କେନ୍ଦ୍ରାପଡ଼ା,୦୬/୦୮/୨୦୨୫(ଓଡ଼ିଶା ସମାଚାର)-ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି କେନ୍ଦ୍ରାପଡ଼ା ସ୍ୱତନ୍ତ୍ର ପୋକସୋ କୋର୍ଟ ବିଚାରପତି ଆସାମୀ ଆନନ୍ଦ ନାୟକଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାସହ ୫୦ ହଜାର ଟଙ୍କାର ଜୋରିମାନା ଦଣ୍ଡାଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଆସାମୀ ଅଧିକ ଏକ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହେବେ ବୋଲି ଜଜ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ଏହି ମାମଲାରେ ପୀଡ଼ିତାଙ୍କୁ ୬ ଲକ୍ଷ ଟଙ୍କାର କ୍ଷତିପୁରଣ ପ୍ରଦାନ କରିବା ପାଇଁ ଜିଲା ଆଇନ୍ ସେବା ପ୍ରାଧିକରଣଙ୍କୁ ଜଜ ନିର୍ଦ୍ଧେଶ ଦେଇଛନ୍ତି ।
ମାମଲାର ବିବରଣୀରୁ ପ୍ରକାଶ କେନ୍ଦ୍ରାପଡା ସଦର ଥାନା ଅଂଚଳର ଜଣେ ୧୩ ବର୍ଷର ନାବାଳିକା ଗତ ୨୦୨୪ମସିହା ନଭେମ୍ବର ମାସ ୫ତାରିଖ ଦିନ ୧୦ଟାରେ ସ୍କୁଲକୁ ଯାଇ ଆଉ ଘରକୁ ଫେରିନଥିଲେ । ନାବାଳିକାର ପିତା ସ୍କୁଲକୁ ଫୋନ କରି ବୁଝିଲେ ଯେ ସେଦିନ ନାବାଳିକା ସ୍କୁଲକୁ ଯାଇନାହାନ୍ତି । ଏସମ୍ପର୍କରେ ତୁରନ୍ତ ସେ କେନ୍ଦ୍ରାପଡା ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସେହି ଅଭିଯୋଗକୁ ଭିତିକରି ଥାନା କେଶ ନମ୍ବର -୬୦୮/୨୦୨୪ରେ ସଦର ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଉଭୟଙ୍କ ମୋଇବାଇଲ ଫୋନକୁ ଟ୍ରାକ କରି ପୁଲିସ ନଭେମ୍ବର ୨୭ତାରିଖରେ ପିଡିତାକୁ ଆନନ୍ଦପୁର ବସଷ୍ଟାଣ୍ଡରୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଆନନ୍ଦ ନାୟକକୁ ମଧ୍ୟ ଗିରଫ କରିଥିଲା ।
ପିଡିତାଙ୍କର ଜମାନବନ୍ଦୀ ଜଣେ ମହିଳା ପୁଲିସ ଅଧିକାରୀଙ୍କ ଦ୍ୱାରା ରେକର୍ଡ କରାଯାଇଥିଲା । ପରେ ଉଭୟ ପିଡିତା ଓ ଅଭିଯୁକ୍ତଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା । ପରେ ନାବାଳିକାକୁ କେନ୍ଦ୍ରାପଡା ଶିଶୁ ମଙ୍ଗଳ ସମିତି ପାଖରେ ହାଜର କରିବା ପରେ ସମିତି ତାକୁ ସୁରକ୍ଷା ଗୃହକୁ ପଠାଇ ଦେଇଥିଲା । ଡାକ୍ତରୀ ପରୀକ୍ଷାରୁ ଜଣାପଡିଲା ଯେ ନାବାଳିକା ଗର୍ଭବତୀ ଅଛି । ଏହାପରେ ଅଭିଯୁକ୍ତକୁ ଗିରଫ କରି ପୁଲିସ କୋର୍ଟଚାଲାଣ କରିଥିଲା । ଏହି ମାମଲାରେ ତଦନ୍ତକାରୀ ଅଧିକାରୀ ୨୦୨୫ ମସିହା ଜାନୁଆରୀ ୨୩ ତାରିଖରେ ଅଭିଯୋଗଫର୍ଦ୍ଧ ଦାଖଲ କରିଥିଲେ । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ସ୍ୱତନ୍ତ୍ର ପୋକସୋ କୋର୍ଟ ଜଜ ପ୍ରଜ୍ଞା ପରମିତା ରାଉଳ ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି । ଏଥିରେ ୧୧ ଜଣ ସାକ୍ଷୀ ସାକ୍ଷ୍ୟ ପ୍ରଦାନ କରିଥିଲେ ।
