ମାହାଙ୍ଗା, ୧୧/୦୪/୨୦୨୬ (ଓଡିଶା ସମାଚାର/ ଅଭୟ ଜେନା )-ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ପାଇଁ ଆମକୁ ସଂଗଠିତ ହେବାକୁ ପଡିବ । ଯେଉଁ ମହାମନୀଷୀ ମାନଙ୍କ ତ୍ୟାଗ ଓ ସାଧନା ଯୋଗୁଁ ଆମେ ଏକ ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ ପାଇଛେ, ସେହି ଅମୃତ ପୁରୁଷଙ୍କ ପ୍ରତି କୃତଜ୍ଞ ରହିବାକୁ ଡକ୍ଟର ଭାବଗ୍ରାହୀ ରାଉତଙ୍କ ଜୟନ୍ତୀ ଉତ୍ସବରେ ଯୋଗଦେଇଥିବା ବିଶିଷ୍ଟ ବ୍ୟକ୍ତିମାନେ ମତପୋଷଣ କରିଥିଲେ । କଟକ ସାହିତ୍ୟ ସଂସଦ ପକ୍ଷରୁ “ନୀଳଚକ୍ର” କାର୍ଯ୍ୟାଳୟରେ ଆୟୋଜିତ ଏହି ଉତ୍ସବରେ ଅନୁଷ୍ଠାନର ସଭାପତି ନମିତା ପଣ୍ଡା ଅଧ୍ୟକ୍ଷତା କରିଥିଲେ ।
ଏହି ସାରସ୍ୱତ ଉତ୍ସବକୁ ବିଶିଷ୍ଟ ଶିଶୁ ସାହିତ୍ୟିକ ଡକ୍ଟର ମହେଶ୍ୱର ମହାନ୍ତି ଉଦଘାଟନ କରିଥିଲେ । ହଜାର ବର୍ଷର ଐତିହାସିକ କଟକ ସହରର ଗାରିମା ତଥା ବହୁ ବରପୁତ୍ର ମାନେ କଟକ ସହରରେ ଅତୀତରେ ଅବସ୍ଥାନ କରି ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ଓଡ଼ିଆ ଭାଷା ଭିତ୍ତିକ ପ୍ରଦେଶ ଗଠନ ଭାରତର ସ୍ବାଧୀନତା ପ୍ରାପ୍ତି ପାଇଁ କାର୍ଯ୍ୟକରି ଅମର ହୋଇଛନ୍ତି ବୋଲି ମୁଖ୍ୟ ଅଥିତି ଭାବେ ଡ଼ଃ ମହେଶ୍ବର ମହାନ୍ତି ମତବ୍ୟକ୍ତ କରିଥିଲେ । କେବଳ ଜନ୍ମଦିନ ପାଳନକଲେ ହେବନାହିଁ । ଓଡ଼ିଶାର ବରପୁତ୍ର ମାନଙ୍କ ସମ୍ପର୍କରେ ନୂଆ ପିଢୀକୁ ଅନେକ ଅନାଲୋଚିତ ତଥ୍ୟ ପ୍ରଦାନ ପାଇଁ ଏଭଳି ଉତ୍ସବ ଗୁରୁତ୍ୱପୂର୍ଣ୍ଣ ବୋଲି ସଭାରେ ବିଶିଷ୍ଟ ଅତିଥି ଭାବରେ ଯୋଗଦେଇଥିବା ସାହିତ୍ୟ ସମାଲୋଚକ ଡ଼ଃ ବୈଷ୍ଣବ ଚରଣ ସାମଲ କହିଥିଲେ । ଡକ୍ଟର ସାମଲ ନବଜାଗରଣରେ ଉତ୍କଳର ବରପୁତ୍ର ମାନଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିବା ସହ ଭାବଗ୍ରାହୀ ରାଉତଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସାହିତ୍ୟିକ ଅଖିଳେଶ ପଦ ମହାନ୍ତି, ସମ୍ପାଦକ ଗଣେଶ୍ଵର ସ୍ବାଇଁ,ପ୍ରଫୁଲ୍ଲ କୁମାର ସାହୁ,ବବିତା ଦାସ ମହାପାତ୍ର,ଅରୁଣ କୁମାର ଅଗ୍ରୱାଲ,ନମିତା ମହାନ୍ତି, ଆକାଶ ନାୟକ,ଆଶିଷ ରାଉତ, ସୁଧାଂଶୁ ଶେଖର ସାମଲ,ତରୁଲତା ପତି,ଡ଼ଃ ସୁଲେଖା ମିଶ୍ର ପ୍ରମୁଖ ଯୋଗଦାନ କରି ସାହିତ୍ୟ ସଂସ୍କୃତି ପାଇଁ କାର୍ଯ୍ୟ କରୁଥିବା ଡକ୍ଟର ରାଉତଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ପ୍ରାଧ୍ୟାପକ ଡ଼ଃ ବିଜୟ କୁମାର ରାଉତ ଅତିଥି ପରିଚୟ ଓ ଶିକ୍ଷାବିତ ଅକ୍ଷୟ କୁମାର ଷଡଙ୍ଗୀ ସ୍ବାଗତ ଭାଷଣ ଦେଇଥିବା ବେଳେ, ବିକାଶ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
