ଭୁବନେଶ୍ୱର,୦୧/୦୮/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ମହାନଦୀ ବଂଚାଅ ଆନ୍ଦୋଳନ ପକ୍ଷରୁ ଶୁକ୍ରବାର ଜଳ ବିବାଦର ଆପୋଷ ସମାଧାନ ସଂକ୍ରାନ୍ତରେ ଏକ ଗୋଲ ଟେବୁଲ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟର ସମସ୍ତ ରାଜନୈତିକ ଦଳ ତଥା ବିଭିନ୍ନ ସାମାଜିକ ସଂଗଠନ ଓ ବିଶେଷଜ୍ଞମାନେ ଯୋଗ ଦେଇଥିଲେ ।
ଛତିଶଗଡ ସହିତ ମହାନଦୀ ଜଳ ବିବାଦର ଆପୋସ ସମାଧାନର ପ୍ରସ୍ତାବକୁ ସମସ୍ତେ ସ୍ୱାଗତ କରିଥିଲେ ଏବଂ ବାସ୍ତବରେ ଯଦି ସରକାର ଏହାର ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ଚାହାନ୍ତି, ତେବେ ତୁରନ୍ତ ରାଜ୍ୟର ସମସ୍ତ ରାଜନୈତିକ ଦଳ, ନଦୀ ଆନ୍ଦୋଳନର କର୍ମକର୍ତା, ନଦୀ ବିଶେଷଜ୍ଞ, ବୁଦ୍ଧିଜୀବୀ ମାନଙ୍କୁ ନେଇ ଏକ ବୈଠକ ଡାକିବାକୁ ପ୍ରସ୍ତାବ ଦିଆଯାଇଛି । ଏହି ବୈଠକର ସହମତି ଭିତିିରେ ଛତିଗଡ ସହିତ ଆପୋଷ ଆଲୋଚନା କରାଯିବା ଉଚିତ ହେବ ବୋଲି କୁହାଯାଇଛି । ଆପୋଷ ଆଲୋଚନା ପାଇଁ ଛତିଶଗଡ ପାଖରେ ଏକ ସର୍ତ ରହିବା ନିହାତି ଦରକାର ।
ତାହା ହେଲା ଅଣ ମୌସୁମୀ ସମୟରେ ମହାନଦୀରେ ୨.୭୪ ଏମ ସି ଏମ ପାଣି ଓଡ଼ିଶାକୁ ଛାଡ଼ିବା ଦରକାର । ମହାନଦୀର ସୁରକ୍ଷା ଏବଂ ଏହାର ଅବବାହିକାର ସୁରକ୍ଷା ପାଇଁ ସମ୍ବିଧାନର ଧାରା ୧୬୫ ଅନୁଯାୟୀ ମହାନଦୀ ରୀଭର ବୋର୍ଡ ଗଠନ ପାଇଁ ମଧ୍ୟ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆ ଯାଇଛି । ଜଳ ବିବାଦର ଆପୋଷ ସମାଧାନ ପାଇଁ ଏକ ବୈଷୟିକ ରିପୋର୍ଟ ପ୍ରସ୍ତୁତ କରି ରାଜ୍ୟ, କେନ୍ଦ୍ର ତଥା କେନ୍ଦ୍ରୀୟ ଜଳ ଆୟୋଗକୁ ପ୍ରଦାନ କରାଯିବାର ନିଷ୍ପତି ହୋଇଛି ।
ଏଥି ପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯାଇଛି । ମହାନଦୀର ସୁରକ୍ଷା ପାଇଁ ବ୍ୟାପକ ଜନ ଆନ୍ଦୋଳନ ଗଢ଼ି ତୋଳିବା ପାଇଁ ନିଷ୍ପତି ମଧ୍ୟ ଏହି ଆଲୋଚନା ସଭାରେ ନିଆ ଯାଇଛି । ଛତିଶଗଡରେ ଜଳ ବିବାଦର ଆପୋଷ ସମାଧାନ ପାଇଁ ସାମାଜିକ ସଂଗଠନ, ନଦୀ ଆନ୍ଦୋଳନର କର୍ମୀ, ବିଶେଷଜ୍ଞମାନଙ୍କ ସହିତ ବୈଠକ ଆୟୋଜନ କରିବାର ନିଷ୍ପତି ନିଆଯାଇଛି । ଓଡ଼ିଶାରେ ମହାନଦୀ ପ୍ରବେଶ କରିଥିବା ସ୍ଥାନ ସୁଖାସୋଡ଼ ପାଖରୁ ପାରାଦୀପ ପର୍ଯ୍ୟନ୍ତ ନଦୀ ଯାତ୍ରା ମଧ୍ୟ ଆୟୋଜନ କରାଯିବାର ନିଷ୍ପତି ହୋଇଛି ।
