ନୂଆପଡ଼ା ଜିଲ୍ଲା ଗସ୍ତରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ

ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପିଏମ୍-ଉଷା ଯୋଜନା ଅନ୍ତର୍ଗତ ପ୍ରକଳ୍ପର ଶିଳାନ୍ୟାସ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଦୀର୍ଘ ୪୭ ବର୍ଷପରେ ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଉପସ୍ଥିତିକୁ ନେଇ ଛାତ୍ରଛାତ୍ରୀ ଓ ଶିକ୍ଷକ ମହଲରେ ଦେଖିବାକୁ ମିଳିଛି ଉତ୍ସାହ

ଉଚ୍ଚଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ଆମର ଲକ୍ଷ୍ୟ : ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ

ନୂଆପଡ଼ା /ଭୁବନେଶ୍ୱର, ୨୫/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବା ହେଉଛି ଆମର ଲକ୍ଷ୍ୟ। ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ କରିବା ସହ ଛାତ୍ରଛାତ୍ରୀମାନେ ଯେପରି ଗୁଣାତ୍ମକ ଶିକ୍ଷା ଲାଭ କରିପାରିବେ ସେ ଦିଗରେ ବିଶେଷ ଧ୍ୟାନ ଦିଆଯାଉଛି। ଆଜି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପିଏମ୍-ଉଷା ଯୋଜନା ମାଧ୍ୟମରେ ୫ କୋଟି ଟଙ୍କା ବିନିମୟରେ ହେବାକୁ ଥିବା ପ୍ରକଳ୍ପର ଶିଳାନ୍ୟାସ ହୋଇଛି। ପିଏମ-ଉଷା ଯୋଜନା ଅଧୀନରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରକଳ୍ପ ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଆହୁରି ସୁଦୃଢ଼ କରିବା ସହ ଛାତ୍ରଛାତ୍ରୀମାନଙ୍କ ସ୍ୱର୍ଣ୍ଣିମ ଭବିଷ୍ୟତ ନିର୍ମାଣ କରିବା ଦିଗରେ ସହାୟକ ହେବ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ।

ମନ୍ତ୍ରୀ ଶ୍ରୀ ସୂରଜ ନିଜର ଦୁଇ ଦିନିଆ ଗସ୍ତରେ ନୂଆପଡ଼ା ଜିଲ୍ଲା ଯାଇଥିବା ବେଳେ ଆଜି ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ। ସେଠାରେ ପିଏମ୍-ଉଷା ଅନ୍ତର୍ଗତ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ବିଶ୍ୱବ୍ୟାଙ୍କ ସହାୟତାରେ ନିର୍ମିତ ଅଧ୍ୟୟନ କକ୍ଷ ଏବଂ ଅତିରିକ୍ତ ଶ୍ରେଣୀଗୃହ ଆଦିର ଉଦଘାଟନ କରିଥିଲେ।

ଆଜିର ପ୍ରକଳ୍ପ ଶିଳାନ୍ୟାସ ଉଦଘାଟନୀ ସମାରୋହ ଅବସରରେ ଦୀର୍ଘ ୪୭ବର୍ଷ ପରେ ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଉପସ୍ଥିତି ଦେଖି ମହାବିଦ୍ୟାଳୟ ପରିସର ଉତ୍ସବମୁଖର ହୋଇଉଠିଥିଲା। ମହାବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂରଜ ଏହି ଅବସରରେ ମହାବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ସହ କଲେଜର ସାମଗ୍ରିକ ବିକାଶ ସମ୍ବନ୍ଧରେ ଆଲୋଚନା କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଏକ ସ୍ୱର୍ଣ୍ଣିମ ଭବିଷ୍ୟତ ନିର୍ମାଣ କରିବା ପାଇଁ ପ୍ରେରିତ କରିଥିଲେ।

ଆଜିର କାର୍ଯ୍ୟକ୍ରମରେ ଖଡ଼ିଆଳ ବିଧାୟକ ଶ୍ରୀ ଅଧିରାଜ ପାଣିଗ୍ରାହୀ, ପୂର୍ବତନ ସାଂସଦ ଶ୍ରୀ ବସନ୍ତ କୁମାର ପଣ୍ଡା, ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ ପଣ୍ଡା ଓ ପରିଚାଳନା ସଭାପତି ଶ୍ରୀ ବିଶ୍ୱଜିତ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରକାଶଯୋଗ୍ୟ ଯେ, ମନ୍ତ୍ରୀ ଶ୍ରୀ ସୂରଜ ନିଜର ଏହି ଦୁଇ ଦିନିଆ ଗସ୍ତର ପ୍ରଥମ ଦିନରେ ଜନ ଅଭିଯୋଗ ଶୁଣାଣିରେ ଯୋଗ ଦେବା ସହ ସ୍ଥାନୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଯୋଗଦେଇ କ୍ରୀଡ଼ାବିତମାନଙ୍କର ଉତ୍ସାହ ବର୍ଦ୍ଧନ କରିଥିଲେ। ଏଥିସହ ଜିଲ୍ଲାର ଆୟୋଜିତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ଆଜି ସେ ଯୋଗଦେଇଥିଲେ।

-0-

ଅମ୍ଳାନ ଦାସ , ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *