ହୀରାକୁଦ ଡ୍ୟାମର ୨୦ଟି ଗେଟ୍ ଖୋଲା

ଭୁବନେଶ୍ୱର/ସମ୍ବଲପୁର, ୦୬/୦୭/୨୦୨୫ (ଓଡ଼ିଶା ସମାଚାର)- ହୀରାକୁଦ ଡ୍ୟାମ୍ ରୁ ଆଜି ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଛି । ପର୍ଯ୍ୟାୟକ୍ରମେ ଡ୍ୟାମରୁ ୨୦ଟି ଗେଟ୍ ଖୋଲିଛି । ବାମ ପଟର ୧୩ଟି ଓ ଡାହାଣ ପଟର ୭ଟି ଗେଟ୍ ଖୋଲା ଯାଇଛି ।

ପରମ୍ପରାକୁ ବଜାୟ ରଖି ପୂଜାର୍ଚ୍ଚନା ପରେ ଗେଟ୍ ଖୋଲାଯାଇଥିଲା । ସକାଳ ୧୦ଟା ୧୮ ମିନିଟ୍ ରେ ପ୍ରଥମେ ବାମପାର୍ଶ୍ୱ ସ୍ପିଲୱେ ପଟୁ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା । ତା’ପରେ ଆଉ ୧୧ଟି ଗେଟ୍ ଖୋଲାଯାଇଥିଲା । ତେବେ ହୀରାକୁଦ ଡ୍ୟାମର ଉପରମୁଣ୍ଡରେ ଅଧିକ ବର୍ଷା ଯୋଗୁ ଜଳଭଣ୍ଡାର ମଧ୍ୟକୁ ବନ୍ୟାଜଳର ପ୍ରବେଶ ବଢ଼ିଥିଲା । ଏହାକୁ ଦୃଷ୍ଟିରେ ରଖି ପୁଣି ୮ଟି ଗେଟ୍ ଖୋଲା ଯାଇଛି । ତେବେ ହୀରାକୁଦର ବନ୍ୟା ଜଳ ତଳମୁଣ୍ଡରେ ବନ୍ୟା ବିଭୀଷିକା ସୃଷ୍ଟି କରିବ ନାହିଁ ବୋଲି ମୁଖ୍ୟଯନ୍ତ୍ରୀ ସୁଶୀଲ କୁମାର ବେହେରା କହିଛନ୍ତି  ।  ହୀରାକୁଦ ନିଷ୍କାସିତ ବନ୍ୟାଜଳ କଟକର ମୁଣ୍ଡଳି ଠାରେ ପହଂଚିବାକୁ ପ୍ରାୟ ୩୬ ଘଂଟା ସମୟ ଲାଗିବ । ଗେଟ୍ ଖୋଲିବା ପୂର୍ବରୁ ଆଜି ସକାଳୁ ସତର୍କ ସାଇରନ ବାଜିବା ଆରମ୍ଭ କରିଥିଲା । ସେହିପରି ଗତ ୨ ଦିନ ଧରି ତଳମୁଣ୍ଡରେ ଡାକବାଜି ଯନ୍ତ୍ରରେ ପ୍ରଚାର କରାଯାଇ ଲୋକଙ୍କୁ ସତର୍କ କରାଯାଇଥିଲା ।

ବୁର୍ଲା, ହୀରାକୁଦ ଓ ସମ୍ବଲପୁର ସମେତ ମହାନଦୀର ତଳ ମୁଣ୍ଡରେ ପ୍ରଚାର କରାଯାଇ ଲୋକମାନଙ୍କୁ ସଚେତନ କରାଯାଇଥିଲା । ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ଦୃଶ୍ୟ ଦେଖିବା ପାଇଁ ସମ୍ବଲପୁର ସମେତ ଅନ୍ୟ ଜିଲାମାନଙ୍କରୁ ଲୋକମାନେ ହୀରାକୁଦକୁ ଆସିଥିଲେ । ଏଠାରେ ଲୋକଙ୍କର ବେଶ୍ ଗହଳି ଲାଗିଥିଲା । ଜଳ ନିଷ୍କାସନ ସମୟରେ ଧୂଆଁଳିଆ ପରିବେଶ ସୃଷ୍ଟି ହୋଇଥିଲା । ଡ୍ୟାମରୁ ଜଳ ନିଷ୍କାସିତ ହେବାର ଦୃଶ୍ୟକୁ ଲୋକେ ଉପଭୋଗ କରିଥିଲେ ଓ ସେମାନଙ୍କ ମୋବାଇଲ ଫୋନ୍ ର କ୍ୟାମେରାରେ ତାହାକୁ ତୋଳି ଧରିଥିଲେ ।

ହୀରାକୁଦ ଡ୍ୟାମର ଜଳସ୍ତର ୬୧୦ ଫୁଟ ଡେଇଁ ସାରିଥିବା ବେଳେ ଆଗକୁ ବର୍ଷା ଜାରି ରହିଲେ ଆହୁରି ଅଧିକ ଗେଟ୍ ଖୋଲାଯାଇପାରେ ବୋଲି ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *