ମୁଖ୍ୟମନ୍ତ୍ରୀ ଆଡିବନ୍ଧ ତିଆରି ଯୋଜନା– ପର୍ଯ୍ୟାୟ ୩

ଆଡିବନ୍ଧ ଗୁଡିକର ଉପଦେୟତା ବୃଦ୍ଧି କରି କୃଷକ ମାନଙ୍କର ସାମାଜିକ ଓ ଆର୍ଥିକ ବିକାଶର ସହାୟକ ହେବ

                ଜଳସେଚନ ସାମର୍ଥ ସୃଷ୍ଟି କରାଇବା ଲକ୍ଷ୍ୟ

ଭୁବନେଶ୍ୱର,୨୦/୦୭/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-  ରାଜ୍ୟର ଛୋଟ ଛୋଟ ନଦୀ ନାଳ ଗୁଡିକରେ ଆଡିବନ୍ଧ ନିର୍ମାଣ କରି ଜଳ ଚାପିତ ଅଞ୍ଚଳରେ ଜଳସେଚନର ସାମର୍ଥ୍ୟ ସୃଷ୍ଟି କରାଇବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ଆଡି ବନ୍ଧ ତିଆରି ଯୋଜନା ପର୍ଯ୍ୟାୟ-୩

(ଏମଏଟିଓ୍ୱାଇ) ସରକାରଙ୍କର କୃଷି ଓ କୃଷକ ମାନଙ୍କ ପ୍ରତି ସୁନିଶ୍ଚିତ ପ୍ରତିବଦ୍ଧତାର ଏକ ପ୍ରତିଫଳନ। ବୃହତ, ମଧ୍ୟମ କିମ୍ବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ମାଧ୍ୟମରେ କ୍ଷୁଦ୍ର ନଦୀ ନାଳ ନିକଟସ୍ଥ ଯେଉଁ ଚାଷୋପଯୋଗୀ ଜମି ଗୁଡିକୁ ଜଳସେଚନର ପ୍ରାବଧାନ କରାଯାଇ ପାରିନଥିଲା, ସେଠାରେ ଆଡିବନ୍ଧ ନିର୍ମାଣ କରାଯାଇ ଜଳସେଚନର ବ୍ୟବସ୍ଥା କରାଯାଇପାରିବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୭୩୭.୪୫ କୋଟି ଟଙ୍କାର ବ୍ୟୟ ଅଟକଳରେ ୨୦୨୫ -୨୬ମସିହା ଠାରୁ୨୦୨୯-୩୦ ମସିହା ମଧ୍ୟରେ ନୂତନ ଆଡିବନ୍ଧ ନିର୍ମାଣ,ପୂର୍ବ ପର୍ଯ୍ୟାୟରେ ନିର୍ମାଣ ହୋଇପାରିନଥିବା ତଥା ଅଚଳ ହୋଇପଡିଥିବା ଆଡିବନ୍ଧ ଗୁଡିକର ପୁନଃରୁଦ୍ଧାର କରିବା ଏହି ଯୋଜନା ପ୍ରସ୍ତୁତ କରିଛନ୍ତି।

ଏହି ଯୋଜନାର ବିଶେଷତ୍ଵ ଗୁଡିକ ହେଲା;ମୌସୁମୀର ପରବର୍ତ୍ତୀ ସମୟରେ ଗ୍ରାମ ଗୁଡିକୁ ପାନୀୟ ଜଳର ସୁବିଧା କରାଇବା ସହିତ ଭୂତଳ ଜଳସ୍ତର ବୃଦ୍ଧି କରାଯିବା, ଜଳାଶୟ ଏବଂ ବ୍ୟାରେଜ ପ୍ରକଳ୍ପ ନିର୍ମାଣ ସମ୍ଭବ ହୋଇପାରୁନଥିବା ଅଞ୍ଚଳରେ ଆଡିବନ୍ଧ ନିର୍ମାଣ କରି ନୂତନ ଜଳସେଚନର ସାମର୍ଥ୍ୟ ସୃଷ୍ଟିକରିବା, ୩୩୧୩ ଗୋଟି ନୂତନ ଆଡିବନ୍ଧ ନିର୍ମାଣ କରାଯାଇ ୫୭୫୨୫ ହେକ୍ଟର ଜମିକୁ ଜଳସେଚନର ସାମର୍ଥ୍ୟ ସୃଷ୍ଟିକରିବା , ବହୁତ ଦିନରୁ ବ୍ୟବହୃତ ହୋଇଆସୁଥିବା ୩୫୨୯ ଗୋଟି ଆଡିବନ୍ଧ ସୁଦୃଢୀକରଣ ଦ୍ୱାରା ୪୧,୭୧୩ହେକ୍ଟର ଚାଷଜମିକୁ ଜଳସେଚନ ସୁନିଶ୍ଚିତ କରିବା। ଅଚଳ ହୋଇପଡିଥିବା ଆଡିବନ୍ଧ ଗୁଡିକ ପୁନଶ୍ଚ କାର୍ଯ୍ୟକ୍ଷମ କରାଇ ହ୍ରାସ ପାଇଥିବା ଜଳଧାରଣ କ୍ଷମତାକୁ ପୂର୍ବାବସ୍ଥାକୁ ଆଣି ପୁନଃ ଉଭୟ ଖରିଫ ଓ ରବି ଋତୁରେ ଉପଯୋଗୀ କରାଇବା। ଅଚଳ ହୋଇଯାଇଥିବା ଆଡିବନ୍ଧ ଗୁଡିକର ସଂଖ୍ୟା କମାଇବା ସକାଶେ ପଦକ୍ଷେପ ନେବା ସହିତ ଆଡିବନ୍ଧ ଗୁଡିକର ଉପଦେୟତା ବୃଦ୍ଧିକରି କୃଷକମାନଙ୍କର ସାମାଜିକ ଓ ଆର୍ଥିକ ବିକାଶର ସହାୟକ ହେବା ଏବଂ ଜଳସେଚନ କ୍ଷମତା ସୃଷ୍ଟି ଓ ଜଳସେଚନର ପ୍ରକୃତ ବ୍ୟବହାର ଭିତରେ ଥିବା ପାର୍ଥକ୍ୟକୁ ହ୍ରାସ କରିବା। ଜଳସେଚନର ସୁ ବ୍ୟବସ୍ଥା ଦ୍ୱାରା କୃଷି କ୍ଷେତ୍ରର ଉତ୍ପାଦକତା ବୃଦ୍ଧି ତଥା ଜଳ ର ସୁବିନିଯୋଗ କରିବା।

ଏହି ଯୋଜନା ଟି ଖର୍ଚ୍ଚ ଅର୍ଥ କମିଟି (ଇଏଫସି) ର ଅନୁମୋଦନ ଲାଭ କରିଅଛି।ଏହାକୁ କାର୍ଯ୍ୟକାରୀ କରିବାକୁ ସରକାର ତ୍ଵରିତ ପଦକ୍ଷେପ ନେଉଛନ୍ତି।

-0-

ପଠାଣିରାଉତ, ସୂଚନାଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *