ଅକ୍ଟୋବର ୨୮ ଓ ୨୯ ତାରିଖ ପରିବର୍ତ୍ତେ ନଭେମ୍ବର ୪ ଓ ୫ ତାରିଖ ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ କାର୍ୟ୍ୟକ୍ରମ

ଭୁବନେଶ୍ୱର,୨୫/୧୦/୨୦୨୬(ଓଡ଼ିଶା ସମାଚାର)- ସମ୍ଭାବ୍ୟ ବାତ୍ୟା ଆଶଙ୍କା ଯୋଗୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ କାର୍ୟ୍ୟକ୍ରମ ଅକ୍ଟୋବର ୨୮ ଓ ୨୯ ତାରିଖ ପରିବର୍ତ୍ତେ ନଭେମ୍ବର ୪ ଓ ୫ ତାରିଖ କୁ ଘୁଂଚାଇ ଦିଆଯାଇଛି । ନଭେମ୍ବର ୪ ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି । ରାଷ୍ଟ୍ରପତି ସଚିବାଳୟର ଟୁର୍ ସେକ୍ସନ ପକ୍ଷରୁ ଜାରି ଚିଠିରେ ଏହି ସୂଚନା ଦିଆଯାଇଛି ।

କାର୍ୟ୍ୟସୂଚୀ ଅନୁଯାୟୀ, ରାଷ୍ଟ୍ରପତି ପଶ୍ଚିମବଙ୍ଗର କଲାଇକୁଣ୍ଡା ଦେଇ ଆସିବେ । ନଭେମ୍ବର ୪ରେ ଦାଣ୍ଡବୋଷ ବିମାନବନ୍ଦରରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପହଞ୍ଚି ଅବତରଣ ପରେ ସଡ଼କ ପଥରେ ବହଳଦା ସ୍ଥିତ ମା’ କିଚକେଶ୍ୱରୀ ମନ୍ଦିର ଅଭିମୁଖେ ବାହାରି ପୂଜା କରିବେ । ପରେ ମହୁଲଡିହାର ଲକ୍ଷ୍ମୀମଣ୍ଡପ ଏବଂ ରାଇରଙ୍ଗପୁରସ୍ଥିତ ରାଷ୍ଟ୍ରପତିଙ୍କ ଗୃହକୁ ଯିବାର କାର୍ୟ୍ୟକ୍ରମ ରହିଛି ।

ଏହାପରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଓ ରାଇରଙ୍ଗପୁର କଚେରି ପଡ଼ିଆ ଗସ୍ତ ସହ ହଲିଡେ ହୋମ୍କୁ ଯିବେ । ନଭେମ୍ବର ୫ ତାରିଖରେ ରାଇରଙ୍ଗପୁର ସ୍ପୋର୍ଟସ୍ କମ୍ପେ୍ଲକ୍ସ, ବିକାଶ ନଗର ଏବଂ ଗୋରୁମହିଷାଣୀ ଆଇରନ୍ କଲେଜସ୍ଥିତ ମଲ୍ଟି ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ସମେତ ଟାଉନ୍ ହଲ୍ ଗସ୍ତର କାର୍ୟ୍ୟସୂଚୀ ରହିଛି । ଏହାପରେ ଦାଣ୍ଡବୋଷ ବିମାନବନ୍ଦର ଅଭିମୁଖେ ଫେରିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ, ପୁଲିସ ଓ ସମ୍ପୃକ୍ତ ବିଭାଗଗୁଡ଼ିକ ପକ୍ଷରୁ ରାସ୍ତାଘାଟ, ଯାତାୟାତ ଓ ସୁରକ୍ଷା ବ୍ୟବସ୍ଥାର ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଉଛି ।

Leave a Reply

Your email address will not be published. Required fields are marked *