କେନ୍ଦ୍ରାପଡ଼ା,୨୬/୦୪/୨୦୨୫(ଓଡ଼ିଶା ସମାଚାର)- ଦୁଇ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତୁ୍ୟ ହୋଇଯାଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ମୃତବ୍ୟକ୍ତି ଜଣଙ୍କ ହେଲେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଦୁତିଆଳ ଗ୍ରାମର ଶାରଦା ପ୍ରସନ୍ନ ରାଉତ(୬୦) । ଶାରଦା ଏବେ ପାରାଦୀପ ଟ୍ରକ ମାଲିକ ସଂଘର ସଦସ୍ୟ ଅଛନ୍ତି ।
ସେହିପରି ଗୁରୁତର ଦ୍ୱୟ ହେଲେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ନରଣପୁର ଗ୍ରାମର ସରସ୍ୱତୀ ସେଠୀ(୭୦) ଓ ତାଙ୍କ ପୁଅ ଶ୍ରୀକାନ୍ତ ସେଠୀ(୫୧) । ସୂଚନା ଅନୁଯାୟୀ କେନ୍ଦ୍ରାପଡାରୁ ଏକ କାର ଯୋଗେ ଶାରଦା କଟକ ଅଭିମୁଖେ ଯାଉଥିଲେ । ବିପରୀତ ଦିଗରୁ ଅନ୍ୟ ଏକ କାରରେ ସରସ୍ୱତୀ ସେଠୀ ଓ ତାଙ୍କ ପୁଅ ଶ୍ରୀକାନ୍ତ କେନ୍ଦ୍ରାପଡାକୁ ଆସୁଥିଲେ । ସାଲେପୁର ନିକଟସ୍ଥ ନାଳିଆମୁହଁ ନିକଟରେ ଉଭୟ କାର ମୁହାଁମୁହିଁ ଧକ୍କା ହୋଇଥିଲା ।
ଉଭୟ ଗାଡିରେ ଥିବା ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ଡାକ୍ତର ଶାରଦାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଦୁଇଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡିବାରୁ ସେମାନଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।