କେନ୍ଦ୍ରାପଡ଼ା,୨୦/୦୭/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ସଦରମହକୁମାରେ ଜିଲାସ୍ତରୀୟ ସ୍ୱାଧୀନତା ଦିବସ-୨୦୨୫ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଶନିବାର ପୂର୍ବାହ୍ନରେ ଜିଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସ୍ୱାଧୀନତା ଦିବସର ସଫଳ ଆୟୋଜନ ନିମନ୍ତେ ମୁଖ୍ୟ ଉନ୍ନୟନ ଅଧିକାରୀ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ପବିତ୍ର ଜାତୀୟ ଦିବସ ପାଳନ ଅବସରରେ ସକାଳ ଘ୯.୧୫ମି. ସମୟରେ ଦିବସର ମୁଖ୍ୟ ଅତିଥି କେନ୍ଦ୍ରାପଡା ମହାବିଦ୍ୟାଳୟ ପଡିଆଠାରେ ଜାତୀୟ ପତାକା ଉତୋଳନ କରି ଅଭିଭାଷଣ ପ୍ରଦାନ କରିବେ । ପ୍ରାରମ୍ଭରେ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ପ୍ରସ୍ତୁତ ବୈଠକ ବିବରଣୀ ପାଠ କରିଥିଲେ ।
କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା ପରେ ସ୍ଥିର ହେଲା ଯେ, ସ୍ୱାଧୀନତା ଦିବସ ଦିନ ପ୍ରତ୍ୟୁଷ ୪.୩୦ ସମୟରେ ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ରଦ୍ୱାରା ପୌରାଂଚଳରେ ରାମଧୂନ୍ ପରିବେଷଣ କରାଯିବ । ସକାଳ ଘ ୭.୩୦ମିନିଟ୍ ସୁଦ୍ଧା ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଶିଳ୍ପାନୁଷ୍ଠାନ, ବାଣିଜ୍ୟ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତୋଳନ କରାଯାଇ ସନ୍ଧ୍ୟା ପୂର୍ବରୁ ସମ୍ମାନର ସହ ଅବତରଣ କରିବେ । ସକାଳ ଘ୯.୧୫ମିନିଟ୍ ସମୟରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡିଆଠାରେ ମୁଖ୍ୟଅତିଥିଙ୍କ ଦ୍ୱାରା ଜାତୀୟ ପତକା ଉତୋଳନ କରାଯିବ ।
ପୁରସ୍କାର ବିତରଣ, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ପରେ ମୁଖ୍ୟ ଅତିଥି ସ୍ଥାନୀୟ କାରାଗାର ଓ ଜିଲା ଚିକିତ୍ସାଳୟରେ ରୋଗୀ ଏବଂ ଅନ୍ତେବାସୀଙ୍କୁ ମିଷ୍ଟାନ ବଂଟନ କରିବାର କାର୍ଯ୍ୟକ୍ରମ ରହିଛି । ସ୍ୱାଧୀନତା ଦିବସ ଉପଲକ୍ଷେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହା ସହିତ ଏହି ଜାତୀୟ ଦିବସକୁ ଶୃଙ୍ଖଳିତ ଆୟୋଜନ ନିମନ୍ତେ ବିଭିନ୍ନ ବିଭାଗକୁ ଦାୟିତ୍ୱ ଅର୍ପଣ କରାଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ବିଡିଓ ଅଭିଷେକ ସ୍ୱାଇଁ, ରିଜର୍ଭ ଇନ୍ସପେକ୍ଟର ପ୍ରଶାନ୍ତ କୁମାର ରଣସିଂ, ଜିଲା ସଂସ୍କୃତି ଅଧିକାରୀ ତ୍ରିଭୁବନ ଜୟସିଂ, ଜିଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟତ୍ରୀ, ବ୍ୟାଙ୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଶେଷରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।
