ଅମରେଶ ଜେନା ଗିରଫ , ବିଜେଡି ରୁ ବି ନିଲମ୍ବିତ

ଭୁବନେଶ୍ୱର,୨୭/୦୭/୨୦୨୫ (ଓଡ଼ିଶା ସମାଚାର)-ନାବାଳିକା ଦୁଷ୍କର୍ମ ମାମଲାରେ ବିଜେଡି କର୍ପୋରେଟର ଅମରେଶ ଜେନା ଗିରଫ । ତାଙ୍କୁ ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରୁ ଗିରଫ କରାଯାଇଥିବାର ସୂଚନା । ଆଜି ପୂର୍ବାହ୍ନ ୧୧ଟା ସମୟରେ ନୀଳଗିରି ବ୍ଲକ ବରହମପୁର ଥାନା ଅଧୀନ କଳାକାଦ ଗାଁରୁ ଅମରେଶ ଙ୍କୁ ଗିରଫ କରାଯାଇଛି। କମିଶନରେଟ ପୁଲିସଙ୍କ ସମେତ ବରହମପୁର ଥାନା ଆଇଆଇସି ପ୍ରେମଦା ନାୟକ ସାଦା ପୋଷାକରେ ଆସି କଳାକାଦ ଗାଁର ନିରୋଦ ମହାନ୍ତିଙ୍କ ଘରୁ ଫେରାର କର୍ପୋରେଟରଙ୍କୁ ଗିରଫ କରିଥିବା ସୂଚନା ।

ଶନିବାର ତାଙ୍କୁ ଫେରାର ହେବା‌ରେ ସାହାଯ୍ୟ କରିଥିବା ୫ ସହଯୋଗୀଙ୍କୁ ଲକ୍ଷ୍ମୀସାଗର ଥାନା ପୁଲିସ ଗିରଫ କରିଥିଲା। ଅଭିଯୁକ୍ତମାନେ ‌ବଡ଼ଗଡ଼ ଗୌତମନଗରର ବିବେକ କୁମାର ସ୍ବାଇଁ(୨୯ ବର୍ଷ), ସନ୍ତୋଷୀବିହାର ଅଞ୍ଚଳର ବିକ୍ରମ ମହାନ୍ତି(୪୨ ବର୍ଷ), ଚିନ୍ତାମଣିଶ୍ୱର ଅଞ୍ଚଳର ଦେବେନ୍ଦ୍ର ଭୋଳ(୪୫ ବର୍ଷ) ଓ ସୁମନ କୁମାର ସାହୁ(୨୭ ବର୍ଷ) ଏବଂ ଲକ୍ଷ୍ମୀସାଗର ଶବରସାହିର ରାଜୀବ ଚମ୍ପତ୍ତି(୪୫ ବର୍ଷ)। ସେ  ଗିରଫ ହେବା ପରେ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବିଜେଡି ସଭାପତିଙ୍କ ନିର୍ଦ୍ଦେଶରେ ତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିବା ନେଇ ସୂଚନା ଜାରି ହୋଇଛି ।

ସୂଚନା ମୁତାବକ, ଗତ ଗୁରୁବାର ଲକ୍ଷ୍ମୀସାଗର ଥାନାରେ ଜଣେ ଯୁବତୀ ଅମରେଶ ଜେନା ଓରଫ ବାୟାଁଙ୍କ ନାମରେ ଦୁଷ୍କର୍ମ ଅଭି‌ଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ତାଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି କରିଥିଲା। କିନ୍ତୁ ଅଭିଯୁକ୍ତ ଅମ‌ରେଶ ଜେନା ଫେରାର ହୋଇଯାଇଥିଲେ। ପୁଲିସ ତାଙ୍କ ମୋବାଇଲ ଟ୍ରାକିଂ କରିବା ସହିତ ସେ କେଉଁଠାରେ ଅଛନ୍ତି ତାହାର ତଦନ୍ତ ଆରମ୍ଭ କରିଥିଲା।

ତାଙ୍କ ମୋବାଇଲ ଟ୍ରାକିଂ ବେଳେ କିଛି ସହଯୋଗୀଙ୍କ ସହିତ କଥା ହୋଇଥିବା ପୁଲିସ ଜାଣିବାକୁ ପାଇଥିଲା। ସେମାନଙ୍କୁ ଥାନାକୁ ଆଣି ପୁଲିସ ପଚରାଉଚରା କରିଥିଲା। ସେମାନେ ତାଙ୍କୁ ‌ଫେରାର ହେବାରେ ସହଯୋଗ କରିଥିବା ସ୍ବୀକାର କରିଥିଲେ। ପରେ ‌ସେମାନଙ୍କୁ ଗିରଫ କରି ପୁଲିସ କୋର୍ଟଚାଲାଣ କରିଥିଲା।

Leave a Reply

Your email address will not be published. Required fields are marked *