ବାନ୍ଛାନିଧି ଦାସ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟର ବାର୍ଷିକ ଉତ୍ସବ

କାଥରିନ ଦାସଙ୍କ ସ୍ମୃତିରେ ୫ଶହରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀଙ୍କୁ ମେଧାବୃତି

କେନ୍ଦ୍ରାପଡ଼ା, ୨୯/୧୨/୨୦୨୪ (ଓଡ଼ିଶା ସମାଚାର)-  ବାନ୍ଛାନିଧି ଦାସ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟର ବାର୍ଷିକ ଉତ୍ସବ ପାଳନ ଅବସରରେ କେନ୍ଦ୍ରାପଡା ଜିଲାର ୫ଶହରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀଙ୍କୁ ମେଧାବୃତି ପ୍ରଦାନ କରାଯାଇଛି । ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ଯୋଗଦେଇ ଜିଲାର ମେଧାବୀ ଛାତ୍ରଛାତ୍ରୀଙ୍କୁ ମେଧାବୃତି ବାଂଟିବା ଅବସରରେ କହିଥିଲେ ଯେ ପିଲାମାନେ ମା,ବାପା ହେଉଛନ୍ତି ତୁମପାଇଁ ପ୍ରକୃତ ଈଶ୍ୱର । ସେହି ଈଶ୍ୱରଙ୍କୁ ଭୟ,ଭକ୍ତି ଓ ପୂଜା କଲେ ତୁମେମାନେ ଜୀବନରେ ସଫଳ ମଣିଷ ହୋଇପାରିବ । ସମ୍ମାନୀତ ଅତିଥି ଭାବେ ପୂର୍ବତନ ସ୍ୱାସ୍ଥ୍ୟ ନିର୍ଦେଶକ ତଥା ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ଓ ହସପିଟାଲର ପୂର୍ବତନ ଅଧ୍ୟକ୍ଷ ନୟନ କିଶୋର ମହାନ୍ତି, ଡାକ୍ତର ବିଶ୍ୱପ୍ରକାଶ କାନୁନଗୋ, ଆମେରିକାରେ ଅବସ୍ଥାନ କରୁଥିବା ଶିକ୍ଷାବୀତ ଡ. ରୀତା ମହାନ୍ତି, ପ୍ରବାସୀ ଓଡିଆ ସମାଜସେବୀ ରୁନୁ ମହାନ୍ତି ପ୍ରମୁଖ ଯୋଗଦେଇ ଟ୍ରଷ୍ଟର ଏଭଳି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିବା ସହିତ ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଡ.ଦାସଙ୍କୁ କୃତଜ୍ଞତା ଜଣାଇଥିଲେ ।  ଉତ୍ସବରେ ସୁଦୂର ଆମେରିକାରୁ ଆସିଥିବା ଡ. ଦାସଙ୍କ ବହୁ ବନ୍ଧୁ ଉପସ୍ଥିତ ଥିଲେ ।  ଏହି ଅବସରରେ ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କୁ ତୁଳସୀରତ୍ନ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ସମାଜସେବୀ ଗାୟତ୍ରୀ ମହାନ୍ତି, ଡ. ରୀତା ମହାନ୍ତି, ଡ. ନଳିନୀ ପଟ୍ଟନାୟକ, ଡ. ପ୍ରତାପ ଦାସ, ଡ. ବୀରେନ୍ଦ୍ର କୁମାର ପଟ୍ଟନାୟକ ଓ ଟାଇମ୍ସ ଅଫ ଇଣ୍ଡିଆର ପୂର୍ବତନ କୋଲକତା ମୁଖ୍ୟ ସ୍ୱର୍ଗତ କମଳକାନ୍ତ ମହାନ୍ତିଙ୍କୁ ମରଣୋତର ଭାବେ କାଥରିନ ଦାସ ସେବା ସମ୍ମାନ ପ୍ରଦାନ କରାଯାଇଥିଲା । ଡ. ରୁନୁ ମହାନ୍ତିଙ୍କ ଦ୍ୱାରା ପରିଚାଳିତ ଜଗତସିଂହପୁର ଜିଲାର  ଆମରି ବିଶ୍ୱାସ ନାମକ ଏକ ସ୍ୱେଛାସେବୀ ଅନୁଷ୍ଠାନକୁ ଗରିବ ମହିଳାମାନଙ୍କୁ ସ୍ୱାବଲମ୍ବି କରିବା ପାଇଁ ଟ୍ରଷ୍ଟ ପକ୍ଷରୁ ଏକଲକ୍ଷ ଟଙ୍କାର ଚେକ ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଡ. ଦାସ ପ୍ରଦାନ କରିଥିଲେ ।  ଅନ୍ୟମାନଙ୍କ ମଧ୍ୟରେ ମମତା ଦାସ, ସ୍ମିତା ପଟ୍ଟନାୟକ, ଲୀନା ମହାନ୍ତି, ରଣଧୀର କୁମାର, ଅର୍କ ମହାନ୍ତି, ଗୁରୁ ପ୍ରସାଦ ମହାନ୍ତି, ଡା. ସ୍ନେହଲତା କାନୁନଗୋ, ସମରେନ୍ଦ୍ର ଦାସ, ଚିତରଞ୍ଜନ ଦାସ, ଶାରଦାକାନ୍ତ ଦାସ, ଆମେରିକାର ବିଧୁଭୂଷଣ ରଥ, ଦେବ ଇଂଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ଡ. ରଣା, ଉତ୍କଳ ଦାସ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଅଧ୍ୟାପକ ଅଜୟ କୁମାର ରାଉତ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଭୁବନମୋହନ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଟ୍ରଷ୍ଟି ଅରୁଣ ପ୍ରତାପ ଦାସ ସ୍ୱାଗତ ଭାଷଣ ଓ ଆଲୋକ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଭାତି ଧଳ, ମୁକ୍ତାର ଖାଁ, ଗୋଲେକ ପଢିଆରୀ, ପ୍ରଫୁଲ୍ଲ ଦାସ, ପ୍ରମୋଦ ମହାପାତ୍ର, ରାଜେନ୍ଦ୍ର ମହାପାତ୍ର ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *