ଯାଜପୁର ଜିଲ୍ଲାରେ ଜିଲ୍ଲାସ୍ତରୀୟ ତମାଖୁ ମୁକ୍ତ ଯୁବ ଅଭିଯାନ ୩.୦ ର ଶୁଭାରମ୍ଭ ଏବଂ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ।

ଯାଜପୁର, ୨୩/୧୦/୨୦୨୫ (ଓଡ଼ିଶା ସମାଚାର)-  ଆଜି ଯାଜପୁର ଜିଲ୍ଲାରେ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ତମାଖୁ ମୁକ୍ତ ଯୁବ ଅଭିଯାନ ୩.୦ ର ଶୁଭାରମ୍ଭ ଏବଂ  ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି।

ଉକ୍ତ ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର କହିଲେ ତମାଖୁ ଦେହ ଓ ମନ ଉଭୟ ପାଇଁ ବିନାଶକାରୀ। ଏହାକୁ ଦୂର କରିବା ହେଉଛି ଜୀବନକୁ ରକ୍ଷା କରିବା। ତମାଖୁ ବ୍ୟବହାର ଆଜି ଆମ ସମାଜରେ ଏକ ଗୁରୁତର ସ୍ୱାସ୍ଥ୍ୟ ଜଟିଳତାର ରୂପ ନେଇଛି। ଏହା କେବଳ ବ୍ୟକ୍ତିଗତ ଶାରୀରିକ କ୍ଷତି ନୁହେଁ, ପରିବାର, ସମାଜ ଓ ଜାତିର ଉନ୍ନତିକୁ ମଧ୍ୟ ଅବରୋଧ କରୁଛି। ତମାଖୁ ସେବନ ଫଳରେ ହୃଦ୍‌ରୋଗ, କ୍ୟାନ୍ସର, ଶ୍ୱାସ ରୋଗ, ଏବଂ ଅନେକ ଜୀବନଘାତୀ ରୋଗ ସୃଷ୍ଟି ହେଉଛି। ଏହି ଅଭିଯାନ ମାଧ୍ୟମରେ ଆମେ ଏହି ବିପଦରୁ ଯୁବପିଢିକୁ ଦୂରେଇବା ଓ ସେମାନଙ୍କ ମନୋଭାବରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିବା। ସଚେତନତା ହେଉଛି ସବୁଠୁ ଶକ୍ତିଶାଳୀ ଅସ୍ତ୍ର। ଯେତେବେଳେ ଜନସାଧାରଣ ଜାଣିବେ ଯେ ତମାକୁ ହେଉଛି ମୃତ୍ୟୁର ଦ୍ୱାର, ସେତେବେଳେ ସେମାନେ ନିଜେ ଏହାରୁ ଦୂରେଇଯିବେ।

ସେଥିପାଇଁ ଉପସ୍ଥିତ ସମସ୍ତଙ୍କୁ ସମନ୍ୱିତ ଭାବେ ଏହି ଅଭିଯାନକୁ ସଫଳ କରିବାକୁ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ। ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ଓ କୋଟପା ଆଇନର ସକ୍ରିୟ ଅନୁପାଳନ ସୁନିଶ୍ଚିତ କରିବା ସହିତ ଜିଲ୍ଲାରେ ତମାଖୁ ମୁକ୍ତ ଗ୍ରାମ ଗଠନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମଧ୍ୟ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେହିପରି ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ବିଶେଷ କରି ୭ ରୁ ୧୨ ବର୍ଷ ଓ କଲେଜ୍ ପଢୁଥିବା ଯୁବପିଢୀ ଙ୍କ ମଧ୍ୟରେ ତମାଖୁ ବିରୋଧୀ ସଚେତନତା ସୃଷ୍ଟି କରିବାରେ ଆବଶ୍ୟକତା ରହିଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ।

ଉକ୍ତ ବୈଠକରେ ଡିନ୍ ତଥା ଅଧ୍ୟକ୍ଷ ମହାରାଜା ଯଯାତି କେଶରୀ ମେଡିକାଲ କଲେଜ ଡ଼ା. ସୀତାରାମ ମହାପାତ୍ର, ଡି.ଏଚ୍.ଏଚ୍ ସୁପରିଣ୍ଟେଡେଣ୍ଟ, ଡ଼ା. ମନୋଜ କୁମାର ସେନାପତି, ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ା. ପ୍ରଣତିନି ନାୟକ, ଡ଼ା. ସସ୍ମିତା ରାଉତ,  ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ା. ରମେଶ ଚନ୍ଦ୍ର ମଲ୍ଲିକ,  ଖାଦ୍ୟ ସୁରକ୍ଷା ଅଧିକାରୀ ଶ୍ରୀ ରାକେଶ କୁମାର ସାହୁ, ଡି.ଆଇ, ଆସିଷ୍ଟାଣ୍ଟ ଡ୍ରଗ କଣ୍ଟ୍ରୋଲର, ଏପିଡୋମିଓଲୋଜିଷ୍ଟ ଡ଼ା. ଜ୍ୟୋତି ରଞ୍ଜନ ରାଉତ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ। ଏହି ଅଭିଯାନ ମାଧ୍ୟମରେ ଜିଲ୍ଲାରେ ତମାଖୁ ବିରୋଧୀ ଯୁବ ଅଭିଯାନ କୁ ଅଧିକ ସକ୍ରିୟ ଓ ପ୍ରଭାବଶାଳୀ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

Leave a Reply

Your email address will not be published. Required fields are marked *