ତା’ଠାରୁ ପୁଲିସ ଗୋଟିଏ ଦେଶୀ ବନ୍ଧୁକ, ୩ ଗୁଳି, ୨୧ ହଜାର ଟଙ୍କା ଜବତ କରିଛି।
ବ୍ରହ୍ମପୁର,୦୨/୦୮/୨୦୨୫(ଓଡ଼ିଶା ସମାଚାର)-ଆଜି ଭୋର ସମୟରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନିଲ ନାହାକ ଓରଫ ମଲ୍ଲକୁ ଏନକାଉଣ୍ଟର କରାଯାଇଛି । ନିମଖଣ୍ଡି ଥାନା ଲୁଟ୍ ଘଟଣା ସମେତ ୨ ଟି ହତ୍ୟାକାଣ୍ଡ, ଡକାୟତି, ଚୋରି, ଛିନତାଇ ସହ ୨୦ଟି ସଙ୍ଗୀନ ମାମଲାରେ ସମ୍ପୃକ୍ତ ରହି ସୁନିଲ ଫେରାର ଥିଲା । । ବ୍ରହ୍ମପୁର ଏସପିଙ୍କ ନିର୍ଦ୍ଦେଶରେ ଗୋଳନ୍ଥରା ଥାନା ଅଧିକାରୀ ବିବେକନନ୍ଦ ସ୍ୱାଇଁ ଓ ତାଙ୍କ ଟିମ ଦୁର୍ଦ୍ଦାନ୍ତ ଅପରାଧୀ ସୁନିଲକୁ ଧରିବା ପାଇଁ ପିତାତଳି – ଚିକିଟି ରୋଡ଼ରେ ଆଜି ଭୋରରୁ ଚଢ଼ାଉ କରିଥିଲେ ।
ଚଢ଼ାଉ ବେଳେ ସୁନିଲ ପୁଲିସ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିଥିଲା । କିନ୍ତୁ ସୁନିଲ ର ଗୁଳି ୨ ଟି ପୁଲିସ ଗାଡ଼ିରେ ବାଜିଥିଲା । ଏଥିରେ ପୁଲିସ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି । ଏହାର ପାଲଟା ଜବାବରେ ପୁଲିସ ଗୁଳି ସୁନିଲ ର ବାମ ଗୋଡ଼ରେ ବାଜିବାରୁ ସେ ଆହତ ହୋଇଥିଲା । ଆହତ ଅବସ୍ଥାରେ ସୁନିଲ କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି। ସେଠାରେ ତାର ଚିକିତ୍ସା ଜାରି ରହିଛି। ତା’ଠାରୁ ପୁଲିସ ଗୋଟିଏ ଦେଶୀ ବନ୍ଧୁକ, ୩ ଗୁଳି, ୨୧ ହଜାର ଟଙ୍କା ଜବତ କରିଛି।
ବ୍ରହ୍ମପୁର ସହରରେ ଅପରାଧକୁ ରୋକିବା ପାଇଁ ଏବେ ପୋଲିସ ଆକ୍ସନ ମୋଡ୍ରେ । ପୁଲିସକୁ ଏନକାଉଣ୍ଟର ପାଇଁ ଅନୁମତି ମିଳିଯାଇଛି । ତେଣୁ ଅପରାଧୀମାନେ ଯଦି ସାବଡ଼ ନ ହୁଅନ୍ତି, ତେବେ ସେମାନଙ୍କୁ ମଧ୍ୟ ଏଭଳି ଏନକାଉଣ୍ଟର କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନ ବ୍ରହ୍ମପୁର ପୁଲିସ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଏକ ତାଲିକା ପ୍ରସ୍ତୁତ କରିଥିବା ଜଣାପଡିଛି ।
