୯୬ ହଜାରରୁ ଊର୍ଦ୍ଧ୍ୱ ଶିଶୁଙ୍କୁ ଟିକାଦାନ ଲକ୍ଷ୍ୟ
ଜଗତସିଂହପୁର,୨୮/୦୬/୨୦୨୬ (ଓଡ଼ିଶା ସମାଚାର)- ରବିବାର ଦିନ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ତିନି ଦିନିଆ ଜାତୀୟ ପଲ୍ସ ପୋଲିଓ ଟିକାଦାନ କାର୍ଯ୍ୟକ୍ରମ (ଆଇପିପିଆଇ-୨୦୨୬) ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ସ୍ନିଗ୍ଧାମୟୀ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି। ଆଜିଠାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଜିଲ୍ଲାକୁ ସମ୍ପୂର୍ଣ୍ଣ ପୋଲିଓ ମୁକ୍ତ କରିବା ଦିଗରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।
ଚଳିତ ବର୍ଷ ଜଗତସିଂହପୁର ଜିଲ୍ଲାରେ ଜନ୍ମରୁ ୫ ବର୍ଷ ବୟସର ସମୁଦାୟ ୯୬,୬୭୮ ଜଣ ଶିଶୁଙ୍କୁ ପୋଲିଓ ଟିକା ଖୁଆଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥିପାଇଁ ଜିଲ୍ଲାରେ ମୋଟ ୨,୫୩,୩୩୯ ଟି ଘରକୁ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ୫୫୫ ଟି ବୁଥ୍ ସ୍ଥାପନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ସୂଚାରୁରୂପେ ତୁଲାଇବା ପାଇଁ ୨୨୨୦ ଜଣ ଟିମ୍ ସଦସ୍ୟ (ଟିକାପ୍ରଦାନକାରୀ), ୧୧୪ ଜଣ ସୁପରଭାଇଜର, ୩୪ ଟି ଟ୍ରାଞ୍ଜିଟ୍ ପଏଣ୍ଟ ଏବଂ ୨୧ ଟି ମୋବାଇଲ୍ ଟିମ୍ ଗଠନ କରାଯାଇଛି।
ଅଭିଯାନର ପ୍ରଥମ ଦିନରେ କେବଳ ବୁଥ୍ ଗୁଡ଼ିକରେ ଟିକାଦାନ କରାଯାଉଥିବା ବେଳେ, ଦ୍ୱିତୀୟ ଓ ତୃତୀୟ ଦିନ (୨୯ ଓ ୩୦ ତାରିଖ) ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ବାଦ୍ ପଡ଼ିଥିବା ଶିଶୁମାନଙ୍କୁ ଚିହ୍ନଟ କରି ପୋଲିଓ ବୁନ୍ଦା ଖୁଆଇବେ।
ଏହି ଅଭିଯାନକୁ ସଫଳ କରିବା ପାଇଁ ପୂର୍ବରୁ ସମସ୍ତ ସୁପରଭାଇଜର ଏବଂ ଟିକାପ୍ରଦାନକାରୀ ଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରାଯାଇଥିଲା। ଗତ ଜୁନ୍ ୨୫ ତାରିଖ ଦିନ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜିଲ୍ଲାପାଳ ଶତପ୍ରତିଶତ ଟିକାଦାନ କରାଇବା ସହ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତ ବିଭାଗ, ସ୍ୱେଚ୍ଛାସେବୀ ସଂଗଠନ ଏବଂ ଜନସାଧାରଣଙ୍କ ଆନ୍ତରିକ ସହଯୋଗ କାମନା କରିଥିଲେ।
ଆଜିର ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧୀକ୍ଷକ ଡା. ସରୋଜ କୁମାର ଜେନା, ଅତିରିକ୍ତ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା. ପ୍ରମୋଦ କୁମାର ବାରିକ, ଡିପିଏମ୍ ସୋନାଲି ପ୍ରିୟଦର୍ଶିନୀ, ଡେପୁଟି ମ୍ୟାନେଜେର (ଆରସିଏଚ) ସନ୍ଧ୍ୟାରାଣୀ ପଣ୍ଡା, ସହାୟକ ଜ଼ିଲ୍ଲା ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ସୁବ୍ରତ କୁମାର ମହାପାତ୍ର, ହସ୍ପିଟାଲ ମ୍ୟାନେଜର ସସ୍ମିତା ସାହୁ, ଆଶା ମ୍ୟାନେଜେର ନାରାୟଣ ମଲ୍ଲିକ, ଜ଼ିଲ୍ଲା ଟୀକା ପରିଚାଳକ ପାର୍ଥ ସାରଥୀ କରଶର୍ମା, ସିସିଟି ମନୋରଞ୍ଜନ ମହାପାତ୍ର ଆଇସିଏ ରାଜେଶ କୁମାର ପତି ଏବଂ ରାଜ୍ୟ ପରାମର୍ଶଦାତା (ଷ୍ଟେଟ୍ କନସଲଟାଣ୍ଟ) ଶ୍ରୀଯୁକ୍ତ ବିଜୟରାମ ଦାଶ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମକର୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
