ଶ୍ରୀବଳଦେବଜୀଉଙ୍କ ନୃସିଂହ ଅବତାର

କେନ୍ଦ୍ରାପଡ଼ା, ୧୧/୦୫/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କର ରବିବାର ନୃସିଂହ ଅବତାର ବେଶ ହୋଇଡଛି । ବୈଶାଖ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଧଶୀ ତିଥିରେ ମହାପ୍ରଭୁ ନୃସିଂହ ଅବତାର ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ସନ୍ଧ୍ୟାରେ ପହୁଡ଼ ଖୋଲାଯାଇ ଉଠାଣୀ ନୀତି ସମ୍ପନ୍ନ ପରେ ପୂଜାପଣ୍ଡାଙ୍କ ଦ୍ୱାରା ନୃସିହ ଅବତାର ବେଶ ଅନୁଷ୍ଠିତ ହୋଇଥିଲା ।

ପ୍ରଥମେ ଶୁକ୍ଳ ମଉଳି ପିନ୍ଧାଯାଇ ମଣ୍ଡଳ ଲଗା ଯାଇଥିଲା । ଶ୍ରୀବଳଦେବ ଜୀଉଙ୍କୁ ଶ୍ରୀଭୁଜ ପୟର ପାଟ, ହସ୍ତରେ ହଳ ମୁଷଳରେ ସଜ୍ଜିତ କରାଯାଇଥିଲା । ଦେବୀ ସୁଭଦ୍ରାଙ୍କୁ ପାଟ ମଉଳି ଘେରା ପିନ୍ଧାଇ ସଜ୍ଜିତ କରାଯାଇ ଥିଲା । ପରେ ଶ୍ରୀଜଗନ୍ନାଥଙ୍କୁ ଶ୍ରିଭୂଜ ଶଙ୍ଖଚକ୍ର ପଦ୍ମ ଆସନରେ ସଜ୍ଜିତ କରାଯାଇ ଚରଣ ଉପରେ ଦାନବ ଅସୁର ହିରଣ୍ୟକଶ୍ୟପ ବିଦାର ଦୃଶ୍ୟ ଏବଂ ଭକ୍ତ ପ୍ରହଲ୍ଲାଦଙ୍କ ଯୋଡହସ୍ତରେ ପ୍ରାର୍ଥନା ବେଶ ଭକ୍ତ ମାନଙ୍କୁ ବିମୋହିତ କରିଥିଲା । ଆଜି ନୃସିଂହ ଉପାସନା ବ୍ରତ ଥିବାରୁ ଭକ୍ତଙ୍କ ଗହଳି ଲାଗି ରହିଥିଲା ।

ପରେ ଶ୍ରଜୀଉମାନଙ୍କର ମହାସ୍ନାନ କରାଯାଇ ଅନ୍ୟ ନୀତି କାର୍ଯ୍ୟ ଆରମ୍ଭ ହୋଇ ଥିଲା । ପୁରାଣ ବର୍ଣ୍ଣିତ ଅନୁଯାଇ ସତ୍ୟଯୁଗରେ ଦୁର୍ଦାନ୍ତ ଦାନବ ଅସୁର ହିରଣ୍ୟକଶ୍ୟପ ବ୍ରହ୍ମାଙ୍କ ବର ପାଇଥିବାରୁ ପୃଥିବୀ ପୃଷ୍ଠରେ ତା’ର ଅନ୍ୟାୟ ଅତ୍ୟାଚାର ବଢିଚାଲିଲା । ବିଷ୍ଣୁ ଭକ୍ତମାନଙ୍କ ଉପରେ ସେ ବେଶୀ ଅତ୍ୟାଚାର କରୁଥିଲା । ତାହାର ପୁତ୍ର ପ୍ରହଲ୍ଲାଦ ବିରାଟ ବିଷ୍ଣୁ ଭକ୍ତ ଥିବାରୁ ତା ଅତ୍ୟାଚାରର ଶିକାର ହୋଇଥିଲା । ଭଗବାନ ବିଷ୍ଣୁ ନରସିଂହ ଅବତାର ନେଇଥିଲେ । ଦଶ ଅବତାର ଭିତରୁ ଚତୁର୍ଥ ଅବତାର ଭୟଙ୍କର ନରସିଂହ ଅବତାର ନେଇ ହିରଣ୍ୟ କଶ୍ୟପକୁ ନିଜ ନଖରେ ବିଦାର କରି ଥିଲେ । ସେଇ ସତ୍ୟଯୁଗର ପ୍ରଥାକୁ ତୁଳସୀକ୍ଷେତ୍ରରେ ବୈଶାଖ ମାସର ଶୁକ୍ଳ ଚତୃର୍ଦଶି ତିଥିରେ ପାଳନ କରାଯାଇଥାଏ ।

Leave a Reply

Your email address will not be published. Required fields are marked *