କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ

୨୪ବର୍ଷ ଶାସନରେ ମେଡିକାଲ କଲେଜ କାହିଁକି ହେଲାନି: ସ୍ୱାସ୍ଥ୍ୟମନ୍ତ୍ରୀ
କେନ୍ଦ୍ରାପଡ଼ା, ୨୨/୦୭/୨୦୨୫(ଓଡ଼ିଶା ସମାଚାର)- ବିଜେଡି ରାଜ୍ୟରେ ଲଗାତାର ୨୪ ବର୍ଷ ଶାସନ କଲା । ଏହି ୨୪ ବର୍ଷ ମଧ୍ୟରେ ବିଜେଡି ସରକାର କାହିଁକି କେନ୍ଦ୍ରାପଡ଼ାରେ ମେଡିକାଲ କଲେଜ ପ୍ରତିଷ୍ଠା କଲେ ନାହିଁ । କେନ୍ଦ୍ରାପଡ଼ା ଜନସାଧାରଣଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରିବା ଉଚିତ । ସେହିପରି କେନ୍ଦ୍ରାପଡ଼ା ଜିଲାର ବହୁ ବଡ଼ ବଡ଼ ନେତା ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଥିଲେ । କେନ୍ଦ୍ରାପଡ଼ାରୁ ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ଥିଲେ । ସେ ସେତେବେଳେ କ’ଣ କରୁଥିଲେ । ସେ ମଧ୍ୟ ଏଥିପ୍ରତି ଧ୍ୟାନ ଦେଲେ ନାହିଁ । ଯାହା ଫଳରେ ଲୋକେ ୨୪ ବର୍ଷର ବିଜେଡି ଶାସନ ମଧ୍ୟରେ ମେଡିକାଲ କଲେଜରୁ ବଂଚିତ ହେଲେ ବୋଲି ସ୍ୱାସ୍ଥ୍ରମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ମତବ୍ୟକ୍ତ କରିଥିଲେ ।

ସୋମବାର କେନ୍ଦ୍ରାପଡ଼ା ଜିଲା ଗସ୍ତରେ ଆସିଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ କରି ରୋଗୀମାନଙ୍କ ସହ ଭାବ ବିନିମୟ କରିଥିଲେ । ଏହାପରେ ସାମ୍ବାଦିକମାନଙ୍କୁ କହିଲେ ଡବଲ ଇଞ୍ଜିନ ସରକାରଙ୍କ ଯେଉଁ ୨୧ ସୂତ୍ରୀ ଏଜେଣ୍ଡା ରହିଛି ସେଥିରେ ମେଡିକାଲ କଲେଜ ରହିଛି । ପ୍ରତି ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା ହେବ । ସେହି ଆଧାରରେ କେନ୍ଦ୍ରାପଡ଼ା ଜିଲାରେ ମଧ୍ୟ ମେଡିକାଲ କଲେଜ ପ୍ରତିଷ୍ଠା ହେବ । କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଯେଉଁ ଡାକ୍ତର ଅଭାବ ଜନିତ ସମସ୍ୟା ରହିଛି ତାହା ଖୁବଶୀଘ୍ର ସମାଧାନ ହେବ । ଖୁବଶୀଘ୍ର ଏଠାରେ ନୂତନ ଡାକ୍ତରଙ୍କୁ ନିଯୁକ୍ତ କରାଯିବ ।

୨୦୨୫-୨୬ ବଜେଟ୍ ରେ ରାଜ୍ୟରେ ୪ଟି ମେଡିକାଲ କଲେଜ ଓ ୪ଟି ଡେଂଟାଲ କଲେଜ ପ୍ରତିଷ୍ଠା କରାଯିବା ପାଇଁ ଘୋଷଣା ସରିଛି । କେନ୍ଦ୍ରାପଡ଼ା ଜିଲାରେ ଭେଷଜ ମହାବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ବିଧାନସଭା ଭିତରେ ଓ ବାହାରେ ଦାବି ହୋଇଛି । ତେଣୁ ଆଗାମୀ ଦିନରେ ସରକାର ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ସମୟରେ ଶଯ୍ୟା ଅଭାବରୁ ବାରଣ୍ଡାରେ ରୋଗୀ ଶୋଇଥିବା ମନ୍ତ୍ରୀ ଦେଖିବାକୁ ପାଇଥିଲେ । ତେଣୁ ତୁରନ୍ତ ଏକଶହ ବେଡ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଏହି ସମୟରେ ମହାକାଳପଡ଼ା ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ, ବିଜେପି ନେତ୍ରୀ ଗୀତାଞ୍ଜଳୀ ସେଠୀ, ଜିଲା ପରିଷଦ ନିର୍ବାହୀ ଅଧିକାରୀ ତଥା ଭାରପ୍ରାପ୍ତ ଜିଲାପାଳ ଅଜାମ୍ବର ମହାନ୍ତି, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମନୋରଞ୍ଜନ ରାଉତ, ଜିଲା ମେଡିକାଲ ଅଫିସର ପ୍ରମୋଦ ପ୍ରହରାଜ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *