କଟକ,୦୮/୦୫/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଲୋକମାନଙ୍କର ଚିକିତ୍ସା ଖର୍ଚ୍ଚ ଭରଣା କରିବାକୁ କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ କାର୍ଡ ପ୍ରଚଳନ କରିଥିବା ବେଳେ ଏବେ ଏହା କେତେକ ବେସରକାରୀ ହସ୍ପିଟାଲ ପାଇଁ ବରଦାନ ସଦୃଶ ହୋଇଛି। ଉପଯୁକ୍ତ ଚିକିତ୍ସା ସୁବିଧା କିମ୍ବା ଭିତିଭୂମି ନଥିବା ବେସରକାରୀ ହସ୍ପିଟାଲର ମାଲିକ ମାନେ ଉକ୍ତ କାର୍ଡ ରୁ କୋଟି କୋଟି ଟଙ୍କା ଲୁଟୁଥିବା ଅଭିଯୋଗ ହୋଇଆସୁଛି। ରୋଗୀ ମରିଗଲା ପରେ ମଧ୍ୟ କାର୍ଡ ରୁ ପଇସା ସରିବା ପର୍ଯ୍ୟନ୍ତ ରୋଗୀକୁ ଚିକିତ୍ସା ଆଳରେ ରଖାଯାଉଥିବା ସାଂଘାତିକ ଅଭିଯୋଗ ମଧ୍ୟ ଶୁଣାଯାଉଛି। ଏମିତି ଏକ ଘଟଣା ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଚାଉଳିଆଗଞ୍ଜ ସିଲଭର ସିଟି ହସ୍ପିଟାଲରେ ଘଟିଥିବା ଉପରେ ମାମଲା ରୁଜୁ ହୋଇଥିବା ଜଣାପଡିଛି।
ପ୍ରକାଶ ଯେ ସିଆରଆରଆଇ ଥାନା ଆଦିମୂଳ ଗ୍ରାମର ଜନୈକ ୬୫ ବର୍ଷୀୟ ପର୍ଶୁରାମ ଭୋଇ ଚିକିତ୍ସା ପାଇଁ ଉକ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସୁସ୍ଥ ହେବା ପରେ ପର୍ଶୁରାମଙ୍କୁ କେବଳ ପଇସା ଲୁଟିବା ପାଇଁ ଡିସଚାର୍ଜ କରାଯାଉଥିବା ପର୍ଶୁରାମ ଙ୍କ ପୁଅ ଅନିଲ ଭୋଇ ଅଭିଯୋଗ କରିଛନ୍ତି। ଚିକିତ୍ସା ଅବହେଳାରୁ ପର୍ଶୁରାମଙ୍କ ଦେହ ଅଧିକ ବିଗିଡିବାରୁ ତାଙ୍କୁ ଭୁବନେଶ୍ବର ର ଏକ ଘରୋଇ ଡ଼ାକ୍ତରଖାନାକୁ ନେଇଯିବା କୁ ସିଲଭର ସିଟି କର୍ତୃପକ୍ଷ ରୋଗୀଙ୍କ ସମ୍ପର୍କୀୟ ଙ୍କୁ ପରାମର୍ଶ ଦେଇଥିଲେ। ହେଲେ ଦେଖିଲା ବେଳକୁ ଆୟୁଷ୍ମାନ କାର୍ଡ ରୁ ୫ ଲକ୍ଷ ଟଙ୍କା ଶେଷ ହୋଇଯାଇଛି।
ଟଙ୍କା ଅଭାବରୁ ରୋଗୀ ଜଣଙ୍କ ଗତକାଲି ଗୁରୁବାର ଦିନ ଅକାଳରେ ମୃତ୍ୟୁବରଣ କରିଥିବା ବେଳେ ଚିକିତ୍ସା ଅବହେଳା ଏବଂ ଟଙ୍କା ଲୁଟ୍ ଅଭିଯୋଗ କରି ମୃତକଙ୍କ ପରିବାର ଲୋକେ ହସ୍ପିଟାଲ ପରିସରରେ ପାଟିତୁଣ୍ଡ ହୋହଲ୍ଲା କରିଥିଲେ। ପରିସ୍ଥିତି ଏକପ୍ରକାର ଅଣାୟତ୍ତ ହୋଇପଡ଼ିବାରୁ ଥାନା ଅଧିକାରିଣୀ ଵିୟୁଟି ମହାନ୍ତି,ଏସିପି ସୁଧାଂଶୁ ଭୁଷଣ ଜେନା ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା। ଏନେଇ ମୃତକଙ୍କ ପରିବାର ପକ୍ଷରୁ ହସ୍ପିଟାଲ କର୍ତୃପକ୍ଷ ଙ୍କ ବିରୁଦ୍ଧରେ ଏତଲା ଦିଆଯିବା ପରେ ଚାଉଳିଆଗଞ୍ଜ ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡିଛି। ହେଲେ ବେସରକାରୀ ହସ୍ପିଟାଲ ଗୁଡ଼ିକ କିପରି ଆୟୁଷ୍ମାନ କାର୍ଡ ରୁ ଅର୍ଥ ଲୁଟିଵାରୁ ନିବୃତ ରହିବେ ସେଥିପ୍ରତି ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
