କଟକ,୧୮/୦୭/୨୦୨୫(ଓଡ଼ିଶା ସମାଚାର)-ପାରାଦ୍ୱୀପ ଅଂଚଳର ଜଣେ ନାବାଳିକାଙ୍କ ସହ ସାମାଜିକ ଗଣ ମାଧ୍ୟମରେ ପ୍ରଥମେ ପ୍ରେମ ଓ ଅଶ୍ଳୀଳ ଭିଡ଼ିଓ ଭାଇରାଲ କରିବା ମାମଲାର ଶୁଣାଣି କରି ଅତିରିକ୍ତ ଜିଲା ବିଚାରପତି ତଥା ସ୍ୱତନ୍ତ୍ର ପସ୍କୋ କୋର୍ଟ ଜଗତସିଂହପୁର ଅଭିଯୁକ୍ତଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି ।
ଅଭିଯୁକ୍ତ ଜଣକ ହେଉଛନ୍ତି ମଧ୍ୟପ୍ରଦେଶ ରାଜ୍ୟର ନରସିଂହପୁର ଜିଲାର କେରେଲି ଅଂଚଳର ଅମନ ରଜାକ । ସୂଚନାଯୋଗ୍ୟ ଯେ, ପାରାଦ୍ୱୀପ ଅଂଚଳରେ ଜଣେ ଛାତ୍ରୀ ମେଡ଼ିକାଲ ପଢ଼ିବା ଲାଗି କୋଚିଙ୍ଗ ନେଉଥିଲେ । ସେହି ସମୟରେ ଇଷ୍ଟାଗ୍ରାମ ଜରିଆରେ ମଧ୍ୟପ୍ରଦେଶର ଯୁବକ ଅମନ ରଜାକଙ୍କ ସଂସ୍ପର୍ଶରେ ଆସିଥିଲେ । ପରେ ଉଭୟଙ୍କ ମଧ୍ୟରେ ସାମାଜିକ ଗଣମାଧ୍ୟମରେ ବନ୍ଧୁତା ସୃଷ୍ଟି ହୋଇଥିଲା ।
ପରବର୍ତୀ ସମୟରେ ଅଭିଯୁକ୍ତ ରଜାକ ଛାତ୍ରୀଙ୍କ ଅଶ୍ଳୀଳ ଭିଡ଼ିଓ ରେକର୍ଡ଼ିଂ କରି ଭାଇରାଲ କରିଥିଲା । ଏହା ସହ ବିଭିନ୍ନ ସମୟରେ ନାବାଳିକାଙ୍କୁ ବ୍ଲାକମେଲିଂ ମଧ୍ୟ କରୁଥିଲା । ଏ ନେଇ ଛାତ୍ରୀଙ୍କ ପରିବାର ଲୋକ କ୍ରାଇମବ୍ରାଂଚ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରି ମଧ୍ୟପ୍ରଦେଶ ଅଂଚଳରୁ ଅମନକୁ ଗିରଫ କରି ଜେଲ ପଠାଇଥିଲା । ସାଇବର ଥାନା ଇନ୍ସପେକ୍ଟର ଅବନ୍ତିରାଣୀ ନାୟକ ମାମଲାର ତଦନ୍ତ କରୁଥିଲେ ।
