ବିଜେଡି ଛାଡ଼ି ବିଜେପିରେ ମିଶିଲେ ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ

ଭୁବନେଶ୍ୱର,୧୯/୦୫/୨୦୨୪ (ଓଡ଼ିଶା ସମାଚାର)-ବିଜେପିରେ ମିଶିଲେ ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ସାମିଲ ହୋଇ ପଦ୍ମ ଧରିଛନ୍ତି। ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ସିଂ ତୋମର ଓ ରାଜ୍ୟ ସଭାପତି ମନମୋହନ ସାମଲ ଓ ନିମାପଡ଼ା ବିଜେପି ବିଧାନସଭା ପ୍ରାର୍ଥୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ସମୀର ରଞ୍ଜନ ଦାଶ ବିଜେପିରେ ଯୋଗ ଦେଇଛନ୍ତି। ସମୀର ରଞ୍ଜନ ଦାଶ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଯେଉଁ ଚର୍ଚ୍ଚା ହେଉଥିଲା, ତାହା ସତ୍ୟ ପ୍ରମାଣିତ ହୋଇଛି। ଆଗରୁ ସେ ୧୯୯୮ରୁ ୨୦୦୬ ଯାଏ ବିଜେପିରେ ଥିଲେ। ଏଣୁ ତାଙ୍କର ଘରବାହୁଡ଼ା ହୋଇପାରେ ବୋଲି ଆଲୋଚନା ହେଉଥିଲା।

ସୂଚନାଯୋଗ୍ୟ, ଟିକେଟ ନ ମିଳିବା କାରଣରୁ ସେ ଅସନ୍ତୁଷ୍ଟ ଥିଲେ। ଦଳ ଛାଡ଼ିବାର କାରଣ କହିବା ସହ ସୋସିଆଲ ମିଡିଆରେ ନିଜ ଇସ୍ତଫା ପତ୍ର ବାବଦରେ ସେ ସୂଚନା ଦେଇଛନ୍ତି । ନିମାପଡ଼ାରୁ ସମୀର ରଞ୍ଜନ ଦାଶ ଲଗାତାର ୩ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସମୀର ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ହେଲେ ଏଥର ବିଜେଡି ତାଙ୍କୁ ଟିକେଟ୍ ଦେଇନଥିଲା । ଏହାକୁ ନେଇ ସେ ଅସନ୍ତୁଷ୍ଟ ପ୍ରକାଶ କରିବା ସହ ପୁନର୍ବିଚାର ପାଇଁ ଦଳକୁ ଏପ୍ରିଲ ୩୦ ଯାଏଁ ସମୟ ଦେଇଥିଲ । କିନ୍ତୁ ଏହି ସମୟ ମଧ୍ୟରେ ବି ଦଳ କିଛି ପଦକ୍ଷେପ ନନେବାରୁ ସେ ନିଜ ଅଞ୍ଚଳରେ ସଭା କରିବା ସହ ନିଜ ସମର୍ଥକଙ୍କ ସହ ଦଳ ଛାଡ଼ିବାକୁ ଘୋଷଣା କରିଥିଲେ। ସକାଳେ ବିଜେଡି ର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ।

Leave a Reply

Your email address will not be published. Required fields are marked *