କେନ୍ଦ୍ରାପଡା, ୧୪/୮/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ଗ୍ରାମ ପାଖ ଦେଇ ଯାଇଥିବା ବିରୂପା ନଦୀରେ ଜଣେ ଯୁବକଙ୍କୁ ଠେଲି ଦେଇଥିବା ନେଇ ଅଭିଯୋଗ ହୋଇଛି । ନଦୀକୁ ଠେଲି ଦେଇଥିବା ଯୁବକଙ୍କ ନାମ ମଂଟୁ ମଲ୍ଲିକ(୩୬) । ସୂଚନା ଅନୁଯାୟୀ ଯାଜପୁର ଜିଲାର ବରୀ ବ୍ଲକ ଅନ୍ତର୍ଗତ କୃଷ୍ଣନଗର ଗ୍ରାମର କେତେକ ଯୁବକ ନିକିରାଇ ଗ୍ରାମର ଦିଜ ମଲ୍ଲିକଙ୍କ ପୁଅ ମଂଟୁ ମଲ୍ଲିକ (୩୬)ଙ୍କୁ ଅପହରଣକରି ନେଇଥିଲେ । ଏହାପରେ ତାଙ୍କୁ ମାଡ ମାରି ବିରୁପା ନଦୀକୁ ଠେଲି ଦେଇଥିଲେ । ଏହି ଘଟଣାର ସମସ୍ତ ଦୃଶ୍ୟ ନିକଟସ୍ଥ ଏକ ଦୋକାନରେ ଥିବା ସିସିଟିଭିରେ କଏଦ ହୋଇଛି । ଖବର ପାଇ ନିକିରାଇ ଥାନା ପୋଲିସ ନଦୀ କୂଳରେ ପହଂଚି ତଦନ୍ତ କରିଛି । ପୋଲିସ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲା । ଫଳରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ବିରୂପା ନଦୀରେ ଖୋଜାଖୋଜି ଆରମ୍ଭ କରିଥିଲା । କିନ୍ତୁ ରିପୋର୍ଟ ଲେଖା ହେବା ଯାଏ ଯୁବକଙ୍କୁ ଠାବ କରିବାରେ ଅଗ୍ନିଶମ ବିଭାଗ ସଫଳ ହୋଇନାହିଁ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ତାଙ୍କୁ ଅପହରଣ କରି ନେଇଥିଲେ । ଏହାପରେ ତାଙ୍କୁ ମାଡ଼ ମାରି ନଦୀରେ ଫିଙ୍ଗି ଦେଇଥିଲେ ବୋଲି ମଂଟୁଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ତଦନ୍ତ କରୁଥିବା ନିକିରାଇ ଥାନାଧିକାରୀ ସଞ୍ଜୟ ମଲ୍ଲିକ କହିଛନ୍ତି ଯେ ଏକ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜରୁ ଜଣାପଡୁଛି ମଂଟୁଙ୍କୁ ୪ ଜଣ ଯୁବକ ଆକ୍ରମଣ କରୁଛନ୍ତି । ଏହାପରେ ତାଙ୍କୁ ନଦୀକୁ ଫିଙ୍ଗି ଦେଉଛନ୍ତି । ଏହି ଫୁଟେଜକୁ ଭିତିକରି ଆମେ ତଦନ୍ତ କରୁଛୁ । ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯିବା ପରେ ପ୍ରକୃତ କାରଣ ଜଣାପଡିବ ଓ ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।