କଟକ,୦୭/୦୭/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୨୫ ମସିହାର ମର୍ଯ୍ୟାଦାଜନକ ‘କଳିଙ୍ଗ ରତ୍ନ’ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି । ସାରଳା ସାହିତ୍ୟ ସଂସଦ ପକ୍ଷରୁ ଏହି ସମ୍ମାନ ଆସନ୍ତା ୧୫ ତାରିଖ ଅପରାହ୍ନ ସାଢ଼େ ୩ଟା ବେଳେ ଜବାହାରଲାଲ ନେହରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଆୟୋଜିତ ୪୫ତମ ବାର୍ଷିକ ଉତ୍ସବରେ ଏହି ପୁଷ୍କାର ପ୍ରଦାନ କରାଯିବ ।
ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ପ୍ରଧାନଙ୍କୁ ଏହି ସମ୍ମାନ ପ୍ରଦାନ କରିବେ ବୋଲି ସଂସଦ ପ୍ରତିଷ୍ଠାତା ଓ ସଭାପତି ଡ ଇଂ ପ୍ରଭାକର ସ୍ୱାଇଁ ଓ ସମ୍ପାଦକ ଡା. ନିରଞ୍ଜନ ତି୍ରପାଠୀ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି । ସମ୍ମାନସ୍ୱରୂପ ସରସ୍ୱତୀଙ୍କର ରୌପ୍ୟ ପ୍ରତିମା, ମାନପତ୍ର ଓ
ଉତରୀୟ ପ୍ରଦାନ କରାଯିବ । ଶ୍ରୀ ପ୍ରଧାନ ଜଣେ ମେଧାବୀ ଛାତ୍ର ହୋଇଥିଲା ବେଳେ ଦକ୍ଷ ଛାତ୍ରନେତା ଭାବରେ ତାଙ୍କର ସୁନାମ ରହିଛି । ମହାବିଦ୍ୟାଳୟ ତଥା ବିଶ୍ୱବିଦ୍ୟାଳୟ ରାଜନୀତିର ପ୍ରବହମାନତା ମଧ୍ୟରେ ସେ ସଫଳତା ଲାଭ କରିବା ସହିତ ଓଡ଼ିଶା ବିଧାନସଭାର ବିଧାୟକ, ସାଂସଦ ତଥା ଭାରତ ସରକାରଙ୍କର ବହୁବାର ମନ୍ତ୍ରୀ, କ୍ୟାବିନେଟ ମନ୍ତ୍ରୀ ପଦ ମଣ୍ଡନ କରିଛନ୍ତି । ସେ ଦେଶର ଶିକ୍ଷା, ପେଟ୍ରୋଲିୟମ, ରସାୟନ ଓ ଦକ୍ଷତା, ବିକାଶ ପ୍ରଭୃତି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀପଦର ଦାୟିତ୍ୱ ବହନ କରି ବିଭାଗରେ ବୈପ୍ଳବିକ ଉନ୍ନତି ସାଧନ
କରିଛନ୍ତି । ଦେଶର ଶିକ୍ଷାମନ୍ତ୍ରୀ ଭାବରେ ୨୦୨୦ ଜାତୀୟ ଶିକ୍ଷାନୀତି ପ୍ରବର୍ତନ କରି ସେ ଅଶେଷ ଲୋକପି୍ରୟତା ଅର୍ଜନ କରିଛନ୍ତି । ସେ ଜଣେ ଜନସେବୀ ଓ ରାଜନେତା ଭାବରେ ଅନ୍ତର୍ଜାତୀୟ କ୍ଷେତ୍ରରେ ସ୍ୱୀକୃତିଲାଭ କରିଛନ୍ତି । ତାଙ୍କ ଜନ୍ମ ୧୯୬୯ ଜୁନ୍ ୨୬ରେ ତାଳଚେରଠାରେ ହୋଇଥିଲା । ପିତା ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଡା ଦେବେନ୍ଦ୍ର ପ୍ରଧାନ ଓ ମାତା ବସନ୍ତ ମଞ୍ଜରୀ ପ୍ରଧାନଙ୍କ ସେ କନିଷ୍ଠ ପୁତ୍ର । ଏଠାରେ ଉଲ୍ଲେଖ୍ୟଯୋଗ୍ୟ ଯେ, ଯେକୌଣସି କ୍ଷେତ୍ରରେ ଜାତୀୟ ସ୍ତରରେ ପ୍ରତିଷ୍ଠା ଅର୍ଜନ କରିଥିବା ଜଣେ ଓଡ଼ିଆଙ୍କୁ ସାରଳା ସାହିତ୍ୟ ସଂସଦ ପକ୍ଷରୁ ‘କଳିଙ୍ଗରତ୍ନ ସମ୍ମାନ’ ପ୍ରଦାନ କରାଯାଇଥାଏ ।
