଠିତ ତୃତୀୟ ରାଷ୍ଟ୍ରୀୟ ସମ୍ମିଳନୀରେ ବିଶିଷ୍ଟ ଗାନ୍ଧୀବାଦୀ ଡଃ ବିଶ୍ଵଜିତଙ୍କୁ ରାଷ୍ଟ୍ରୀୟ ସମ୍ପାଦକ ଭାବେ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି। ଏହି ଭାରତ ଯୋଡୋ ଅଭିଯାନରେ ବିଶିଷ୍ଟ ସମାଜ ବିଜ୍ଞାନୀ ଯୋଗେନ୍ଦ୍ର ଯାଦବ, ବିଜୟ ମହାଜନ, ଉଲକା ମହାଜନ, ବିଜୟ ପ୍ରତାପ, ପ୍ରଫେସର ଅଜିତ ଝା ପ୍ରମୁଖ ରାଷ୍ଟ୍ରୀୟ ସଂଯୋଜକ ରହିଛନ୍ତି।

ବିଭିନ୍ନ ଜନ ଆନ୍ଦୋଳନ ସମେତ କେନ୍ଦ୍ରୀୟ ଗାନ୍ଧୀ ସ୍ମାରକ ନିଧି, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ସର୍ଵସେବା ସଂଘ, ରାଷ୍ଟ୍ରୀୟ ଯୁବା ସଙ୍ଗଠନ ଭଳି ଦେଶର ପ୍ରମୁଖ ଗାନ୍ଧୀବାଦୀ ସଙ୍ଗଠନ ସହ ଜଡିତ ରହି ଡଃ ବିଶ୍ଵଜିତ୍ ଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଗାନ୍ଧୀ ବିଚାରକୁ ସମଗ୍ର ଦେଶ ତଥା ରାଜ୍ୟରେ ମଜବୁତ କରିବାରେ ପ୍ରମୁଖ ଭୂମିକା ନେଇଛନ୍ତି। ପାଟନାରେ ଅନୁଷ୍ଠିତ ରାଷ୍ଟ୍ରୀୟ ସମ୍ମିଳନୀରେ ସେ ଭାରତ ଯୋଡୋ ଅଭିଯାନର ରାଷ୍ଟ୍ରୀୟ ସମ୍ପାଦକ ହେବା ପରେ ସମଗ୍ର ଦେଶରେ ସମ୍ବିଧାନ ସୁରକ୍ଷା, ଜାତୀୟ ସଂହତି, ସଦଭାବନା ଓ ଅହିଂସାଭିତ୍ତିକ ଗଣତାନ୍ତ୍ରିକ ଆନ୍ଦୋଳନ ବଳଶାଳୀ ହେବ ବୋଲି ଆଶା ସଞ୍ଚାର ହୋଇଛି।

ଏହି ପରିପ୍ରେକ୍ଷୀରେ ବିଶିଷ୍ଟ ସର୍ବୋଦୟ ନେତ୍ରୀ ଶ୍ରୀମତୀ କୃଷ୍ଣା ମହାନ୍ତି, ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ସଭାପତି ଜଷ୍ଟିସ ମନୋରଞ୍ଜନ ମହାନ୍ତି, ଉତ୍କଳ ସର୍ବୋଦୟ ମଣ୍ଡଳ ସଭାପତି ମିହିର ପ୍ରତାପ ଦାସ, ବାଜିରାଉତ ଛାତ୍ରାବାସର ସଭାପତି ଅନ୍ତର୍ଯ୍ୟାମୀ ବରାଳ, ଉତ୍କଳ ସର୍ବୋଦୟ ମଣ୍ଡଳର ସମ୍ପାଦକ ଆର୍ଯ୍ୟଭଟ୍ଟ ମହାନ୍ତି, ଲୋହିଆ ଏକାଡେମୀର ସମ୍ପାଦକ ଦେବପ୍ରସାଦ ରାୟ, ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସମ୍ପାଦକ ଜୟନ୍ତ ଦାସ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ, ସ୍ୱାସ୍ଥ୍ୟ ଅଧିକାର ବିଶେଷଜ୍ଞ ଗୌରାଙ୍ଗ ମହାପାତ୍ର, ପରିବେଶବିତ୍ ଡ଼. ସୁଧୀର ରାଉତ, ବରିଷ୍ଠ ସାମ୍ବାଦିକ ବିଘ୍ନେଶ୍ୱର ସାହୁ, ସ୍ତମ୍ଭକାର ଅମୀୟ ପାଣ୍ଡବ, ସାମାଜିକ କର୍ମୀ ଅମିତାଭ ଜେନା, ରାଷ୍ଟ୍ରୀୟ ଯୁବା ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜନା ସମିତି ସଦସ୍ୟ ସୂର୍ଯ୍ୟ ନାରାୟଣ ନାଥ, ସାମ୍ୟବାଦୀ ନେତା ଜୟନ୍ତ ଦାସ, ରବି ମଲ୍ଲିକ, କବି ରଘୁନାଥ ସାହୁ ପ୍ରମୁଖ ଅଭିନନ୍ଦନ ଜଣାଇବା ସହ ଏକ ପ୍ରେସ ବିଜ୍ଞପ୍ତି ଯୋଗେ ଅଭିନନ୍ଦନ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *