ଅଗଷ୍ଟ ୧ ରୁ ‘ଆସ ଯିବା ଅଙ୍ଗନବାଡି ଅଭିଯାନ’

ସିଡିପିଓମାନଙ୍କ ଦକ୍ଷତା ହିଁ ଆମର ଶକ୍ତି: ପ୍ରଭାତୀ ପରିଡ଼ା

ଭୁବନେଶ୍ୱର,୩୧/୦୭/୨୦୨୫ (ଓଡ଼ିଶା ସମାଚାର)-ତୃଣମୂଳସ୍ତରରେ ସିଡିପିଓମାନଙ୍କ ଦକ୍ଷତା ହିଁ ଆମର ଶକ୍ତି  । ବିକଶିତ ଓଡ଼ିଶା ୨୦୩୬ରେ ଓଡ଼ିଶାକୁ ଏକ ଅପପୁଷ୍ଟି ମୁକ୍ତ ରାଜ୍ୟରେ ପରିଗଣିତ କରିବା ହେଉଛି ଆମର ଲକ୍ଷ୍ୟ  । ଏହି ଲକ୍ଷ୍ୟ ପୂରଣ ଦିଗରେ ଶିଶୁ ପ୍ରକଳ୍ପ ଅଧିକାରୀମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମତବ୍ୟକ୍ତ କରିଛନ୍ତି  ।

ବୁଧବାର ଲୋକସେବା ଭବନ ସମ୍ମେଳନ କକ୍ଷରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ)ମାନଙ୍କ ନିମନ୍ତେ ଏକଦିବସୀୟ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି  । ଏହି କାର୍ଯ୍ୟକ୍ରମର ଉଦଘାଟନ ଅବସରରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀମାନଙ୍କୁ ସୁଭଦ୍ରା ସଫଳତାର ଶ୍ରେୟ ଦେବା ସହ ରାଜ୍ୟରେ ମହିଳା ନେତୃତ୍ୱାଧୀନ ବିକାଶକୁ ତ୍ୱରାନିତ କରିବାକୁ ସେମାନଙ୍କୁ ନିର୍ଦ୍ଧେଶ ଦେଇଛନ୍ତି  ।

ଅଙ୍ଗନବାଡିର ଭିତିଭୂମିକୁ ସୁଦୃଢ କରିବା ସହ ନିର୍ମାଣ କାର୍ଯ୍ୟକୁ ତଦାରଖ କରିବା ପାଇଁ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଇନଫ୍ରା ଆପ- “ୱସମ”(ଅଙ୍ଗନବାଡି ୱେଲଫେୟର ଆଣ୍ଡ ସର୍ଭିସ ଓଭରସାଇଟ ମନିଟରିଙ୍ଗ ଏଭରିହୋୟାର) କୁ ଲୋକାର୍ପଣ କରିଛନ୍ତି  । ଅଙ୍ଗନବାଡି ପରିସରରେ ସ୍ୱଚ୍ଛତା ଓ ପରିଷ୍କାର ପରିଚ୍ଛନ୍ନତାକୁ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି  । ଆସନ୍ତା ବିଶ୍ୱ ସ୍ତନ୍ୟପାନ ସପ୍ତାହ ଅଗଷ୍ଟ ୧ ରୁ ୭ ତାରିଖରୁ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା “ଆସ ଯିବା ଅଙ୍ଗନବାଡି” ଅଭିଯାନ ଆରମ୍ଭ କରିଛନ୍ତି  ।

ଏହି ଅଭିଯାନରେ ରାଜ୍ୟବାସୀମାନେ ଅଙ୍ଗନବାଡି କେନ୍ଦ୍ରକୁ ପରିଦର୍ଶନ କରି ଅଙ୍ଗନବାଡିର ଭିତିଭୂମି, ସ୍ୱଚ୍ଛତା ଓ କାର୍ଯ୍ୟଶୈଳୀ ଉପରେ ନିଜର ମତାମତ ରଖିବେ । ସେହି ମତାମତକୁ ଦୃଷ୍ଟିରେ ରଖି ଅଙ୍ଗନବାଡିର କାର୍ଯ୍ୟାନ୍ୱୟନ ନିର୍ଦ୍ଧାରିତ କରାଯିବ ବୋଲି ଶ୍ରୀମତୀ ପରିଡା ଦୃଢ ମତ ରଖିଛନ୍ତି  । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ବିଭାଗୀୟ ନିର୍ଦ୍ଧେଶିକା ମୋନିଷା ବାନାର୍ଜୀ ଓ ବିଭାଗୀୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

ସମସ୍ତ ଜିଲ୍ଲାରୁ ଆସିଥିବା ୪୦୦ରୁ ଅଧିକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଓ ପ୍ରକଳ୍ପ ଅଧିକାରୀ, ଜିଲା ସମାଜ କଲ୍ୟାଣ ଅଧିକାରୀବୃନ୍ଦ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଉପସ୍ଥିତ ରହି ସିଡିିପିଓମାନଙ୍କୁ ଜନକେନ୍ଦ୍ରିକ ଆଭିମୁଖ୍ୟ ନେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ଭିଜନ ଓଡ଼ିଶା ଦସ୍ତାବିଜରେ ମହିଳା ଓ ଶିଶୁମାନଙ୍କ ପୋଷଣ, ସ୍ୱାସ୍ଥ୍ୟ ଓ ଶିଶୁମାନଙ୍କ ପ୍ରାରମ୍ଭିକ ଶିକ୍ଷାର ଏକ ପ୍ରମୁଖ ଭୂମିକା ରହିଛି ବୋଲି ସେ ମତ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *