ଜନସାଧାରଣ ସତର୍କତା ଅବଲମ୍ବନ କରିବାକୁ ମହାନଦୀ ଅବବାହିକାର ମୁଖ୍ୟଯନ୍ତ୍ରୀ ଙ୍କ ପରାମର୍ଶ
ବୁର୍ଲା/ ସମ୍ବଲପୁର,୦୬/୦୭/୨୦୨୫ (ଓଡ଼ିଶା ସମାଚାର)- ହୀରାକୁଦ ଡ୍ୟାମରୁ ରବିବାର ପୂର୍ବାହ୍ନରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି। ସ୍ଲୁଇସ ଫାଟକ ଖୋଲାଯିବା ସମୟରେ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ଓ ନାମ ସଂକୀର୍ତ୍ତନ କରାଯାଇଥିଲା। ପୂର୍ବାହ୍ନ ପ୍ରାୟ ୧୦ଟା ୨୦ରେ ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ଫାଟକ ଖୋଲାଯାଇଥିଲା। ପର୍ଯ୍ୟାୟକ୍ରମେ ଡ୍ୟାମର ୧୨ଟି ସ୍ଲୁଇସ ଫାଟକ ଖୋଲାଯାଇ ବନ୍ୟା ଜଳ ମହାନଦୀକୁ ଛଡାଯାଉଛି। ଡ୍ୟାମ ଅନ୍ତର୍ଗତ ବାମ ପାର୍ଶ୍ବ ସ୍ପିଲ ୱେର ୮ ଓ ଡାହାଣ ପାର୍ଶ୍ବର ୪ ସ୍ଲୁଇସ ଫାଟକ ଦେଇ ଜଳ ଛଡାଯାଉଛି।
ଆଜି ସକାଳ ୯ଟା ସମୟରେ ଡ୍ୟାମର ଜଳସ୍ତର ୬୦୯.୫୪ ଫୁଟ ରହି ଥିଲା। ଏହି ସମୟରେ ଜଳଭଣ୍ଡାରକୁ ୧,୩୦,୦୨୮ କ୍ୟୁସେକ୍ ପ୍ରବେଶ କରୁଥିବା ବେଳେ ସର୍ବମୋଟ ୩୮୧୬୪ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା। ସେଥିରୁ ବିଦ୍ୟୁତ୍ ଉତ୍ପାଦନ ନିମନ୍ତେ ପାୱାର ଚାନେଲ ଦେଇ ୩୪,୩୧୩ କ୍ୟୁସେକ୍ ଓ ଜଳସେଚନ ପାଇଁ ୩୨୨୩ କ୍ୟୁସେକ୍ ପାଣି ଛଡ଼ାଯାଇଥିବା ବେଳେ ଶିଳ୍ପାନୁଷ୍ଠାନଗୁଡ଼ିକ ୨୩୪ କ୍ୟୁସେକ୍ ପାଣି ଟାଣୁଛନ୍ତି।
ଜଳସେଚନ ପାଇଁ ବରଗଡ଼ ମୁଖ୍ୟ କେନାଲରେ ୨୭୫୫ କ୍ୟୁସେକ୍, ଶାସନ ମୁଖ୍ୟ କେନାଲରେ ୪୦୦ କ୍ୟୁସେକ୍ ଏବଂ ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିରେ ୬୮ କ୍ୟୁସେକ୍ ପାଣି ଛଡ଼ାଯାଉଛି। ବନ୍ୟାଜଳ ନିଷ୍କାସନ ପରେ ହୀରାକୁଦ ଜଳଭଣ୍ଡାରର ତଳମୁଣ୍ଡରେ ମହାନଦୀ ତଥା ଏହାର ଶାଖା ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବ। ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବାକୁ ମହାନଦୀ ଅବବାହିକାର ମୁଖ୍ୟଯନ୍ତ୍ରୀ ପରାମର୍ଶ ଦେଇଛନ୍ତି।