ମିଶନଶକ୍ତି ବିଭାଗ ସହ ୪ ସଂସ୍ଥାର ଏମଓୟୁ

ଭୁବନେଶ୍ୱର,୧୯/୦୯/୨୦୨୫ (ଓଡ଼ିଶା ସମାଚାର)- ଗୁରୁବାର ମିଶନ ଶକ୍ତି ବିଭାଗ ସହ ଏଫଆଇସିଏସଆଇ, ଟିଏସଏସସି, ଜିଜେଏସସିଆଇ ଓ ଏନସିଡବ୍ଲ୍ୟୁ ର ୪ଟି ବୁଝାମଣା ପତ୍ର ସ୍ୱାକ୍ଷର(ଏମଓୟୁ) ହୋଇଛି । ଏହି ଏମଓୟୁ ସ୍ୱୟଂ ସହାୟକ ଗୋଷ୍ଠୀ ଉଦ୍ୟୋଗକୁ ଆହୁରି ପ୍ରୋତ୍ସାହନ ଯୋଗାଇବ ବୋଲି ଉପ- ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମିଶନ ଶକ୍ତି ବୁଝାମଣା ପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ମତ ପ୍ରକାଶ କରିଛନ୍ତି । ଏହି ବୁଝାମଣା ପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେ ମୁଖ୍ୟମନ୍ତ୍ରୀମୋହନ ଚରଣ ମାଝୀଙ୍କ ଦିଗଦର୍ଶନରେ ତୃଣମୂଳସ୍ତରରେ ମହିଳା ନେତୃତ୍ୱାଧୀନ ଉଦ୍ୟୋଗ ସୃଷ୍ଟି କରିବା ପାଇଁ ମିଶନ ଶକ୍ତି ବିଭାଗ ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି ।

ଓଡ଼ିଶା ଆଦିବାସୀଙ୍କର ନିଆରା ପାରମ୍ପରିକ କଳା ଓ କୌଶଳ ଉପରେ ଗୁରୁତ୍ୱ ଦେବା ସହ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଓଡ଼ିଶାରେ ଲକ୍ଷପତି ଦିଦିଙ୍କ ସଂଖ୍ୟା ବୃଦ୍ଧି କରାଯିବ ବୋଲି ସେ ମତ ପ୍ରକାଶ କରିଥିଲେ । ଏହାଛଡ଼ା ଆଜି ୧ ଲକ୍ଷ ୬୩ ହଜାର ୭୫୭ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଆକାଉନ୍ଟକୁ ବ୍ୟାଙ୍କ ଋଣ ଫେରସ୍ତ ବାବଦକୁ ୧୧୦ କୋଟି ୯୭ ଲକ୍ଷ ୫୮ ହଜାର ୮୬୦ ଟଙ୍କା ଆର୍ଥିକ ଅନୁଦାନ ପ୍ରେରଣ କରାଯାଇଛି । ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗକୁ ପ୍ରୋତ୍ସାହନ ଦେବା ପାଇଁ ମିଶନ ଶକ୍ତି ବିଭାଗ ଏଫଆଇସିଏସଆଇ ସହିତ ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି । ଏହା କାର୍ଯ୍ୟକ୍ରମ ମାଧ୍ୟମରେ ୧୦ ହଜାର ସ୍ୱୟଂ-ସହାୟକ ଗୋଷ୍ଠୀଙ୍କୁ ଫଳରସ ପ୍ରକ୍ରିୟାକରଣ, ମସଲା ପ୍ରକ୍ରିୟାକରଣ, ତୈଳ ପ୍ରସ୍ତୁତିକରଣ, ବହୁବିଧ କୌଶଳ କାରିଗରୀ, ଫଳ ଓ ପନି ପରିବା ନିର୍ଜଳୀକରଣର ଆବାସିକ ପ୍ରଶିକ୍ଷଣ ପ୍ରଦାନ କରାଯିବ ।

ପୁନଶ୍ଚ ମିଶନ ଶକ୍ତି ବିଭାଗ ଟିଏସଏସସ ସହିତ ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି । ପ୍ରୟୋଗାତ୍ମକ ପ୍ରକଳ୍ପ ମାଧ୍ୟମରେ ପ୍ରଥମେ କଟକ ଜିଲାର ୩୦ଟି ଗ୍ରାମ ପଂଚାୟତରେ ୬୦ ଜଣ ମହିଳାଙ୍କୁ ମୋବାଇଲ ହାଣ୍ଡସେଟ ମରାମତି କାର୍ଯ୍ୟ ବିଷୟରେ ପ୍ରଶିକ୍ଷଣ ଦିଆଯିବ । ତୃଣମୂଳସ୍ତରରେ ଗ୍ରାମ ପଂଚାୟତରେ ମହିଳାମାନଙ୍କ ନେତୃତ୍ୱରେ ଅଣୁ ଉଦ୍ୟୋଗ ସୃଷ୍ଟି କରିବା ଏହାର ଲକ୍ଷ୍ୟ । ମିଶନ ଶକ୍ତି ବିଭାଗ ଜିଜେଏସସିଆଇ ଏକ ବୁଝାମଣା ପତ୍ର ସ୍ୱାକ୍ଷର କରିଛି । ୧୪୪୦ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ନିର୍ମାଣ କଳାରେ ପ୍ରଶିକ୍ଷିତ କରାଯିବ ସହ ବଜାରର ସଂଯୋଗ କରାଯିବ । ମିଶନ ଶକ୍ତି ବିଭାଗ ଆଜି ଜାତୀୟ ମହିଳା ଆୟୋଗଙ୍କ ସହିତ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ପାଇଁ ଏକ ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି ।

ପ୍ରୟୋଗାତ୍ମକ ଭାବରେ ରାଜ୍ୟର ୫ଟି ଜିଲାରେ ୧୮- ୪୦ ବୟସର ସମସ୍ତ ସ୍ୱୟଂ-ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ଏହି ପ୍ରଶିକ୍ଷଣ ପ୍ରଦାନ କରାଯିବ । ମହିଳାମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବା ସହ ମହିଳା ସୁରକ୍ଷା ପ୍ରତି ସଚେତନତା ଓ ଗୋଷ୍ଠୀ ଏକତାକୁ ପ୍ରୋତ୍ସାହନ ଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ । ଏହି କାର୍ଯ୍ୟକ୍ରମରେ ହିନ୍ଦୁସ୍ଥାନ କୋକାକୋଲା ବେଭେରେଜେସ ପ୍ରାଇଭେଟ ଲିମିଟେଡ(ଏଚସିସିବି) ନିଜର ସିଏସଆର ଜରିଆରେ ସୁଭଦ୍ରା ଶକ୍ତି କାଫେକୁ ଟ୍ରାନ୍ସପାରେଂଟ ଡୋର ଥିବା ଫ୍ରିଜ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ, ବିଭାଗୀୟ ନିର୍ଦ୍ଧେଶିକା ମୋନିକା ପ୍ରିୟଦର୍ଶିନୀ, ଜାତୀୟ ମହିଳା ଆୟୋଗଙ୍କ ଉପ-ସଚିବ ଶିବାନୀ ଦେ, ରାଜୀବ ଗର୍ଗ, ଧ୍ୟାନ ଶ୍ରୀଭଟ୍ଟାଚାର୍ଜି, ତରୁଣ ପରିହାର ଓ କୋକା କୋଲା କମ୍ପାନୀର ସୁଶ୍ରୀ ଶ୍ୱେତା ପୁନେଥା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *