ଜଳ ସମ୍ପଦ ବିଭାଗର ‘ସ୍ଵୟଂଚାଳିତ ଫାଟକ ଯୋଜନା’

୧୪ ଗୋଟି ଡ୍ୟାମର ୭୬ଟି ଫାଟକ, ୧୦ଟି ବ୍ୟାରେଜ୍ ର ୧୫୩ଟି ଫାଟକ ଏବଂ ୨୭ଟି ଅନ୍ତଃ ନଦୀ ଜଳାଶୟର ୩୪୪ଟି ଫାଟକକୁସ୍ଵୟଂଚାଳିତ ଫାଟକରେ ପରିଣତ କରାଯିବାର  ଲକ୍ଷ୍ୟ

ଭୁବନେଶ୍ୱର,୨୦/୦୭/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆମ ରାଜ୍ୟରେ ଥିବା ଅନେକ ଡ୍ୟାମ ଓ ବ୍ୟାରେଜ ଗୁଡିକୁ ସୁଗମ ଯାତାୟାତ ବ୍ୟବସ୍ଥା ନଥିବା ଫଳରେ ବନ୍ୟା ବାତ୍ୟା ଇତ୍ୟାଦି ପ୍ରକୃତିକ ବିପର୍ଯ୍ୟୟ ସମୟରେ ସେଠାକୁ ଯାଇ ଫାଟକ ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ ଏବଂ ବିପଦପୂର୍ଣ୍ଣ ହୋଇଥାଏ। ଅନୁପଯୁକ୍ତ ଫାଟକ ନିୟନ୍ତ୍ରଣ ହୁଏତ ତଳ ମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି କରିପାରେ କିମ୍ବା ଡ୍ୟାମ ଓ ବ୍ୟାରେଜ ପ୍ରତି ବିପଦ ସୃଷ୍ଟି କରିପାରେ।

ଚଳିତ ସରକାର କ୍ଷମତାକୁ ଆସିବା ମାତ୍ରେ ଉକ୍ତ ସମସ୍ୟାର ସମାଧାନ ପାଇଁ ଉନ୍ନତ ବୈଜ୍ଞାନିକ ସ୍କାଡା  ପ୍ରକ୍ରିୟାର ଉପଯୋଗକୁ ଗୁରୁତ୍ଵ ଦେଇଥିଲେ। ଏହି ବ୍ୟବସ୍ଥାକୁ  ଉପଯୋଗ କରି ଡ୍ୟାମ, ବ୍ୟାରେଜ ଏବଂ ଅନ୍ତଃ ନଦୀ ଜଳାଶୟ ଗୁଡିକର ଜଳସ୍ତର ସମ୍ବନ୍ଧୀୟ ସଠିକ ତଥ୍ୟ ହାସଲ କରି ଫାଟକ ଗୁଡିକର ସୁପରିଚାଳନା ସହ ଜଳ ନିଷ୍କାସନ ନିମନ୍ତେ ଏକ ନିର୍ଭରଯୋଗ୍ୟ ନିଷ୍ପରି ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ୮୦ କୋଟି ଟଙ୍କାର ବ୍ୟୟ ବରାଦରେ “ସ୍ଵୟଂଚାଳିତ ଫାଟକ ଯୋଜନା”ନାମରେ ଏକ ନୂତନ ଯୋଜନାକୁ  କ୍ୟାବିନେଟରେ ଅନୁମୋଦନ କଲେ।

        ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଅଛି ୧୪ ଗୋଟି ଡ୍ୟାମର ୭୬ ଗୋଟି ଫାଟକ, ୧୦ ଗୋଟି ବ୍ୟାରେଜ୍ ର ୧୫୩ ଗୋଟି ଫାଟକ ତଥା ୨୭ ଗୋଟି ଅନ୍ତଃ ନଦୀ ଜଳାଶୟ (ଆଇଏସ୍ଏସ୍) ର ୩୪୪ ଗୋଟି ଫାଟକକୁ ସ୍ଵୟଂଚାଳିତ ଫାଟକ ରେ ପରିଣତ କରାଯିବ ।

        ଏହି ଯୋଜନାର ମୂଳ ଲକ୍ଷ୍ୟ ଗୁଡିକ ହେଲା,ଫାଟକଗୁଡ଼ିକୁ କଣ୍ଟ୍ରୋଲ ରୁମରୁ ପରିଚାଳନା କରାଯିବା ସହିତ ସମୟାନୁବର୍ତ୍ତୀ ତଥା ତ୍ଵରିତ ପଦକ୍ଷେପ ନିଆଯାଇ ପାରିବ। ଡ୍ୟାମ ଓ ବ୍ୟାରେଜର ଫାଟକ ପରିଚାଳନା ପାଇଁ ନିୟୋଜିତ କର୍ମଚାରୀମାନଙ୍କର ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯାଇପାରିବ । ମାନବକୃତ ତୃଟିକୁ ଏଡାଇ ଦିଆଯାଇ ପାରିବ  । କେବଳ ପ୍ରାଧିକୃତ ବ୍ୟକ୍ତିଙ୍କୁ ଡ୍ୟାମ ଓ ବ୍ୟାରେଜ ଇତ୍ୟାଦି ଉପରକୁ ପ୍ରବେଶ ଅନୁମତି ଦିଆଯିବ।

        ଏହି କାର୍ଯ୍ୟ ପାଇଁ ବିଶଦ୍ ପ୍ରକଳ୍ପ ବିବରଣୀ (ଡିପିଆର) ପ୍ରସ୍ତୁତ ଚାଲିଛି। ଖୁବଶୀଘ୍ର ଟେଣ୍ଡର କରାଯାଇ ଏହା କାର୍ଯ୍ୟକାରୀ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଚଳିତ ସରକାରଙ୍କ ଏହି ଯୁଗାନ୍ତକ।ରୀ ପଦକ୍ଷେପ ନିଶ୍ଚିତ ଭାବରେ ସ୍ଵାଗତ ଯୋଗ୍ୟ ପଦକ୍ଷେପ ।

-0-

ପଠାଣି ରାଉତ, ସୂଚନା ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *