କଟକ ସଦର, ୨୭/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସହରର ଭିଡ଼କୁ କମାଇବା ପାଇଁ କଟକ ଓଏମପି ଛକରୁ ଚାଉଳିଆଗଞ୍ଜ, ନୂଆ ଵଜାର ଦେଇ କନ୍ଦରପୁର ପର୍ଯ୍ୟନ୍ତ ୬୪୦ କୋଟି ଵ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏଲିଭେଟେଡ୍ କରିଡ଼ର ର ଡିଟେଲ୍ଡ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର) ପ୍ରସ୍ତୁତ ସରିଥିବା କଟକ ସାଂସଦ ଭର୍ତୃହରି ମହତାବ ପ୍ରକାଶ କରିଛନ୍ତି।
କେବଳ ମଞ୍ଜୁରୀ ମିଳିଲେ ଆସନ୍ତା ତିନିମାସ ମଧ୍ୟରେ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡିଛି।ଏ ସମ୍ପର୍କରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରି ଙ୍କୁ ଭେଟି ସାଂସଦ ଭର୍ତୃହରି ବିସ୍ତୃତ ଆଲୋଚନା କରିଥିବା ଖଵର ଗତ ୨୪ ତାରିଖରେ ‘ଓଡିଶା ସମାଚାର’ ପ୍ରକାଶ ପାଇଥିଵା ବେଳେ ଆଜିର ଖଵର କରିଡ଼ର ହେବା ନେଇ ଆଶା ସଂଚାର ହୋଇଛି।
ଏହି କରିଡ଼ର ଦେଇ କଟକ ଓଏମପି ଛକରୁ ଗାଡି ମଟର ସିଧାସଳଖ କନ୍ଦରପୁର ଦେଇ ପାରାଦୀପ ଯିବା ପାଇଁ ସହଜ ହେବ ବୋଲି ଜଣାପଡିଛି। ଏହି ପ୍ରକଳ୍ପ କଟକ ସହରର ଯାତାୟାତ ବ୍ୟବସ୍ଥାକୁ ସୁଗମ କରିବା ସହ ଟ୍ରାଫିକ ଜାମ୍ ର ସମସ୍ୟା ହ୍ରାସ କରିବ। ଏହା ସହରର ଅର୍ଥନୈତିକ ବିକାଶରେ ମଧ୍ୟ ସହାୟକ ହେବ ବୋଲି ଆଶା କରାଯାଉଛି।
