ମାହାଙ୍ଗା,୦୧ /୦୨/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା ) – କଟକ ଜିଲ୍ଲା ମାହାଙ୍ଗା ବ୍ଲକ ମଉଦା ଗ୍ରାମରେ ଥିବା ଶ୍ରୀଶ୍ରୀ ଅନନ୍ତଗୋପାଳ ଆଶ୍ରମ (ଛୁଆବାବା ମଠ) ପରିସରରେ ନବନିର୍ମିତ ଅନନ୍ତଗୋପାଳଙ୍କ ମନ୍ଦିର ଓ ବିଗ୍ରହ ନ୍ୟାସ ଏବଂ ତ୍ରୈଦିନାତ୍ମକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏ ନେଇ ସୋମବାର ଅଙ୍କୁରାରୋପଣ, ହୋଇଥିବା ବେଳେ ମଙ୍ଗଳବାର ଏକ ବିଶାଳ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ପୂଣ୍ୟତୋୟା ବିରୁପା ନଦୀର ତ୍ରିବେଣୀଶ୍ବର ବାଲିପଡ଼ିଆ ଘାଟରୁ ୨୧୬ ଘଟ ଉତ୍ତୋଳନ କରାଯାଇ ଯଜ୍ଞ ମଣ୍ଡପରେ ସ୍ଥାପନା କରାଯାଇଥିଲା। ବୁଧବାର ଯଜ୍ଞାରମ୍ଭ, ସୂର୍ୟ୍ୟପୂଜା, ଗୋପୂଜା, ଅଗ୍ନିସ୍ଥାପନା କରାଯାଇଥିଲା। ଶୁକ୍ରବାର ଯଜ୍ଞ ଆହୁତି ପ୍ରଦାନ, ପ୍ରତିମା ନ୍ୟାସ, ପ୍ରାଣ ପ୍ରତିଷ୍ଠା, ମହାଧ୍ବଜ ଉତ୍ତୋଳନ, ନବଯୌବନ ଦର୍ଶନ ସହ ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା।
ଗୁରୁବାର ସିଦ୍ଧଗିରି ମଠର ବାବାଜୀ ବିଶ୍ବନାଥ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସାଧୁ ସମ୍ମିଳନୀରେ ବାବାଜୀ ପରମାନନ୍ଦ ଦାସ, ବାବାଜୀ ନୀଳାମ୍ବର ଦାସ, ବାବାଜୀ ଲକ୍ଷ୍ମୀଧର ଦାସ, ନିତ୍ୟାନନ୍ଦ ଦାସ, ଶ୍ରୀମନ୍ଦିର ମୁକ୍ତିମଣ୍ଡପର ପଣ୍ଡିତ ବିଚିତ୍ରାନନ୍ଦ ମିଶ୍ର, କଥା ବାଚକ ଦିବାକର ଦାସ ମହାରାଜ ବ୍ରହ୍ମଚାରୀ ରବିନ୍ଦ୍ର ଘଡେଇ, ନେମାଳ ପଦ୍ମବନ ପୀଠ ମହନ୍ତ ଗଗନାନନ୍ଦ ଦାସ ଗୋସ୍ବାମୀ, ଓଳାଶୁଣୀ ପୀଠ ମହନ୍ତ ଡ. ନାମାନନ୍ଦ ଦାସ ଗୋସ୍ବାମୀ, ନରହରି ଦାସ, ସକଳାନନ୍ଦ ଦାସ, ଧ୍ୟାନକୁଦ ମଠର ମହନ୍ତ ଅରକ୍ଷିତ ଦାସ, ବୃନ୍ଦାବନ ଦାସ, ନିମାନନ୍ଦ ଦାସ, ଗଙ୍ଗାଧର ଦାସ, ରାସେଶ୍ବରୀ ମାଆ, ପଣ୍ଡିତ ଗୌତମ ମହାରଣା ପ୍ରମୁଖ ଯୋଗଦେଇ ହିନ୍ଦୁ ଧର୍ମର ସୁରକ୍ଷା ଗୋମାତା ରକ୍ଷା ସଂପର୍କରେ ଦିବ୍ୟବାଣୀ ପ୍ରଦାନ କରିଥିଲେ। ଅନନ୍ତଗୋପାଳ ଆଶ୍ରମର ଛୁଆବାବା କମଳାକାନ୍ତ ଦାସ ମହାରାଜଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ବିଶ୍ବଶାନ୍ତି ମହାଯଜ୍ଞକୁ ପଣ୍ଡିତ ବିଜୟ କୁମାର ଶତପଥି, ତପନ କୁମାର ଦାଶ, ବିଚିତ୍ର କୁମାର ଶତପଥି, କଳ୍ପତରୁ ମିଶ୍ର, ବିମଳ କୁମାର ଶତପଥି, ଅଜିତ କୁମାର ପଣ୍ଡା, ପ୍ରକାଶ ଚନ୍ଦ୍ର ମିଶ୍ର, ଦାଶରଥି ଦାଶ ପ୍ରମୁଖ ପରିଚାଳନା କରିଥିଲେ। ବିଭିନ୍ନ ଦିବସରେ କୁନି ପ୍ରବଚକ କେଶବ ଦାସ ଦ୍ୱିତୀକୃଷ୍ଣ ଓ ଶ୍ରୀଶ୍ରୀ ଅମୃତାନନ୍ଦ ମହାରାଜ ପ୍ରବଚନ ପ୍ରଦାନ କରିଥିଲେ। ଶେଷ ଦିନ ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ସୁବାସ ଦାସ, ଶୈଳଭାମା ମହାପାତ୍ର, ସାନୁ ମଲ୍ଲିକ ପ୍ରମୁଖ ଭଜନ ପରିବେଷଣ କରିଥିଲ। ଏହି ବିଶ୍ବଶାନ୍ତି ମହାଯଜ୍ଞରେ ଲକ୍ଷାଧିକ ଶ୍ରଦ୍ଧାଳୁ ଯୋଗଦେଇ ପ୍ରଭୁଙ୍କ ଆଶୀର୍ବାଦ ଲାଭ କରିବା ସହ ଦିବ୍ୟବାଣୀ ଶ୍ରବଣ ଓ ପ୍ରସାଦ ସେବନ କରିଥିଲେ।