ରାଜ୍ୟସ୍ତରୀୟ ବିଶ୍ୱ ଜନସଂଖ୍ୟା ଦିବସ ୨୦୨୫ ପାଳିତ

                  “ଜନସଂଖ୍ୟା ସ୍ଥିରତା ପକ୍ଷ”ର ଶୁଭାରମ୍ଭ କଲେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ

ଭୁବନେଶ୍ୱର,୧୧/୦୭/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭୁବନେଶ୍ବରସ୍ଥିତ ଗୀତଗୋବିନ୍ଦ ସଦନର ସଭାଗୃହଠାରେ ରାଜ୍ୟସ୍ତରୀୟ ବିଶ୍ୱ ଜନସଂଖ୍ୟା ଦିବସ  -୨୦୨୫ରେ ଯୋଗଦେଇ ସ୍ବାସ୍ଥ୍ୟ ଓ  ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲୋକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ଅବସରରେ ପରିବାର କଲ୍ୟାଣ, ମାନବାଧିକାର ଓ ନାରୀମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ପ୍ରଦାନ କରିଛନ୍ତି । ପରିବାର ଯୋଜନା, ଲିଙ୍ଗଗତ ସମାନତା, ମାତୃତ୍ବ, ସ୍ୱାସ୍ଥ୍ୟ ଏବଂ ମାନବିକ ଅଧିକାର ସମେତ ବିଭିନ୍ନ ଜନସଂଖ୍ୟା ସମ୍ବନ୍ଧୀୟ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିବା ବିଶ୍ୱ ଜନସଂଖ୍ୟା ଦିବସର ପ୍ରଧାନ ଲକ୍ଷ୍ୟ ବୋଲି ସେ ମତପ୍ରକାଶ କରିଛନ୍ତି  । ମିଳିମିଶି ସୁସ୍ଥ ସମାଜ ପରିବେଶ ଗଠନ ପାଇଁ ସମସ୍ତେ ଚେଷ୍ଟିତ ହେବାକୁ ସେ  ଆହ୍ୱାନ କରିଥିଲେ |

 ରାଜ୍ୟରେ ପରିବାର ନିୟୋଜନ ଅଭିଯାନକୁ ସଫଳ କରିବା ନିମନ୍ତେ ବହୁବିଧ ପଦକ୍ଷେପମାନ ଗ୍ରହଣ କରାଯାଉଛି। ଏହାର ଫଳସ୍ବରୁପ ପରିବାର କଲ୍ୟାଣ କାର୍ଯ୍ୟକ୍ରମର ବିଭିନ୍ନ କ୍ଷେତ୍ରରେ ବିଗତ ବର୍ଷ ମଧ୍ୟରେ ଆଶାନୁରୁପକ ସଫଳତା ଲାଭ କରିଛି । ସମସ୍ତ ସେବା ପ୍ରଦାନକାରୀମାନଙ୍କୁ ତାଲିମ ମାଧ୍ୟମରେ ସେମାନଙ୍କର ଦକ୍ଷତା ବୃଦ୍ଧିକରାଯାଉଛି। ରାଜ୍ୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗୋଷ୍ଠୀସ୍ତରୀୟ ସ୍ବେଛାସେଵୀ,  ଆଶା ଦିଦି ମାନଙ୍କ ମାଧ୍ୟମରେ ଜନସାଧାରଣଙ୍କୁ ଆବଶ୍ୟକ ସୁଚନା ପ୍ରଦାନକରି ସେବା ଗ୍ରହଣ ନିମନ୍ତେ ପ୍ରବର୍ତ୍ତାଯାଉଛି ବୋଲି ମାନ୍ୟବର ମନ୍ତ୍ରୀ କହିଥିଲେ ।

ଏହି ଅବସରରେ ଡକ୍ଟର ମହାଲିଙ୍ଗ କହିଥିଲେ ଯେ ରାଜ୍ୟରେ ପରିବାର ନିୟୋଜନ ଅଭିଯାନକୁ ସଫଳ କରିବା ନିମନ୍ତେ ବହୁବିଧ ପଦକ୍ଷେପମାନ ଗ୍ରହଣ କରାଯାଉଛି। ଏହାର ଫଳସ୍ବରୁପ ପରିବାର କଲ୍ୟାଣ କାର୍ଯ୍ୟକ୍ରମର ବିଭିନ୍ନ କ୍ଷେତ୍ରରେ ବିଗତ ବର୍ଷ ମଧ୍ୟରେ ଆଶାନୁରୁପକ ସଫଳତା ଲାଭ କରିଛି। ଦମ୍ପତ୍ତି ପିଛା ହାରାହାରି ସନ୍ତାନ ସଂଖ୍ୟା ଯାହା ୨.୧ ରହିବା ଆବଶ୍ୟକ, ଆମ ରାଜ୍ୟର ତାହା ୧.୮ ରେ ପହଞ୍ଚିଛି । ଏହା ଜାତୀୟ ହାରଠୁ  ଉନ୍ନତ ସ୍ତରରେ ରହିଛି। ପରିବାର ନିୟୋଜନର ଅପୁରଣୀୟ ଆବଶ୍ୟକତା ଓଡିଶାର ଶତକଡା ୧୩.୬ ରୁ କମ ହୋଇ ୭.୨ ରେ ପହଞ୍ଚିପାରିଛି। ଯାହାକି ଆମ ରାଜ୍ୟ ପାଇଁ ଖୁସିର ବିଷୟ । ରାଜ୍ୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗୋଷ୍ଠୀସ୍ତରୀୟ ସ୍ଵେଚ୍ଛାସେବୀ ଆଶା ଦିଦି ମାନଙ୍କ ମାଧ୍ୟମରେ ଜନସାଧାରଣଙ୍କୁ ଆବଶ୍ୟକ ସୂଚନା ପ୍ରଦାନକରି ସେବା ଗ୍ରହଣ ନିମନ୍ତେ ପ୍ରବର୍ତ୍ତାଯାଉଛି ବୋଲି ସେ ପ୍ରକାଶ କରିଥିଲେ ।

ଏହି ଅବସରରେ ମାନ୍ୟବର ମନ୍ତ୍ରୀ  ବିଭିନ୍ନ କ୍ଷେତ୍ରରେ ସଫଳତା ଲାଭ କରିଥିବା ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ପରିବାର ନିଯୋଜନରେ ନିଜର ଅତୁଳନୀୟ ଅବଦାନ ଦେଇଥିବା ଆଶା,ଡାକ୍ତର,ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ନୂଆ ସରକାର ଆସିବା ପରେ ପ୍ରଥମ ଥର ପାଇଁ  ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ । ଏହି ଅବସରରେ ଉନ୍ନତ ପ୍ରଦର୍ଶନ ପାଇଁ ବିଭିନ୍ନ ଜିଲ୍ଲାମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା ।

ବିଶ୍ୱ ଜନସଂଖ୍ୟା ଦିବସ ଓ ଜନସଂଖ୍ୟା ସ୍ଥିରତା ପକ୍ଷ  ପାଳନ ଦ୍ଵାରା  ଜନସଂଖ୍ୟା ବୃଦ୍ଧି ରୋକିବା ପାଇଁ ଲୋକଙ୍କୁ ଜାଗୃତ କରାଯାଉଛି। ଦ୍ରୁତ ଜନସଂଖ୍ୟା ବୃଦ୍ଧି ବିଭିନ୍ନ କାରଣରୁ ସମାଜ ଓ ଦେଶ  ପାଇଁ କ୍ଷତିକାରକ। ଏବେ ରାଜ୍ୟ ତଥା ଦେଶର କେତେକ ସ୍ଥାନରେ ବାଲ୍ୟ ବିବାହ କରାଯାଉଛି। ଏହା ବେଆଇନ ବା ଆଇନ ଦୃଷ୍ଟିରେ ଅପରାଧ ଅଟେ । ଏଭଳି କୁପ୍ରଥା କାରଣରୁ କମ ବସୟରେ ମଧ୍ୟ କେତେକ ମହିଳା ସନ୍ତାନମାନଙ୍କୁ ଜନ୍ମ ଦେଇଥାଆନ୍ତି। ଯାହା ମା’ ଓ ଶିଶୁ ଉଭୟଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ। ଉପଯୁକ୍ତ ବ୍ୟବଧାନରେ ଜନ୍ମ ନେଇଥିବା ଶିଶୁଙ୍କ ସ୍ୱାସ୍ଥ୍ୟ ଏବଂ ଶାରୀରିକ ଅଭିବୃଦ୍ଧି ଠିକ ରହିଥାଏ। ତେଣୁ ସୂଚନା- ଶିକ୍ଷା-ସଂଚାର ଦ୍ବାରା  ଜନସଂଖ୍ୟା ବୃଦ୍ଧିକୁ ରୋକାଯାଇ ଜନସଂଖ୍ୟାରେ  ପ୍ରତିସ୍ଥାପନ ହାର(Replacement Rate) ହାସଲ କରାଯାଇ  ପାରିବବୋଲି ମତପ୍ରକାଶ ପାଇଥିଲା ।

ସୂଚନାଯୋଗ୍ୟ ଯେ , ପ୍ରତିବର୍ଷ ୧୧ ଜୁଲାଇରେ ସମଗ୍ର ବିଶ୍ୱରେ ‘ବିଶ୍ୱ ଜନସଂଖ୍ୟା ଦିବସ’ ପାଳନ କରାଯାଇଥାଏ। ଭାରତ ତଥା ଓଡ଼ିଶାରେ ପ୍ରତିବର୍ଷ ପରିବାର ନିୟୋଜନ ଏବଂ ଜନସଂଖ୍ୟା ସମସ୍ୟା ସମାଧାନ ଉପରେ ଧ୍ୟାନ ଦେଇ ଏହି ଦିବସ ପାଳନ କରାଯାଇଥାଏ। ଏହାର ଲକ୍ଷ୍ୟ ହେଉଛି ବ୍ୟକ୍ତିଗତ ପ୍ରଜନନ ଅଧିକାର ସୁରକ୍ଷା ଏବଂ ପ୍ରଜନନ ବୟସର ମହିଳାମାନଙ୍କୁ ସେମାନଙ୍କ ପ୍ରଜନନ କ୍ଷମତା ନିୟନ୍ତ୍ରଣ କରିବା ପାଇଁ ସୁଯୋଗ ପ୍ରଦାନ କରିବା ।

ଏହି କାର୍ଯ୍ୟକ୍ରମରେ  ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ରାଜଶ୍ରୀ ପଟ୍ଟନାୟକ ସ୍ୱାଗତ ଭାଷଣ ରଖିଥିବା ବେଳେ , ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଡାକ୍ତର ଅମରେନ୍ଦ୍ର ମହାନ୍ତି ନିଜର ବକ୍ତବ୍ୟ ରଖି ଥିଲେ l  ଅନ୍ତିମ ଚରଣରେ  ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ମୁରଲୀଧର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।

-0-

 ବିନାୟକ ମିଶ୍ର,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *