ଜଗନ୍ନାଥ ଜ୍ଞାନ ଆନ୍ଦୋଳନରେ ୮୩ବର୍ଷୀୟ ବୃଦ୍ଧ
ଗୋସ୍ୱାମୀ ଅନାମ ଚରଣ ଦାଶଙ୍କୁ ଜଗନ୍ନାଥ ସେବା ସମ୍ମାନ
କେନ୍ଦ୍ରାପଡ଼ା, ୨୦/୦୭/୨୦୨୫(ଓଡ଼ିଶା ସମାଚାର)- ସନାତନ ଧର୍ମ ପାଇଁ ଦୀର୍ଘ ୫୦ ବର୍ଷ ଧରି ଅବିରତ ସେବାରେ ନିୟୋଜିତ ଥିବା ୮୩ ବର୍ଷୀୟ ବୃଦ୍ଧ ଗୋସ୍ୱାମୀ ଅନାମ ଚରଣ ଦାଶଙ୍କୁ ରାଜସ୍ଥାନର ଜୟପୁରରେ ଜଗନ୍ନାଥ ସେବା ସମ୍ମାନରେ ସମ୍ମାନିତ କରାଯାଇଛି । ଓଡ଼ିଶାର କେନ୍ଦ୍ରାପଡ଼ା ଜିଲାର ଗରଦପୁର ବ୍ଲକର ବ୍ରହ୍ମପୁର ଗ୍ରାମର ବିଶିଷ୍ଟ ସନାତନ ଧର୍ମ ବେଦାନ୍ତ ଓ ପୌରାଣିକ ଆଚାର୍ଯ୍ୟ ଗୋସ୍ୱାମୀ ଅନାମ ଚରଣ ଦାଶଙ୍କୁ ଜୟପୁର ରାଜସ୍ଥାନରେ ତାଙ୍କର ଦୀର୍ଘ ୫୦ ବର୍ଷର ଧାର୍ମିକ ସେବା ପାଇଁ ଗରିମାମୟ ସମ୍ମାନ ଦିଆଯାଇଛି । ଜଗନ୍ନାଥ ସେବକ ସମିତି, ଜୟପୁରଙ୍କ ଆମନ୍ତ୍ରଣରେ ସେ ସେଠାରେ ପହଂଚିି ଏହି ସମ୍ମାନ ଗ୍ରହଣ କରିଛନ୍ତି ।
ଜଗନ୍ନାଥ ସାଂସ୍କୃତିକ ମହୋତ୍ସବରେ ରାଜସ୍ଥାନର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଏମ.ପି., ଏମ୍.ଏଲ୍.ଏ. ଓ ଅନେକ ଆଧ୍ୟାତ୍ମିକ ଗୁରୁମାନେ ଉପସ୍ଥିତି ଥିଲେ । ଏହି ଅବସରରେ ୨୫ ହଜାରରୁ ଅଧିକ ଭକ୍ତ କାର୍ଯକ୍ରମରେ ଯୋଗଦେଇଥିଲେ । ଯେଉଁମାନେ ବ୍ରଜ ନିଧି ମନ୍ଦିରରେ ଦିନନିଶା ଅଷ୍ଟପ୍ରହରୀ କୀର୍ତନ, ମନ୍ତ୍ର ଉଚ୍ଚାରଣ ଓ ସତସଙ୍ଗରେ ଅଂଶଗ୍ରହଣ କରିଥିଲେ । ଗୋସ୍ୱାମୀ ଅନାମଙ୍କ ଦ୍ୱାରା ଉଚ୍ଚାରିତ “ଜଗନ୍ନାଥ ସହସ୍ରନାମ” ଏକ ଭାବମୟ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା । ରାଜସ୍ଥାନ ସରକାରଙ୍କ ସଚିବ ଡ. କୃଷ୍ଣକାନ୍ତ ପାଠକ ତାଙ୍କୁ ସମ୍ମାନିତ କରି ଓଡ଼ିଶାରେ ସେ କରିଥିବା ୧୦୦୮ଟି ଅଷ୍ଟପ୍ରହରୀ ନାମଯଜ୍ଞ ଓ କୃଷ୍ଣ ଭକ୍ତି ପ୍ରଚାର କାର୍ଯ୍ୟ ପ୍ରତି ଗଭୀର କୃତଜ୍ଞତା ପ୍ରକାଶ କରିଛନ୍ତି । ତାଙ୍କ ସୂପୁତ୍ର ପ୍ରଫେସର କମଳାକାନ୍ତ ଦାଶ ତାଙ୍କର ଏହି ଧାର୍ମିକ ଅଭିଯାନରେ ସହଯୋଗୀ ଭାବେ ଉପସ୍ଥିତ ଥିଲେ ।
ସେମାନେ ଜଗନ୍ନାଥ ଲୀଳା ଓ ଜଗନ୍ନାଥ ଚେତନାକୁ ଦେଶର ଅନ୍ୟାନ୍ୟ ରାଜ୍ୟ ଓ ବିଦେଶରେ ପ୍ରଚାର କରିବାକୁ ସଂକଳ୍ପ ଗ୍ରହଣ କରିଛନ୍ତି । ବହୁ ବାଧା ବିଘ୍ନ ସତ୍ୱେ ଏହି ବାପା ପୁଅ ଯୁଗଳ ଭାରତୀୟ ଆଧ୍ୟାତ୍ମିକ ଦାୟିତ୍ୱକୁ ଗ୍ରହଣ କରିଛନ୍ତି । ଗୋସ୍ୱାମୀ ଅନାମ ଏବେ ମାଦଳା ପାଞ୍ଜି ଓ ମୁକ୍ତି ମଣ୍ଡପ ସଭାର ଗବେଷଣା ଆଧାରରେ ଏକ ପୁସ୍ତକ ରଚନା କରୁଛନ୍ତି । ଯେଉଁଥିରେ ପୁରୀ ଶ୍ରୀମନ୍ଦିରର ପୂଜା ପଦ୍ଧତି, ସେବା ଦର୍ଶନ ଓ ତତ୍ୱ୍ୱ ଭିତିକ ଧାର୍ମିକ ଦୃଷ୍ଟିକୋଣକୁ ଉଜାଗର କରାଯିବ ବୋଲି ଗୋସ୍ୱାମୀ କହିଛନ୍ତି । ଏହି ଉପଲକ୍ଷେ ତାଙ୍କୁ ଗୁଜରାଟ, ମହାରାଷ୍ଟ୍ର, ଛତିଶଗଡ଼, ଉତରପ୍ରଦେଶ ଭଳି ଅନ୍ୟାନ୍ୟ ରାଜ୍ୟରୁ ଜଗନ୍ନାଥ ସତସଙ୍ଗ, କୀର୍ତନ, ଆଧ୍ୟାତ୍ମିକ ଆଲୋଚନା ପାଇଁ ଆମନ୍ତ୍ରଣ ମିଳିଛି । ଏହି ଯାତ୍ରା ଭାରତର ଏକ ନୂଆ ଜଗନ୍ନାଥ ଭକ୍ତି ଜାଗରଣର ଆରମ୍ଭ ଯାହା ଯୁଗ ଯୁଗ ଧରି ଲୋକମାନଙ୍କୁ ଭକ୍ତି, କାରୁଣ୍ୟ ଓ ଏକତାର ମାର୍ଗରେ ଗତି କରିବା ପାଇଁ ପ୍ରେରିତ କରିବ ବୋଲି ମତପ୍ରକାଶ ପାଇଛି ।
