ବିଦ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅର୍ଥ ଫେରସ୍ତ ଦେଉନଥିବା ଜିଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡ଼ା,୦୬/୦୮/୨୦୨୫(ଓଡ଼ିଶା ସମାଚାର)- ଦୁହୁରିଆସ୍ଥିତ ବିଦ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅର୍ଥ ଫେରସ୍ତ ଦେଉନଥିବା ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ଜିଲାର ଆଳି ବ୍ଲକ ଅନ୍ତର୍ଗତ ଦଶିପୁର ଗ୍ରାମର ବିପିନ ମଳିକ ଜିଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁଅ ବିଶ୍ୱଜିତ ମଳିକଙ୍କର ବିଦ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗତ ଜୁଲାଇମାସ ୪ତାରିଖରେ +୨ ବିଜ୍ଞାନ ପ୍ରଥମ ବର୍ଷରେ ଅଡମିଶନ ହୋଇଥିଲା ।

ଆଡମିସନ ବାବଦକୁ ବିଦ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୩୦ହଜାର ଟଙ୍କା ନେଇ ରସିଦ ଦେଇଥିଲେ । ବିପିନ ବିଶ୍ୱଜିତକୁ ବିଦ୍ୟାଳୟର ସାରଙ୍କ ଦାୟିତ୍ୱରେ ସେହିଦିନ ଛାଡି ଘରକୁ ଫେରିଯାଇଥିଲେ । କିନ୍ତୁ ୬ଦିନ ପରେ ତାଙ୍କ ପୁଅ ବିଶ୍ୱଜିତ ସେଠାରେ ରହିବାକୁ ଓ ପଢିବାକୁ ରାଜି ନହେବା ସମ୍ପର୍କରେ ଫୋନ ଯୋଗେ ବାପାଙ୍କୁ ଜଣାଇଥିଲେ । ଫଳରେ ତାଙ୍କ ବାପା ବିପିନ ବିଦ୍ୟାଳୟକୁ ଆସିଥିଲେ ।

ବିଦ୍ୟାଳୟ ପକ୍ଷରୁ ବିପିନଙ୍କୁ ତାଙ୍କ ପୁଅ ବିଶ୍ୱଜିତର ସାର୍ଟିଫିକେଟ ଫେରାଇ ଦିଆଯାଇଥିବା ବେଳେ ବିଦ୍ୟାଳୟ ଆଡମିସନ ବାବଦରେ ନେଇଥିବା ୩୦ହଜାର ଟଙ୍କା ତାଙ୍କୁ ଫେରସ୍ତ ଦେଇନଥିଲା । ଏନେଇ ବିପିନ ଜିଲାପାଳଙ୍କ ନିକଟରେ ଜନ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରିଥିଲେ । ବିଶ୍ୱଜିତର ଆଡମିଶନ ବାବଦକୁ ନିଆଯାଇଥିବା ଅର୍ଥ ତାଙ୍କ ବାପାଙ୍କୁ ତୁରନ୍ତ ଫେରାଇବାକୁ ସଂପୃକ୍ତ ବିଦ୍ୟାଳୟକୁ ଜିଲାପାଳ ନିର୍ଦେଶ ଦେଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *