ପାଟକୁରା ୦୮/୦୭/୨୦୨୫ (ଓଡିଶା ସମାଚାର )- ଗରଦପୁର ବ୍ଳକ ଅଧୀନ ବେଡାରୀ ଆର ଆଇ ଅଫିସ ରାସ୍ତା ଗମନା ଗମନ ପାଇଁ ଅନୁପଯୁକ୍ତ ହୋଇ ଯାଇଛି । ଆର ଡ଼ି ରାସ୍ତାରୁ ବେଡାରୀ ମହୁରୀଆ ଦଣ୍ଡାରେ ଥିବା ଆର ଆଇ ଅଫିସ ଦେଇ ବେଡାରୀ ଗ୍ରାମ ପର୍ୟ୍ୟନ୍ତ ଥିବା ପ୍ରାୟ ୭୦୦ମିଟର ଲମ୍ବ ମାଟି ରାସ୍ତାଟି ଲଗାଣ ବର୍ଷାରେ କରୟଦମାକ୍ତ ହୋଇଯାଇଛି । ଫଳରେ ଏହି ମାଟି ରାସ୍ତାରେ ଚାଲିକରି ଯିବା କଷ୍ଟକର ହୋଇପଡୁଛି । ଏହି ରାସ୍ତାଟି ବେଡାରୀ ଗ୍ରାମର ମୁଖ୍ୟ ରାସ୍ତା ଅଟେ । ଏହି ରାସ୍ତା ଦେଇ ବେଡାରୀ ଗ୍ରାମପଞ୍ଚାୟତ ସଦର ମହକୁମାରେ ଥିବା ପଂଚାୟତ କାର୍ୟ୍ୟାଳୟ କୁ ଦଳୁଆଣି ଗ୍ରାମ, ଶ୍ରୀଚନ୍ଦନପୁର ଗ୍ରାମ ଓ ପରକଣା ଗ୍ରାମର ଜନସାଧାରଣ ଆସନ୍ତି ।
ଏତତ ବ୍ୟତୀତ ବେଡାରୀ ସେବାସମବାୟ ସମିତି ଅଫିସ, ବେଡାରୀ ସବପୋଷ୍ଟ ଅଫିସ ଓ ପଞ୍ଜାବ ନେସନାଲ ବ୍ୟାଙ୍କ ଶଖା କୁ ପଦ୍ମପୁର ଗ୍ରାମ, ଗୋତ୍ରବିଲ, କିଣିଲୋ, ମହାମୁଦା, ନୂଆପଡା, ଦଳୁ ଆଣି, ଶ୍ରୀଚନ୍ଦନପୁର, ପରକଣା, ଯମୁନାବାଦ ଗ୍ରାମର ଜନସାଧାରଣ ଏହି ରାସ୍ତା ଦେଇ ଯିବା ଆସିବା କରନ୍ତି । ବେଡାରୀ କୁଳ ଛକରେ ଥିବା ଚାଷ ଜମିକୁ, ବାଘ ତଳ ଚକ, ଡିନାମଠ ଚକ, ଗହୀର ଚକ କୁ ହଳ ବଳଦ ନେଇ ବେଡାରୀ, ସୋଲ ପାଟ ଗ୍ରାମର ଚାଷୀମାନେ ହଳଲଙ୍ଗଳ ନେଇ ଯିବାଆସିବା କରନ୍ତି । ଏହି
ରାସ୍ତାଦେଇ ବେଡାରୀ ଓ ସୋଲପାଟ ଗ୍ରାମର ଜନସାଧାରଣ ଗରଦପୁର ବ୍ଳକ ସଦର ମହକୁମାରେ ଥିବା ବ୍ଳକ ଅଫିସ, ଗରଦପୁର ତହସିଲ ଅଫିସ, ଗରଦପୁର ସବରେଜିଷ୍ଟ୍ରି ଅଫିସ, ଗରଦପୁର ସାପ୍ତାହିକ ହାଟ, କୋରୁଆ ସମବାୟ ବ୍ୟାଙ୍କ, ନୂଆପଡା ବିଦ୍ୟୁତ ଅଫିସ କୁ ଯାଆନ୍ତି । ଏହି ଗ୍ରାମର ଛାତ୍ରୀ ଛାତ୍ର ମାନେ ଅନ୍ତେଇ ବିଜୁପଟନାୟକ କଲେଜ, କୋରୁଆ ଲୋକନାଥ କଲେଜ କୁ ଏହିରାସ୍ତା ଦେଇ ଯିବା ଆସିବା କରନ୍ତି ।
ବେଡାରୀ ଆର ଆଇ ଅଫିସ ଘର ନିର୍ମାଣ ସରିଗଲାଣି । ଏହି ଅଫିସକୁ ପାଟକୁରା ଗ୍ରାମପଞ୍ଚାୟତର ଜନସାଧାରଣ, ପଦ୍ମପୁର ଗ୍ରାମ ପଂଚାୟତର ଜନସାଧାରଣ ଙ୍କ ସମେତ ପରକଣା, ଶ୍ରୀଚନ୍ଦନ ପୁର, ଦଳୁଆଣି, କୁଳତୁଠୀ ଗ୍ରାମର ଜନସାଧାରଣ ରାଜସ୍ବ ସଂକ୍ରାନ୍ତୀୟ କାର୍ୟ୍ୟପାଇଁ ଏହି ରାସ୍ତାରେ ଆସିବେ । ଏଣୁ ଏହି ରାସ୍ତାର ଗୁରୁତ୍ୱ ସବୁଠାରୁ ଅଧିକ ଥିବାବେଳେ ଏଥିପ୍ରତି କେହି ଗୁରୁତ୍ୱ ଦେଉନାହାନ୍ତି । ଏହି ରାସ୍ତାକୁ ପିଚୁ କିମ୍ୱା ଢ଼ଳେଇ କରିବାକୁ ଗ୍ରାମର ଜନସାଧାରଣ ଗ୍ରାମ ଉନ୍ନୟନ ବିଭାଗ କେନ୍ଦ୍ରାପଡାଙ୍କୁ ଅନେକ ଥର ଆବେଦନ କଲେଣି । ହେଲେ ଗ୍ରାମ ଉନ୍ନୟନ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନ ଏଥି ପ୍ରତୀ ଗୁରୁତ୍ୱ ଦେଉନାହାନ୍ତି । ଫଳରେ ଲୋକମାନେ ଏହି ରାସ୍ତାରେ ଯିବାପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏ ବିଷୟରେ ଗରଦପୁର ବ୍ଲକ ଅଧ୍ୟକ୍ଷ ଅଭୟ କୁମାର ମହାରାଜଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ତେବେ ସେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବେ ବୋଲି କହିଥିଲେ । ଏହି ରାସ୍ତାକୁ ତୁରନ୍ତ ଗମନା ଗମନ ଉପଯୋଗୀ କରିବା ପାଇଁ ପୂର୍ବତନ ସରପଞ୍ଚ ବିପିନ ବିହାରୀ ସାମଲ, ପୂର୍ବତନ ସରପଞ୍ଚ ଗୋକୁଳାନନ୍ଦ ବେହେରା, ପୂର୍ବତନ ସରପଞ୍ଚ ରବୀନ୍ଦ୍ର ନାଥ ବାରିକ,ଶିକ୍ଷାବିତ ପୁର୍ଣଚନ୍ଦ୍ର ଜେନା,ଶିକ୍ଷାବିତ ଅରକ୍ଷିତ ବେହେରା,ଶିକ୍ଷାବିତ ସୁବାସ ଚନ୍ଦ୍ର ଖୁଣ୍ଟିଆ, ଦୟାନିଧି ମଲ୍ଲ, ଗୌରାଙ୍ଗ ସାହୁ,ଧ୍ରୁବ ଚରଣ ସାହୁ,ସମାଜସେବୀ ଗୋକୁଳାନନ୍ଦ ପରିଜା, ମାୟାଧର ସାହୁ,ଧର୍ମାନନ୍ଦ ସାହୁ,ପ୍ରଦୀପ ବେଉରା,ଅଜୟ ବାରିକ, ନୃସିଂହ ବେହେରା, ଉପେନ୍ଦ୍ର ଦାଶ,କିଶୋର ପରିଜା, ଅକ୍ଷୟ ବେହେରା, ପ୍ରମୋଦ ସାହୁ, ନିରଞ୍ଜନ ମହାନ୍ତି, ଅଲେଖ ମଳିକ, ଯୋଗେନ୍ଦ୍ର ମଳିକ, ଭିକାରି ମହାନ୍ତି, ଶରତ ମିଶ୍ର ପ୍ରମୁଖ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
