ବେଡାରୀ ପାନୀୟ ଜଳ ପ୍ରକଳ୍ପ ଅଚଳ –

               ବ୍ଲକରେ ସରକାରୀ ମେକାନିକ ନାହାଁନ୍ତି – ପାଞ୍ଚଶହ ପରିବାର ପାନୀୟ ଜଳ ପାଇଁ ହନ୍ତସନ୍ତ

ପାଟକୁରା ୧୩/୦୭/୨୦୨୫ (ଓଡିଶା ସମାଚାର ) -ଗରଦପୁର ବ୍ଳକ ଅଧୀନ ବେଡାରୀ ପାନୀୟ ଜଳ ପ୍ରଳାଳ୍ପ ରବିବାର ସକାଳ ରୁ ଅଚଳ ହୋଇ ପଡିଛି । ଫଳରେ ଏହି ପାନୀୟ ଜଳ ପ୍ରକଳ୍ପ ଉପରେ ନିର୍ଭର କରୁଥିବା ବେଡାରୀ, କୁଳତୁଠି ଓ ସୋଲପାଟ ଗ୍ରାମର ପ୍ରାୟ ପାଞ୍ଚ ଶହ ପରିବାର ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି । ଗରଦପୁର ବ୍ଲକରେ ଗ୍ରାମ୍ୟ ପାନୀୟଜଳ ଯୋଗାଣ ଓ ପରିମଳ ବିଭାଗରେ ଜଳଯୋଗଣ ପାଇଁ ଲାଗିଥିବା ବିଦ୍ୟୁତ ମଟର ସଜାଡ଼ିବା ପାଇଁ କୌଣସି ସରକାରୀ ମେକାନିକ ନିଯୁକ୍ତି ହୋଇନାହାନ୍ତି । ଏହି ବିଭାଗପାଇଁ ସ୍ୱତନ୍ତ୍ର ଭାବେ ମୁଖ୍ୟ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ମାନଙ୍କୁ ସରକାରୀ ନିଯୁକ୍ତି ଦିଆଯାଇଛି ।

ରାଜ୍ୟ ସରକାର ବସୁଧା ଯୋଜନାରେ ପ୍ରତ୍ୟେକ ଗ୍ରାମପଞ୍ଚାୟତ ଅଂଚଳରେ ପାଇପ ଯୋଗେ ପାନୀୟ ଜଳଯୋଗାଣର ବ୍ୟବସ୍ଥା କରିଛନ୍ତି କିନ୍ତୁ ଏଥିପାଇଁ ବ୍ୟବହୃତ ବିଦ୍ୟୁତ ମଟର ସଜାଡ଼ିବା ପାଇଁ କୌଣସି ମେକାନିକ ଙ୍କୁ ସରକାର ନିଯୁକ୍ତି ଦେଇ ନଥିବାରୁ ଏଭଳି ଅବ୍ୟବସ୍ଥା ଦେଖାଦେଇଛି । ସାଧାରଣରେ ପ୍ରଶ୍ନ ହେଉଛି ପାନୀୟ ଜଳଯୋଗାଣରେ ଯାନ୍ତ୍ରିକ ମରାମତି ଓ ରକ୍ଷଣା ବେକ୍ଷଣ କୁ ବିଭିନ୍ନ ଗ୍ରାମ ପଂଚାୟତରେ ସରପଞ୍ଚ ମାନେ କାହାଦ୍ୱାରା କରାଇବେ? ତୁରନ୍ତ ଅଚଳ ହୋଇ ପଡ଼ିଥିବା ବେଡାରୀ ପାନୀୟ ଜଳ ପ୍ରକଳ୍ପକୁ କାର୍ଯ୍ୟ କ୍ଷମ କରିବା ପାଇଁ ବେଡାରୀ ଗ୍ରାମ ପଂଚାୟତର ପୂର୍ବତନ ସରପଞ୍ଚ ଗୋକୁଳାନନ୍ଦ ବେହେରା,ଶିକ୍ଷାବିତ ପୂର୍ଣଚନ୍ଦ୍ର ଜେନା, ଶିକ୍ଷାବିତ ସୁବାସ ଚନ୍ଦ୍ର ଖୁଣ୍ଟିଆ,ଶିକ୍ଷାବିତ ଅରକ୍ଷିତ ବେହେରା, ଧ୍ରୁବ ଚରଣ ସାହୁ, ଗୌରାଙ୍ଗ ଚରଣ ସାହୁ,ଦୟାନିଧି ମଲ୍ଲ,ପ୍ରଦୀପ ବେଉରା, ନିରଞ୍ଜନ ମହାନ୍ତି, ମନୋଜ ଦାଶ, ଅକ୍ଷୟ ବେହେରା,ନରୋତମ ପଣ୍ଡା, ନରେଶ ଚନ୍ଦ୍ର ପୃଷ୍ଟି, ଅଜୟ ବାରିକ, ଧର୍ମାନନ୍ଦ ସାହୁ, ନୃସିଂହ ବେହେରା,ବିଜୟ ଓଝା, ସୁରେନ୍ଦ୍ର ମହାରଣା, ଉପେନ୍ଦ୍ର ଦାଶ ପ୍ରମୁଖ ଗରଦପୁର ବିଡ଼ିଓ, କେନ୍ଦ୍ରାପଡା ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ର ନିର୍ବାହୀ ଯନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ବେଡାରୀ ଗ୍ରାମ ପଂଚାୟତ ଗରଦପୁର ବ୍ଲକରେ ଜଳକ୍ଲୀଷ୍ଟ ଗ୍ରାମପଞ୍ଚାୟତ ଭାବେ ଜଣାଶୁଣା । ଲୁଣାପାଣି ପଡୁଥିବାରୁ କୋଣସି ଲୋକଙ୍କର ନିଜସ୍ୱ ନଳକୂପ କିମ୍ବା କୂପ ନାହିଁ । ସେମାନେ କେବଳ ସରକାରୀ ପାନୀୟ ଜଳ ପ୍ରକଳ୍ପ ଉପରେନିର୍ଭର କରନ୍ତି ।

Leave a Reply

Your email address will not be published. Required fields are marked *