ଭୁବନେଶ୍ୱର,୩୧/୦୭/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ରାଜ୍ୟରେ ଥିବା ପୁରାତନ ମନ୍ଦିର ଗୁଡିକର ଶୃଙ୍ଖଳିତ ରୀତିନୀତି ଓ ପରିଚାଳନା ନେଇ ସର୍ବୋତମ ନୀତି ଆସିବ । ଏଥି ସହିତ ମନ୍ଦିରର ଉନ୍ନତିକରଣ ଓ ସଂରକ୍ଷଣକୁ ମଧ୍ୟ ଗୁରୁତ୍ୱ ଦିଆଯିବ ଓ ଏଥିଲାଗି ଅନ୍ୟ ରାଜ୍ୟ ଯଥା ଉତରପ୍ରଦେଶ, ଉତରାଖଣ୍ଡ, ଆନ୍ଧ୍ର୍ରଦେଶ ଏବଂ ତାମିଲନାଡୁ ଭଳି ପ୍ରମୁଖ ରାଜ୍ୟ ଗୁଡିକରେ ମନ୍ଦିର ପରିଚାଳନାକୁ ଅନୁଧ୍ୟାନ କରାଯାଇ ଓଡିଶା ଲାଗି ସର୍ବୋତମ ନୀତି ପ୍ରଣୟନ କରାଯିବ ବୋଲି ଆଇନ, ପୂର୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି ।

ବୁଧବାର ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅଧ୍ୟକ୍ଷତା କରି କହିଲେଯେ ସାଧାରଣ ଲୋକଙ୍କ ଲାଗି ଆବଶ୍ୟକ ସମସ୍ତ ତଥ୍ୟ ଉପଲବ୍ଧ ହେବା ଭଳି ଦେବୋତ୍ତର କମିଶନରଙ୍କ ୱେବ୍ ସାଇଟର ଆଧୁନିକୀକରଣ, ଦେବୋତ୍ତର ତଥା ବ୍ୟକ୍ତିଗତ ମାଲିକାନାରେ ଥିବା ମନ୍ଦିର ଗୁଡିକର ସଠିକ ନୀତିକାନ୍ତି, ପର୍ବପର୍ବାଣୀ ଆୟୋଜନ, ମନ୍ଦିର ପରିଚାଳନା ପାଇଁ ସ୍ୱତନ୍ତ୍ର ଅନୁଦାନ, ସତ୍ଵଲିପି ଅନୁଯାଇ ସେବାପୂଜା ଅଧିକାର, ଟ୍ରଷ୍ଟ ବୋର୍ଡର ଦାୟିତ୍ୱ ଓ କର୍ତ୍ତବ୍ୟ, OHRE Act ୧୯୫୧ ର ପ୍ରାବଧାନ ଅନୁସାରେ ହିନ୍ଦୁ ଧାର୍ମିକ ଅନୁଷ୍ଠାନ ଗୁଡିକର ସୁପରିଚାଳନା, ଦେବୋତ୍ତର ନିରୀକ୍ଷକଙ୍କ ଦାୟିତ୍ୱ ଏବଂ ସରକାରୀ କାର୍ୟ୍ୟକୁ ତ୍ୱରିତ ଢଙ୍ଗରେ ଆଗେଇ ନେବା ପାଇଁ ନୂତନ ନିଯୁକ୍ତି ନେଇ ବୈଠକରେ ଆଲୋଚନା ହୋଇଥିଲା ।
ଦେବୋତର ବିଭାଗର ଅଧିକାରୀମାନେ ବିଭିନ୍ନ ଅଂଚଳ ଗସ୍ତକରି ରାଜ୍ୟରେ ଥିବା ପୁରାତନ ମନ୍ଦିର ସ୍ଥିତି ସମ୍ପର୍କରେ ତଥ୍ୟ ହାସଲ କରିବାକୁ ପଡିବ ଓ ଯାହାକୁ ଆଧାର କରି ମନ୍ଦିରର ଶୃଙ୍ଖଳିତ ରୀତି ନୀତି ସହ ଖରାପ ଅବସ୍ଥାରେ ଥିବା ମନ୍ଦିର ଗୁଡିକର ମରାମତି ଓ ସଂରକ୍ଷଣ ସମ୍ଭବ ହୋଇ ପାରିବ ।
ସୁଶାସନ,ପାରଦର୍ଶିତା ଏବଂ ଡିଜିଟାଲ ଉନ୍ନତି ପାଇଁ ଗୁରୁତ୍ଵ ଦେଇ ସମସ୍ତ କାର୍ୟ୍ୟକୁ ସମୟବଦ୍ଧତାର ସହ ସମ୍ପାଦନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ନିର୍ଦ୍ଦେଶ ଦେଇଛନ୍ତି।
ସବୁ ଧାର୍ମିକ ଅନୁଷ୍ଠାନ ଉନ୍ନତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହାକୁ କାର୍ୟ୍ୟକାରୀ କରିବା ପାଇଁ ସମସ୍ତଙ୍କୁ ଏକାଠି ହୋଇ କାର୍ୟ୍ୟ କରିବାକୁ ପଡିବ ବୋଲି ବିଭାଗୀୟ ଅଧକାରୀ ମାନଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଏହି ବୈଠକରେ ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ମାନସ ରଞ୍ଜନ ବାରିକ, ଦେବୋତ୍ତର କମିଶନର ଶ୍ରୀ ଲଲାଟେନ୍ଦୁ ଜେନା, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ପ୍ରଣବ କୁମାର ପାତ୍ର, ଅତିରିକ୍ତ ଶାସନ ସଚିବ ଶ୍ରୀ ଶିବ ପ୍ରସାଦ ମହାପାତ୍ର ଓ ଶ୍ରୀ ଭଗବାନ ପ୍ରସାଦ ସାହୁଙ୍କ ସମେତ ଦେବୋତ୍ତର ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।
