ଭୁବନେଶ୍ୱର,୨୮/୦୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ ହସ୍ତକ୍ଷେପ ହେତୁ ଦୁଇଜଣ ଭିନ୍ନକ୍ଷମ ପରୀକ୍ଷାର୍ଥୀ ଉପକୃତ ହୋଇଛନ୍ତି । ସେମାନେ ପରୀକ୍ଷା କେନ୍ଦ୍ରରେ ଉତ୍ତର ଲେଖିବା ପାଇଁ ଲିଖନ ସହାୟକଙ୍କ ସୁବିଧା ମିଳିପାରିଛି । ଭୁବନେଶ୍ୱର ନୟାପଲ୍ଲୀର ଅଂଶୁମାନ ପ୍ରଧାନ ୬୦ ପ୍ରତିଶତ ମାନସିକ ଅନଗ୍ରସର ହୋଇଥିବାରୁ ମାଧ୍ୟମିକ ଶିକ୍ଷା ବୋର୍ଡ ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ୨୦୨୪ର ପରୀକ୍ଷାର୍ଥୀ ଭାବରେ ଜଣେ ଲିଖନ ସହାୟକଙ୍କ ସୁବିଧା ନିମନ୍ତେ ଅନୁମତି ମାଗି ବିଫଳ ହୋଇଥିଲେ । ରାଜ୍ୟ ଭିନ୍ନକ୍ଷମ କମିଶନରଙ୍କ ହସ୍ତକ୍ଷେପ ଫଳରେ ବୋର୍ଡ କର୍ତ୍ତୃପକ୍ଷ ତାଙ୍କୁ ଏହି ସୁବିଧା ପ୍ରଦାନ କରିଛନ୍ତି ଏବଂ ତଦନୁସାରେ ଖୋର୍ଦ୍ଧାସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପରୀକ୍ଷା କେନ୍ଦ୍ର ତତ୍ତ୍ୱାବଧାରକ ତାଙ୍କୁ ପରୀକ୍ଷାରେ ଲିଖନ ସହାୟକଙ୍କ ସୁବିଧା ସହିତ ପ୍ରତି ପ୍ରଶ୍ନପତ୍ର ପିଛା ଘଣ୍ଟାକୁ କୋଡ଼ିଏ ମିନିଟ ଅଧିକ ସମୟ ନେବା ନିମନ୍ତେ ଅନୁମତି ଦେଇଛନ୍ତି ।
ଅନୁରୂପ ଭାବରେ ସାଇସ୍ତା ପରୱିନ୍ ଜଣେ ୬୦ ପ୍ରତିଶତ ଦୃଷ୍ଟିବାଧିତ ଛାତ୍ରୀ ଓ ସେ ଓଡ଼ିଶା ଲୋକସେବା ଆୟୋଗ ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା (ମେନ୍) ପରୀକ୍ଷା-୨୦୨୨ ଦେବା ନିମନ୍ତେ ଲିଖନ ସହାୟକ ଲୋଡ଼ିଥିଲେ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ସ୍ନାତକୋତ୍ତର ହୋଇଥିବାବେଳେ ଆୟୁକ୍ତଙ୍କ ନିର୍ଦ୍ଦେଶକ୍ରମେ ସାଇସ୍ତାଙ୍କୁ ତାଙ୍କ ପସନ୍ଦ ମୁତାବକ ଜଣେ ବିବିଏ ଯୋଗ୍ୟତାସଂପନ୍ନ ଲିଖନ ସହାୟକଙ୍କ ସୁବିଧା ନେବାକୁ ଅନୁମତି ଦିଆଯାଇଥିଲା । ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ ହସ୍ତକ୍ଷେପ ତଥା ନିର୍ଦ୍ଦେଶ ବଳରେ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିଛନ୍ତି ।